ବହ୍ନିକନ୍ୟା ଭାଗ ୩୩
ବହ୍ନିକନ୍ୟା ଭାଗ ୩୩


କୂଟନୀତି ଏବଂ ରାଜନୀତିରେ ସେ ସମୟରେ ଶ୍ରୀକୃଷ୍ଣଙ୍କ ସହିତ କେହି ସମକକ୍ଷ ନଥିଲେ।ବିପକ୍ଷର ମନସ୍ତତ୍ତ୍ୱ ଆକଳଣ କରିବାରେ ସେ ଥିଲେ ଅଦ୍ୱିତୀୟ।ତେଣୁ ରାଜମୁକୁଟ ଧାରଣ ନକରି ମଧ୍ୟ ସେ ଦ୍ବାରକାଧିପତି ବୋଲାଉଥିଲେ ଏବଂ ଅସ୍ତ୍ର ନଧରି ମଧ୍ୟ ସେ ଯୁଦ୍ଧ ଜୟ କରିପାରୁଥିଲେ। ଜରାସନ୍ଧର , ସ୍ଵୟମ୍ବର ପୂର୍ବରୁ କନ୍ୟାହରଣ କରିବାର ମତିଗତି ଜାଣିପାରି , ନିରସ୍ତ୍ର ଭାବରେ ମଗଧ ସମ୍ରାଟର ଶିବିରରେ ପ୍ରବେଶ କରି ଶ୍ରୀକୃଷ୍ଣ ଏଭଳି ଭୟ ଜରାସନ୍ଧ ମନରେ ସୃଷ୍ଟି କରିଦେଲେ ଯେ କନ୍ୟା ହରଣ କଳ୍ପନା ମନରୁ ଦୂର କରି,ମଗଧର ସମ୍ମାନ ଅକ୍ଷୁର୍ଣ୍ଣ ରଖି କିପରି ପଳାୟନ କରିବ,ସେହି ଚିନ୍ତାରେ ରହିଲା ମଗଧେଶ।
.....
ମଗଧର ଛାଉଣୀରୁ ମତ୍ତ ହସ୍ତୀ ସମ,
ଦୀପ୍ତ ପାଦରେ ଫେରିଲେ ଦେବକୀ ନନ୍ଦନ।
ଚିନ୍ତିତ ଯୁଯୁଧାନଙ୍କୁ ବୋଲନ୍ତି ଶ୍ରୀହରି,
"ଆସିଛି ଜରା ଶିବିରେ ବିଷ୍ଫୋରଣ କରି"।
ସାତ୍ୟକି ବୋଲନ୍ତି "କେଉଁ ପରି ବିଷ୍ଫୋରଣ,
କିମ୍ପା ଶୁଣି ନପାରିଲୁ ଆମ୍ଭେ ନାରାୟଣ ?"
ହସି ବୋଲନ୍ତି ମାଧବ"ଶବ୍ଦହୀନ ତାହା,
ମସ୍ତିଷ୍କକୁ ଛିନ୍ନ ଭିନ୍ନ କରିଦିଏ ଯାହା।
ଜରାସନ୍ଧ ମସ୍ତକରେ ସେହି ବିଷ୍ଫୋରଣ,
ନଷ୍ଟ କରିଦେବ ସମ୍ରାଟର ଚୌର୍ଯ୍ୟପଣ।
କନ୍ୟାକୁ ଚୋରି କରିବା କଥା ଭୁଲିଯାଇ,
ଘରମୁହାଁ ହେବ କାଲି ମଗଧ ଗୋସାଇଁ।
ଦେଖ କାଲି ଦ୍ରୌପଦୀଙ୍କୁ ଦେଇ ଆଶୀର୍ବାଦ,
ଫେରିଯିବ ଜରାସନ୍ଧ ନିଶ୍ଚୟ ମଗଧ।"
ଶ୍ରୀକୃଷ୍ଣଙ୍କ ଜରାସନ୍ଧ ମନ ବିଶ୍ଲେଷଣ,
ଦେଖି ଆଶ୍ଚର୍ଯ୍ୟ ଚକିତ ହେଲେ ଯୁଯୁଧାନ।
କ୍ରମେ ବିତିଲା ରଜନୀ,ହୋଇଲା ପ୍ରଭାତ,
ଗଙ୍ଗାଜଳେ ସ୍ବର୍ଣ୍ଣ ରବିକର କରେ ନୃତ୍ୟ।
କୋଳାହଳ ପୂର୍ଣ୍ଣ ହେଲା ସକଳ ଶିବିର,
ଶିବିର ଚୂଡା ଝଟକେ ଲାଗି ରବିକର।
କୁକୁଟ ରାବିଲେ ଉଚ୍ଚେ ଭାଟ କଲେ ରଟ,
ଦେବାଳୟେ ବାଜିଉଠେ ଆଳତିର ଘଣ୍ଟ।
ବେଦପାଠ ସୁଉଚ୍ଚରେ କରନ୍ତି ପଣ୍ଡିତେ,
ପ୍ରଫୁଲ୍ଲିତ ପୁଷ୍ପବନ ଭ୍ରମର ସଂଗୀତେ।
କାମ୍ପିଲ୍ୟର ପୁରେ ପୁରେ ହୁଏ ଦେବାର୍ଚ୍ଚନା,
ଘଣ୍ଟି,ଘଣ୍ଟ ଶବ୍ଦ ଆଣେ ସାତ୍ତ୍ବିକ ଚେତନା।
ଆଜି ପାଞ୍ଚାଳ ଜେମାର ହେବ ସ୍ବୟମ୍ବର,
ମନ ପ୍ରଫୁଲ୍ଲିତ ପ୍ରତି ନଗ୍ରବାସୀଙ୍କର।
ସତେ ଅବା ନିଜ କନ୍ୟା ଯିବ ଶାଶୁଘର,
ସେପରି ମନେ ଭାଳନ୍ତି ପ୍ରଜା ପାଞ୍ଚାଳର।
ସେଥିପାଇଁ ଲିପାପୋଛା କରି ଘରଦ୍ବାର,
ଝୋଟି,ଚିତା ଦେଇଛନ୍ତି କେଡେ ମନୋହର!
ଦେବାର୍ଚ୍ଚନା ପ୍ରଭାତରୁ କରନ୍ତି ସକଳେ,
ଗୃହ ପୂର୍ଣ୍ଣ ହରିବୋଲ,ହୁଳହୁଳି ରୋଳେ।
ଦ୍ବାରେ ଦ୍ବାରେ ଆମ୍ବପତ୍ର ତୋରଣ ଝୁଲଇ,
ବେନି ପାଶେ ରମ୍ଭାବୃକ୍ଷ,ପୂର୍ଣ୍ଣକୁମ୍ଭ ଥୋଇ।
ବରୁଣପୂଜା କରନ୍ତି ପ୍ରତି ପୁରନାରୀ,
ଦେବାଳୟେ ବାଜେ ଘଣ୍ଟା,ମୃଦଙ୍ଗ,ମହୁରୀ
ଏଣେ ନିଜ ଶିବିରରେ ବୃହଦ୍ରଥ ସୁତ,
ବିନିଦ୍ର ରଜନୀ ଅନ୍ତେ ହୋଇ ଚିନ୍ତାଗ୍ରସ୍ତ।
ସହଦେବ ପାଶେ କଲା ସମସ୍ତ ବଖାଣ,#
ବୋଇଲା "ସତ୍ୟ କହୁଛି ଗୋପାଳ ନନ୍ଦନ।
କନ୍ୟା ହରଣ କରିବା ଅଟଇ ଦୁଷ୍କର,
ସ୍ପର୍ଦ୍ଧାରେ ଜିଣିବା ନୁହେଁ ସହଜ ବ୍ୟାପାର।
ମଗଧ ସମ୍ମାନ ପାଇଁ ଫେରିଯିବା ଶ୍ରେୟ,
ତା ନହେଲେ ଅପମାନ ହୋଇବ ନିଶ୍ଚୟ।
କନ୍ୟା ହରଣ ସମୟେ ଯୁଦ୍ଧେ ଗଲେ ହାରି,
ସରିଯିବ ମଗଧର ଶୌର୍ଯ୍ୟ,ବିର୍ଯ୍ୟ,ଶିରୀ।
ସ୍ପର୍ଦ୍ଧାରେ ହାରିଲେ ହେବ ଘୋର ଅପମାନ,
ଆମ୍ଭ ବୀରତ୍ବକୁ ଧିକ୍କାରିବେ ରାଜାଗଣ।
ତେଣୁ ମୋ ସିଦ୍ଧାନ୍ତ,ଯାଇ ପାଞ୍ଚାଳ ସଭାରେ,
କନ୍ୟା ଆଶୀର୍ବାଦ ଅନ୍ତେ ଫେରିଯିବା ପୁରେ।
ଏତେ ବୋଲି ସଜହେଲା ରାଜା ଜରାସନ୍ଧ,
ସହଦେବ କରେ ପ୍ରତ୍ୟାବର୍ତ୍ତନ ପ୍ରବନ୍ଧ।
.....
ଯୁଯୁଧାନ-ସାତ୍ୟକି
ଜରା-ଜରାସନ୍ଧ
ବୃହଦ୍ରଥ ସୁତ-ଜରାସନ୍ଧ
ସହଦେବ-ଜରାସନ୍ଧର ପୁତ୍ର।