STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା-୩୯

ବହ୍ନିକନ୍ୟା-୩୯

3 mins
33


(ବିଷମ ସମସ୍ୟା)

****

      ଦ୍ରୌପଦୀଙ୍କର ପାଞ୍ଚ ପତି ଗ୍ରହଣ କରିବା ଘଟଣାଟି ମହାଭାରତର ସବୁଠାରୁ ଚର୍ଚ୍ଚିତ ବିଷୟ।ବହୁ ପାଠକ ଓ ସମାଲୋଚକ ଯାଜ୍ଞସେନୀଙ୍କର ପାଞ୍ଚପତି ଗ୍ରହଣ କରିବା ନିଷ୍ପତ୍ତିକୁ ଅନୈତିକ କାର୍ଯ୍ୟ କହି ସମାଲୋଚନା କରନ୍ତି।କିନ୍ତୁ ସେ ସମୟର ସାମାଜିକ ନୀତି ନିୟମକୁ ବର୍ତ୍ତମାନର ତରାଜୁରେ ତଉଲିବା ଉଚିତ ହେବନାହିଁ।ପ୍ରାୟ ପାଞ୍ଚ ହଜାରରୁ ସାତ ହଜାର ବର୍ଷ ପୂର୍ବକୁ ମହାଭାରତ କାଳ ବୋଲି ବିବେଚନା କରାଯାଏ।ସେ ସମୟର ସାମାଜିକ ନିୟମ ଏବଂ ନୈତିକତାର ମାନଦଣ୍ଡ ସମ୍ପୂର୍ଣ୍ଣ ଭିନ୍ନ ଥିଲା।‌ହିମାଳୟର ତରାଇ ଅଞ୍ଚଳରେ "ଖାସା"ଜନଜାତିର ଏକ ସମ୍ପ୍ରଦାୟରେ ପରିବାରର ଅନେକ ଭାଇ ଗୋଟିଏ ସ୍ତ୍ରୀ କୁ ବିବାହ କରିବା ଦୃଷ୍ଟାନ୍ତ ଏବେ ମଧ୍ୟ ଅଛି। ସେମାନେ ସହବାସ ନିୟମ ଏଭଳି ସ୍ଥିର କରିଥାନ୍ତି ଯେ କିଛି ମାସ କିମ୍ବା ବର୍ଷ ପାଇଁ ଜଣେ ସ୍ବାମୀ ହିଁ ବିବାହିତା ସହିତ ସହବାସ କରିପାରୁଥିଲା। ଏହାଦ୍ବାରା ସ୍ବାସ୍ଥ୍ୟ ରକ୍ଷାର ନିୟମ ମଧ୍ୟ ପାଳିତ ହେଉଥିଲା।


ଏହି ବ୍ୟବସ୍ଥାକୁ ସେ ସମୟରେ ବ୍ୟାସଦେବ ମଧ୍ୟ ନୈତିକ ସମର୍ଥନ ଦେଇଥିଲେ। କିନ୍ତୁ ତାଙ୍କ ମତରେ କନ୍ୟାର ସମ୍ମତି ବିନା ଏଭଳି ବିବାହ ଆୟୋଜନ କରାଯାଇ ପାରିବ ନାହିଁ। କେଉଁ ପରିସ୍ଥିତିରେ ଯାଜ୍ଞସେନୀ ପାଞ୍ଚଭାଇଙ୍କୁ ବିବାହ କରିବାପାଇଁ ସମ୍ମତ ହୋଇଥିଲେ,ଆଗକୁ ଆଲୋଚନା କରିବା।


କିନ୍ତୁ ମୋ ମତରେ ଆମ ସମୟର ନୈତିକତାର ଯବକାଚରେ ଆମେ କୃଷ୍ଣା ସ୍ଵୟମ୍ବରକୁ ଦେଖିବା ଉଚିତ ହେବନାହିଁ।


ପ୍ରତି କାଳ ବା 'ସମୟ ଖଣ୍ଡ'ର ସ୍ଵତନ୍ତ୍ର ଚରିତ୍ର ରହିଛି।ସେ କାଳରେ "ସତ୍ୟରକ୍ଷା"ବା ବାଚନିକ ପ୍ରତିବଦ୍ଧତା ଅନ୍ୟ ସବୁ ସାମାଜିକ ଓ ନୈତିକ ନିୟମ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା।


******


ବିଦାୟ ନେଲେ ପାଣ୍ଡବେ ଘେନି ରାଜବାଳୀ,

କୁମ୍ଭକାର ଶାଳ ଦିଗେ ସର୍ବେ ଗଲେ ଚଳି।

ଧୃଷ୍ଟଦ୍ୟୁମ୍ନଙ୍କୁ ବୋଲନ୍ତି ନୃପ ଯାଜ୍ଞସେନ,

ପ୍ରତେ ହୁଅନ୍ତି ଏ ଦ୍ବିଜେ ପାଣ୍ଡବ ସମାନ।

ମାତାପାଶେ ଯାଉଛନ୍ତି ପ୍ରତେହୁଏ ମୋର,

ଅନୁସରଣ ଏହାଙ୍କୁ ପୁତ୍ର ତୁମ୍ଭେ କର।

ସତ୍ୟାସତ୍ୟ ଜାଣି ତାଙ୍କୁ ଆଣିବ ପ୍ରାସାଦେ,

ଆଡମ୍ବରେ ବିଭାକାର୍ଯ୍ୟ ସମ୍ପନ୍ନ ନିମନ୍ତେ।"


ଅନୁସରି ଗଲେ ଧୃଷ୍ଟଦ୍ୟୁମ୍ନ ସନ୍ତର୍ପଣେ,

ଆଗେ ଚାଲନ୍ତି ଦ୍ରୌପଦୀ ପାଣ୍ଡବ ଗହଣେ।

କୁମ୍ଭାରଶାଳ ନିକଟେ ପହଞ୍ଚିଲେ ଯାଇ,

ଦ୍ବାରଦେଶେ ଥାଇ ବୋଲୁଛନ୍ତି ପାଞ୍ଚଭାଇ।


" ଭିକ୍ଷାରେ ଆଣିଛୁ ମା'ଗୋ ଅପୂର୍ବ ପଦାର୍ଥ,

ତା'ଦେଖିଲେ ତୁମ୍ଭ ମନ ହେବ ଆନନ୍ଦିତ।

ରାଜପୁରୁ ଆଣିଅଛୁ ଯେ ଅପୂର୍ବ ଧନ,

ତା ଦେଖିଲେ ଜନନୀ ଗୋ ହେବ ହୃଷ୍ଟମନ।"

ଗୃହମଧ୍ୟେ ରହି ବୋଲୁଛନ୍ତି ରାଜମାତା,

" ସମ ଭାବେ ବାଣ୍ଟିନିଅ ତାହା ପଞ୍ଚଭ୍ରାତା।

ଉଣା ଅଧିକ ଯେପରି କାହାର ନହେବ,

ପାଞ୍ଚଭ୍ରାତ ସମଭାବେ ବଣ୍ଟନ କରିବ।"


ଶୁଣି ତାହା ସ୍ତବ୍ଧ ହେଲେ ଧର୍ମଙ୍କ ନନ୍ଦନ,

" ଏ'କି ଆଜ୍ଞା ଦେଲ ମାତା,ଘୋର ଅଘଟଣ!

ତୁମ୍ଭ ଆଜ୍ଞା ଶିରୋଧାର୍ଯ୍ୟେ ସଦା ଥାଉ ମାନି,

ଆଜି କିପରି ମାନିବୁ,କୁହଗୋ ଜନନୀ?

ନୁହେ ଏ ପଦାର୍ଥ,ଯାହା ବାଣ୍ଟିବାର ଯୋଗ୍ୟ,

ବିଡମ୍ବିତ ହେବ ସିନା ରାଜକନ୍ୟା ଭାଗ୍ୟ!"


କୁନ୍ତୀ ଶୁଣି ଧର୍ମରାଜଙ୍କର ଏହି ବାଣୀ,

ଗୃହମଧ୍ୟୁ ଆସି ମଥା କୋଡିହେଲେ ରାଣୀ।

" କି କଲି,କି କଲି" ବୋଲି କାମୁଡିଲେ ଜିଭ,

ଏ'କି ଆଜ୍ଞା ଦେଲି,କେହ୍ନେ ହେବ ତା ସମ୍ଭବ?

ସତ୍ୟ କରିଛନ୍ତି ପୁତ୍ରେ ମାନିବେ ମୋ କଥା,

ରିଷ୍ଟ ଉପୁଜିବ ତାହା ହୋଇଲେ ଅନ୍ୟଥା।"


ଅବଗତ ହେଲେ ପୃଥା, ଧନଞ୍ଜୟ ବୀର,

ଲକ୍ଷ ଭେଦି ଜିଣିଅଛି ହସ୍ତ ଦ୍ରୌପଦୀର।

ସମ୍ମୁଖରେ ଉଭା ଯାଜ୍ଞସେନୀ ସ୍ବର୍ଗ ପରୀ,

କେଡେ ଭାଗ୍ୟେ ବଧୂ ହୋଇ ଆସିଛି ତାଙ୍କରି !

ବନ୍ଦାପନା କରି ଗୃହେ ନେଲେ ତାଙ୍କୁ ପୃଥା,

ମାତାଙ୍କ ପାଦ ନମିଲେ ଯାଜ୍ଞସେନ ସୁତା।


ମହା ଭାଳେଣି ପଡିଲା ପାଣ୍ଡବ କୁଟୀରେ,

ସତ୍ୟ ଲଂଘିବେ କେମନ୍ତେ କୁନ୍ତୀଙ୍କ କୁମରେ?

ଆଗରୁ ତ ପାଞ୍ଚଭାଇ କରିଛନ୍ତି ସତ୍ୟ,

ମାତାଙ୍କର ଆଜ୍ଞା ସେହୁ ପାଳିବେ ସତତ।

ଯେଉଁ ଭୀଷ୍ମ ସତ୍ୟ ପାଳି ତେଜିଛନ୍ତି ରାଜ୍ୟ,

ସତ୍ୟପାଳି ନେଇଛନ୍ତି ଚୀର ବ୍ରହ୍ମଚର୍ଯ୍ୟ,

ସେ ବଂଶ ଦାୟାଦ ହୋଇ ପାଣ୍ଡବେ କିପରି,

ହେବେ ସତ୍ୟପଥ ଭ୍ରଷ୍ଟ ଭାଳି ହେଲେ ଘାରି ।


ମାତାଙ୍କର ପାଦ ଛୁଇଁ ନେଇଛନ୍ତି ବ୍ରତ,

ଯା କହିବେ ମାତା ତାହା ପାଳିବେ ସତତ।

ଯେଉଁ ସତ୍ୟ,ଧର୍ମ ପାଣ୍ଡବଙ୍କ ପରିଚୟ,

ସ୍ବାର୍ଥ ପାଇଁ କେମନ୍ତେ ତା କରିବେ ସେ କ୍ଷୟ?


କପାଳରେ ହସ୍ତ ଦେଇ ଛନ୍ତି ଯୁଧିଷ୍ଠିର,

ବିଷମ ଚିନ୍ତାରେ ମଗ୍ନ ପବନ କୁମର।

ଭାଳନ୍ତି ଅର୍ଜୁନ "ଆମ୍ଭେ ପାଣ୍ଡୁ ପାଞ୍ଚଭାଇ,

ପାଞ୍ଚ ଦେହ ଏକ ଆତ୍ମା ଧରି ଅଛୁ ରହି।

ମାତାଙ୍କ ସ୍ନେହରଜ୍ଜୁରେ ବନ୍ଧା ଆମ୍ଭେ ସଦା,

ମାତାଙ୍କ ଆଦେଶ ଆମ୍ଭେ ପାଳିଛୁ ସର୍ବଦା।

ସତ୍ୟ,ଧର୍ମ ପାଇଁ ଯେବେ ହୁଏ ପ୍ରୟୋଜନ,

କନ୍ୟା ଆଶା ତ୍ୟାଗ କରି ପାରେ ଏ ଅର୍ଜୁନ।"


ନକୁଳ,ସହଦେବଙ୍କ ମୁଖେ ନାହିଁ ହସ।

କୁନ୍ତୀଙ୍କ ମୁଖମଣ୍ଡଳ ଢାଙ୍କିଛି ନୈରାଶ୍ୟ।

କଇଁ କଇଁ ହୋଇ କାନ୍ଦୁଛନ୍ତି ଯାଜ୍ଞସେନୀ,

ନିନ୍ଦୁଛନ୍ତି ନିଜ ଭାଗ୍ୟ ଦ୍ରୁପଦ ନନ୍ଦିନୀ।


ସତ୍ୟ ପାଳି ରାମଚନ୍ଦ୍ର ଗଲେ ବନବାସ,

ସତ୍ୟାର୍ଥେ ନଳ ରାଜନ କାଟେ ଘୋଡାଘାସ।

ସତ୍ୟ ପାଳି ଶିବି ନିଜ ଅଙ୍ଗ କାଟିଦେଲେ,

ସତ୍ୟ ପାଳି ଶାନ୍ତନୁ ପୁତ୍ରଙ୍କୁ ହରାଇଲେ।

ସତ୍ୟପାଳି ବାସୁକି ଧରିଛି ଧରାବର,

ସତ୍ୟପାଳି କୂଳ ଲଙ୍ଘେନାହି ପାରାବାର।

ମାତା ସତ୍ୟ ନପାଳିବେ ପାଣ୍ଡବେ କେମନ୍ତ,

ଏତେ ବୋଲି ଭାଳିହେଲେ ଜ୍ୟେଷ୍ଠ ପଣ୍ଡୁସୁତ।


ପାଣ୍ଡବଙ୍କ ପରିଚୟ ପାଇ ଧୃଷ୍ଟଦ୍ୟୁମ୍ନ,

ପହଞ୍ଚି ଆନନ୍ଦମନେ କଲେ ସମ୍ଭାଷଣ।

ଦେଖିଲେ ବିରସ;ଶୁଣି କାରଣ ତାହାର,

ବୋଲନ୍ତି "ଏ ସମସ୍ୟାତ ଅଟେ ମହାଘୋର ।

କାଲି ମହାଜ୍ଞାନୀ ବ୍ୟାସ ଆସିବେ ପ୍ରାସାଦେ,

ସହଜେ ତ ବାସୁଦେବ ଛନ୍ତି ଆମ୍ଭମଧ୍ୟେ।

ଶାସ୍ତ୍ରମତେ ଯାହାହେବ ଦେବେ ନିର୍ଦ୍ଦେଶନା

ତଦନ୍ତେ ବିବାହ କାର୍ଯ୍ୟ ପୂର୍ଣ୍ଣ ହେବ ସିନା।

ଏବେ ଚିନ୍ତା ତେଜି ଆସ ପଣ୍ଡୁକୁଳ ଜ୍ୟୋତି,

ପ୍ରାସାଦେ ପିତାଶ୍ରୀ ଅପେକ୍ଷାରେ ରହିଛନ୍ତି।


ଘେନି ପାଣ୍ଡୁ ପରିବାର ସଙ୍ଗେ ଧୃଷ୍ଟଦ୍ୟୁମ୍ନ

ଲେଉଟନ୍ତେ ରାଜପୁରେ ତୁଷ୍ଟ ଯାଜ୍ଞସେନ।

ଆନନ୍ଦ ଲହରୀ ଖେଳିଗଲା ପ୍ରାସାଦରେ,

ପୁର ନାରୀଙ୍କ ଆନନ୍ଦ କହିଲେ ନସରେ ।


ଯାଜ୍ଞସେନ ବୋଲନ୍ତି ହେ ଧର୍ମଙ୍କକୁମର!

ଭାଗ୍ୟବଳେ ପାର୍ଥ ହେଲେ ଜାମାତା ଆମ୍ଭର।

ବଡ ଭାଗ୍ୟବତୀ ମୋର କୃଷ୍ଣାଯାଜ୍ଞସେନୀ,

ହେବ ମଧ୍ୟମପାଣ୍ଡବ ହୃଦ ବିଳସିନୀ।


ଧନଞ୍ଜୟ ସମ ଧନୁର୍ଦ୍ଧର ବିଶ୍ବେ ନାହିଁ,

ପାଞ୍ଚାଳ ଆକାଶେ ଭାଗ୍ୟରବି ଆସେ ଉଇଁ।

ଆନନ୍ଦ ଲହରୀ ଲଂଘେ ହୃଦପାରାବାର,

ବଚନ ନସ୍ଫୁରେ ମୁଖୁ ହେ ଧର୍ମ କୁମର!"


ବୋଇଲେ ଧର୍ମନନ୍ଦନ ନୁଆଁଇ ମସ୍ତକ,

"ବଡ ବିତ୍ପାତ ଘଟିଛି ପାଞ୍ଚାଳ ନାୟକ।

ଧର୍ମପଥଗାମୀ ଆମ୍ଭେ ପାଣ୍ଡୁ ପାଞ୍ଚଭାଇ,

ସତ୍ୟ କରିଛୁ ଶୈଶବୁଁ ମାତା ପାଦଛୁଇଁ,

ମାତାଙ୍କ ମୁଖୁ ଯେ ବାଣୀ ହୋଇବ ନିଶ୍ରୁତ

ପାଳନ କରିବୁ ତାହା ଜୀବନେ ସତତ।"


ଏତେ ବୋଲି ଯୁଧିଷ୍ଠିର ବଖାଣିଲେ ତାହା,

କୁମ୍ଭକାର ଶାଳେ ଘଟିଥିଲା ଯାହା ଯାହା।

ପୁଣି ବୋଇଲେ"ଆମ୍ଭେ ତ ସତ୍ୟ ନ ଲଂଘିବୁ,

ପାଞ୍ଚଭାଇ କୃଷ୍ଣା ହସ୍ତ ଗ୍ରହଣ କରିବୁ।

ଏ ଅଟେ ସିଦ୍ଧାନ୍ତ ଆମ୍ଭ ପାଞ୍ଚ ଭାଇଙ୍କର,

ହେ ନରେଶ ! ଅନୁରୂପ ଆୟୋଜନ କର"।


ଶୁଣି ଚମକି ପଡିଲେ ଦ୍ରୁପଦ ନରେଶ,

ବୋଇଲେ କିପାଇଁ କର ଏ ଅନୀତି ଭାଷ?

ଧର୍ମରାଜ ବୋଲି ପରା ବୋଲାଅ ମହୀରେ,

କେମନ୍ତେ ପୋଷୁଛ ଚିନ୍ତା ଏମନ୍ତ ମନରେ?

ଅପମାନ ହେବ ଏହା ପାଣ୍ଡବ କୁଳକୁ,

ଅପମାନ ହେବ ଆମ୍ଭ ବଂଶ ଗରିମାକୁ।


ସତ୍ୟରକ୍ଷା ପାଇଁ ଦେବ ଧର୍ମ ଜଳାଞ୍ଜଳି !!

ଏ କି ଚିନ୍ତା ମନେ ପାଳୁଛ ହେ ମହାବଳୀ?"

ଯୁଧିଷ୍ଠି ବୋଇଲେ ତାତ ନକର ହେ ଚିନ୍ତା,

ବ୍ୟାସଦେବ ଅଟନ୍ତି ତ ସର୍ବ ଶାସ୍ତ୍ର ଜ୍ଞାତା।

ଯୋଗକୁ ତାଙ୍କର ହୋଇଅଛି ଆଗମନ,

ପଚାରି ବୁଝିବା ତାଙ୍କୁ ସମସ୍ତ ବିଧାନ।

"ମାତୃସତ୍ୟ" ନହୋଇବ ଯେବେଟି ପାଳନ,

ପାର୍ଥ ନକରିବେ ଯାଜ୍ଞସେନୀଙ୍କୁ ଗ୍ରହଣ।"


କ୍ରମଶଃ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics