STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟାଭାଗ ୩୪

ବହ୍ନିକନ୍ୟାଭାଗ ୩୪

3 mins
20

(ସ୍ବୟବର ଆୟୋଜନ)

***

କୃଷ୍ଣ-ସମର୍ପଣ ଭାବର ଜ୍ଵଳନ୍ତ ପ୍ରତୀକ ଥିଲେ ଯାଜ୍ଞସେନୀ।କାୟ- ମନ-ବାକ୍ୟରେ ଏହି ସମର୍ପଣ ଭାବ ହିଁ ଅଚଳା ଭକ୍ତିର ନିଦର୍ଶନ, ଯାହା ଶ୍ରୀମଦ୍ଭାଗବଦ୍ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ କହିଛନ୍ତି।


 ଦ୍ରୌପଦୀ ଚାହାଁନ୍ତି ନାହିଁ କୁରୁ ଯୁବରାଜ ଦୁର୍ଯ୍ୟୋଧନର ରାଣୀ ହେବାପାଇଁ କିମ୍ବା ଜରାସନ୍ଧ କୁଳବଧୂ ହୋଇ ଗିରିବ୍ରଜରେ ମଗଧ ରାଜପ୍ରାସାଦ ଅଳଙ୍କୃତ କରିବାପାଇଁ।ସେ ଚାହାଁନ୍ତି ଏକ ଶ୍ରେଷ୍ଠ ଯୋଦ୍ଧା,ଯେ ତାଙ୍କର ପାଣିଗ୍ରହଣ କରି ପାଞ୍ଚାଳର ସମ୍ମାନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଦ୍ରୋଣଙ୍କଦ୍ବାରା ପିତାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବ ତଥା ଅହିଛତ୍ର କ୍ଷେତ୍ର ଦ୍ରୋଣଙ୍କର ଅଧୀନରୁ ଉଦ୍ଧାର କରି ପୁନର୍ବାର ପାଞ୍ଚାଳ ସହିତ ସଂଯୋଗ କରିପାରିବ।


ଏଭଳି ଯୋଦ୍ଧା କେଉଁଠାରେ ଅଛନ୍ତି ତାଙ୍କୁ ଜଣାନାହିଁ। ପାଣ୍ଡବମାନେ ଜୀବିତ ଥିବା କଥା ମଧ୍ୟ ତାଙ୍କର ଜ୍ଞାତସାରରେ ନାହିଁ। ତଥାପି ବାସୁଦେବ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି....ଚିନ୍ତା କରନାହିଁ କଲ୍ୟାଣୀ,ତୁମ ମନୋବାଞ୍ଛ ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ,ସବୁ ମୋ ଉପରେ ଛାଡ଼ିଦିଅ।"


ସେଥିପାଇଁ ସବୁ ଚିନ୍ତା ସେହି ଚିନ୍ତାମଣିଙ୍କ ଉପରେ ଛାଡ଼ିଦେଇ ,ଯାଜ୍ଞସେନୀ ସ୍ବୟବର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ଏହି ଘଟଣାଚକ୍ରରୁ ମନେହୁଏ ବହ୍ନିକନ୍ୟାଙ୍କର ସୃଷ୍ଟି ଜଗତ୍ପତି ଙ୍କର ଧର୍ମସଂସ୍ଥାପନା ଉଦ୍ଦେଶ୍ୟର ଏକ ଅଭିନ୍ନ ଅଙ୍ଗ।

********************************************


ପ୍ରଭାତ ପୂର୍ବରୁ କୃଷ୍ଣା ଘେନି ସଖୀଶ୍ରେଣୀ,

ଗଙ୍ଗା ଘାଟେ ପହଞ୍ଚିଲେ ଦ୍ରୁପଦ ନନ୍ଦିନୀ।

ଶୀତଳ ଗଙ୍ଗାଜଳରେ ସ୍ନାନ କରି ଜେମା,

ସଦ୍ୟ ପୁଷ୍ପ ପରି ଦେଖାଗଲେ ମନୋରମା।


ବିନ୍ଦୁ ବିନ୍ଦୁ ଜଳ ଯାଏ କୁନ୍ତଳରୁ ଝରି,

ଝିନ୍ନ ବସ୍ତ୍ର ରହିଛି ବକ୍ଷରେ ଜଡି କରି।

ସୀଲହଟ୍ ପରଦାରେ ଛାୟାମୂର୍ତ୍ତି ପରି,

ଅନୁପମ ଦେଖାଗଲେ ପାଞ୍ଚାଳୀ ସୁନ୍ଦରୀ।


ଘେନି ସଖୀ ଶ୍ରେଣୀ ଗଙ୍ଗା ତଟ ତେଜି ବାଳା,

ଶୃଙ୍ଗାର ନିମନ୍ତେ ପୁରେ ମିଳିଲେ ଛଇଳା।

ହରିଦ୍ରା,ଚନ୍ଦନ,ପୁଷ୍ପ ମିଶ୍ରିତ ଜଳରେ,

ସ୍ନାନକଲେ ଯାଜ୍ଞସେନୀ ପୁରେ ପୁନର୍ବାରେ।


ହରିଦ୍ରା ସଙ୍ଗେ କସ୍ତୁରୀ,କୁଙ୍କୁମକୁ ଗୋଳି,

ସଖୀଗଣ ରାଜଜେମା ଦେହେ ଦେଲେ ବୋଳି।

ଚନ୍ଦନ ପରିପାଟୀରେ ଲଲାଟ ସଜାଇ,

ନାନାବିଧ ଅଳଙ୍କାର ଦିଅନ୍ତି ପିନ୍ଧାଇ।


କଟିରେ ସୁନାମେଖଳା ପାଉଁଜି ପାଦରେ,

କାନେ ସୁନାଫୁଲ,ସ୍ବର୍ଣ୍ଣହାର ଯେ ଗଳାରେ।

ମଥାରେ ସୁବର୍ଣ୍ଣ ମଥାମଣି ଝଲସଇ,

ବେନି ହସ୍ତେ ବାଜୁବନ୍ଧ କି ଶୋଭା ଦିଶଇ!

ଆନିତମ୍ବ କୃଷ୍ଣବେଣୀ ସଜ୍ଜା ମୋତି ମାଳେ,

ମଲ୍ଲୀମାଳ ଖଞ୍ଜିଦେଲେ ଜେମାଙ୍କ କୁନ୍ତଳେ।


ମଙ୍ଖଳ ସଂଗୀତ ଗାଉଥିଲେ ସଖୀଗଣ,

ଅପୂର୍ବ ଆନନ୍ଦେ ଉଲ୍ଲସିତ ଜେମାମନ।

ପୁଲକିତ ହୋଇ ସଖୀ ଚାଟୁ ବଚନରେ,

ଆନତ ବଦନେ ହସୁଥିଲେ ଧୀରେ ଧୀରେ।


ସୁବର୍ଣ୍ଣଜରି ଖଚିତ ରଙ୍ଗ ପାଟ୍ଟଶାଢୀ,

ପିନ୍ଧାଇଲେ ସଖୀଗଣ ଜେମାଙ୍କୁ ସଜାଡି।

ମଣି ଖଚିତ ମୁକୁଟ ମଥାରେ ଥlପିଲେ,

ଖଞ୍ଜାଥିଲା କେତେ ଦିବ୍ୟ ମାଣିକ୍ୟ ତହିଁରେ।

ଅପୂର୍ବ ଲାବଣ୍ୟଭରା ଦିଶେ ତନୁ ଶୋଭା,

ସଦ୍ୟ ସ୍ବର୍ଗ ଅପସରା ଓହ୍ଲାଇଛି ଅବା!


ରାଜପୁରୋହିତ ସଙ୍ଗେ ସଖୀ ଗହଣରେ,

ଯଜ୍ଞଶାଳାକୁ କୁମାରୀ ଚଳିଲେ ସଧୀରେ।

ଯଜ୍ଞଶାଳା ମଧ୍ୟସ୍ଥଳେ ଅଗ୍ନିକୁଣ୍ଡ ଜଳେ,

ବସି ବ୍ରାହ୍ମଣ ଯଜ୍ଞାଗ୍ନି ପରେ ଘୃତ ଢାଳେ।

ଯେଉଁ ଦିନ ଠାରୁ କୃଷ୍ଣା ଜନ୍ମିଲେ ଯଜ୍ଞରୁ,

ସତତ ଜଳଇ ଅଗ୍ନି କୁଣ୍ଡେ ସେ ଦିନରୁ।


ପାଞ୍ଚାଳ କୁଳଦେବତା ଏହି ହୁତାସନ,

ତେଣୁ ସଦା ପୂଜୁଥାନ୍ତି ତାଙ୍କୁ ଯାଜ୍ଞସେନ।

ଯଜ୍ଞକୁଣ୍ଡରୁ ଉତ୍ପନ୍ନ ହୁଏ ଯେଉଁ ବାୟୁ,

ବୃଦ୍ଧିକରେ ପ୍ରଜାଙ୍କର ଧନ,ଯଶ,ଆୟୁ।

ସେ କୁଣ୍ଡକୁ ପରିକ୍ରମା କରି ଯାଜ୍ଞସେନୀ,

ଅଗ୍ନିଙ୍କୁ ପ୍ରଣାମ କଲେ ଦ୍ରୁପଦ ନନ୍ଦିନୀ।


ପୁର ନାରୀ ଗାଉଥିଲେ ମଙ୍ଗଳ ସଂଗୀତ,

ଉଚ୍ଚେ ବେଦପାଠ କରୁଥିଲେ ପୁରୋହିତ।

ସଖୀଶ୍ରେଣୀ ଗହଣରେ କୃଷ୍ଣା ସୁକୁମାରୀ,

ସ୍ବୟମ୍ବର ମଣ୍ଡପକୁ ଉଠିଲେ ସୁନ୍ଦରୀ।


ବାଜିଉଠେ ଘଣ୍ଟ,ଭେରୀ,ଶଙ୍ଖ,ଶିଙ୍ଗାମାନ,

କୃଷ୍ଣାଙ୍କ ନିକଟେ ପହଞ୍ଚିଲେ ଧୃଷ୍ଟଦ୍ୟୁମ୍ନ।

ଗୁରୁ ସନ୍ଦୀପନୀ,ଶ୍ବେତକେତୁ ପହଞ୍ଚିଲେ,

ସହଜେ ତ ଗର୍ଗାଚାର୍ଯ୍ୟ ଉପସ୍ଥିତ ଥିଲେ।


ସର୍ବେ ମିଳି ପହଞ୍ଚିଲେ ମଙ୍ଗଳ ବେଦୀରେ,

ଅଗ୍ନିକୁଣ୍ଡ ଜଳୁଥିଲା ବେଦୀକା ମଧ୍ୟରେ।

ଚତୁର୍ପାର୍ଶ୍ବେ ବେଦପାଠ କରନ୍ତି ବ୍ରାହ୍ମଣ,

ଚକ୍ରାକାରେ ପଡିଅଛି ସିଂହାସନ ମାନ।


ମଧ୍ୟଭାଗେ ବସିଛନ୍ତି ଦ୍ରୁପଦ ନରେନ୍ଦ୍ର,

ଦକ୍ଷିଣରେ ଉପସ୍ଥିତ ପୂଜ୍ୟ ଋଷିବୃନ୍ଦ।

ବାମ ପାର୍ଶ୍ବେ ରାଜ ନବରର ଅନ୍ତେବାସୀ,

ବିପରିତ ଭାଗେ ସର୍ବେ ରାଜା ଛନ୍ତି ବସି।


ବେଦୀକାର ପୂର୍ବଦିଗ ଆହା କେଡେ ଶୋଭା !

ଥୁଆ ହୋଇଛି ଅପୂର୍ବ ଧନୁ ମନଲୋଭା।

ଧନୁ ପାଶେ ରହିଅଛି ପାଞ୍ଚଗୋଟି ଶର,

ସୂର୍ଯ୍ୟକର ସ୍ପର୍ଶେ ଝଲସଇ କାନ୍ତି ତାର।

କୁଶଶଜ୍ୟା ପରେ ଧନୁ ଦିଶେ ଶୋଭାବନ୍ତ,

ସତେକି ଶୟନ କରି ଅଛନ୍ତି ଅନନ୍ତ !


ପୁଷ୍ପ,ଚନ୍ଦନ,ସିନ୍ଦୁର ଦେଇ ଧନୁପରେ,

ପୂଜାକଲେ ଗର୍ଗାଚାର୍ଯ୍ୟ ମହା ଭକ୍ତିଭରେ।

ଧନୁ ଅଳ୍ପଦୂରେ ସ୍ଥିତ ଏକ ଜଳକୁଣ୍ଡ,

ତା'ନିକଟେ ପୋତା ହୋଇଅଛି ଦୀର୍ଘ ଦଣ୍ଡ।

ସେ ଦଣ୍ଡର ଶୀର୍ଷଦେଶେ ଘୂରେ ରାଧାଚକ୍ର,

ତା ଉପରେ ବନ୍ଧା ହୋଇଅଛି ମୀନ ଏକ।


ସେ ମୀନର ପ୍ରତିବିମ୍ବ ପଡିଛି କୁଣ୍ଡରେ,

ତଳେ ଘୂରେ ରାଧାଚକ୍ର ପ୍ରତି ମୁହୁର୍ତ୍ତରେ।

ସେ ଚକ୍ରରେ ଅଛି ରନ୍ଧ୍ର ଗୋଟିଏ ମାତର,

କୁଣ୍ଡଜଳେ ପ୍ରତିବିମ୍ବ ପଡିଅଛି ତାର।

ଦେଖି କୁଣ୍ଡଜଳେ ସ୍ବର୍ଣ୍ଣ ମତ୍ସ୍ୟ ପ୍ରତିବିମ୍ବ,

ଯେଉଁ ବୀର ତୀରେ ଚକ୍ଷୁ ବିଦ୍ଧ ତା କରିବ,।

ତାକୁ ବରମାଲ୍ୟ ଦେବେ ଦ୍ରୌପଦୀ ସୁନ୍ଦରୀ,

ସ୍ପର୍ଦ୍ଧାର ନିୟମ ରହିଅଛି ଏହିପରି।


ଧନୁ ପାଶେ ମଥା ନୋଇଁ ପାଞ୍ଚାଳ ଦୁଲ୍ଲଣୀ

ଗୁରୁଙ୍କର ପାଦପୂଜା କଲେ ଯାଜ୍ଞସେନୀ।

ପିତାଙ୍କର ଆଶୀର୍ବାଦ ନେଲେ ପାଦଛୁଇଁ,

ନମିଲେ ଯଜ ରୃଷିଙ୍କ ପାଦେ ମଥା ଥୋଇ।

ଧୃଷ୍ଟଦ୍ୟୁମ୍ନ ସଙ୍ଗେ ଆସି ବେଦୀକା ପାଶକୁ,

ଲଜ୍ୟାବନତ ବଦନେ ଚାହିଁଲେ ସଭାକୁ।


ଏ ସମୟେ ଯଜ ଆସି ପହଞ୍ଚି ବେଦୀରେ,

କୁଙ୍କୁମ ଲଗାଇଦେଲେ ପାଞ୍ଚାଳୀ ମଥାରେ।

ଲମ୍ବାଇଲେ ଫୁଲମାଳା ରାଜଜେମା ଗଳେ,

ପରିଣୟ ଯୋଗ୍ୟା ହୋଇ କୃଷ୍ଣା ଉଭାହେଲେ।


*ଗର୍ଗାଚାର୍ଯ୍ୟ.... କୁଳଗୁରୁ

"ଯଜ...ରାଜପୁରୋହିତ


କ୍ରମଶଃ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics