STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା -୩୮

ବହ୍ନିକନ୍ୟା -୩୮

2 mins
19


(ଦ୍ରୌପଦୀଙ୍କର ପତିଗୃହ ଗମନ)

----------------------------

କ୍ଷତ୍ରିୟ ଗଣ ପ୍ରଚଣ୍ଡ କ୍ରୋଧେ ଗଲେ ଜଳି,

"ଏ ନିଶ୍ବ ବ୍ରାହ୍ମଣେ କେହ୍ମେ ବରିବ ପାଞ୍ଚାଳୀ?

ଅପମାନ ହେବ ଏହା କ୍ଷତ୍ରିୟ କୁଳକୁ,

ଚାଲ ନାଶ କରିବା ଏ ବ୍ରାହ୍ମଣ ଯୁବାକୁ।

ଏହା ସଙ୍ଗେ ସଙ୍ଗେ ଦ୍ରୁପଦକୁ ଦେବା ଦଳି,

ପାଞ୍ଚାଳକୁ ଭାଗ ବାଣ୍ଟି ନେବା ସର୍ବେ ମିଳି।"

ଏମନ୍ତ ବିଚାରି ନିଜ ନିଜ ଅସ୍ତ୍ର ଧରି,

ଆକ୍ରମଣ ପାଇଁ ଦୁଷ୍ଟେ ପଡିଲେ ବାହାରି।


ଦୁର୍ଯ୍ୟୋଧନ କହୁଅଛି ଶକୁନିକୁ ଚାହିଁ,

"ମାମୁଁ ଏ ସୁଯୋଗ ଆମ୍ଭେ ହରାଇବା ନାହିଁ।

ପଞ୍ଚ ପାଣ୍ଡବଙ୍କୁ ଯେବେ ଦେବା ଏଥି ମାରି,

ନରହିବ ବାଂଶ କାହୁଁ ବାଜିବ ବାଂଶୁରୀ?

ପାର୍ଥ ଯେବେ ବିବାହ କରିବ ପାଞ୍ଚାଳୀକୁ,

ଶକ୍ତିମାନ କରାଇବ ତାହା ପାଣ୍ଡବଙ୍କୁ।

ହେ ମାତୁଳ! ନେଇ ପାଞ୍ଚାଳର ସମର୍ଥନ,

ପାଣ୍ଡବେ କରିବେ ହସ୍ତିନାକୁ ଅାକ୍ରମଣ।

ରାଜା ହେବା ସ୍ବପ୍ନ ମୋର ହେବ ଧୁଳିସାତ,

ସମୟ ଥାଉଁ ପାଣ୍ଡବେ କରିବା ନିହତ।"

ଭଣଜାର କଥା ଶୁଣି ଗାନ୍ଧାର ରାଜନ,

ସତ କଥା ବୋଲି ଉଠାଇଲା ଧନୁର୍ବାଣ।

କର୍ଣ୍ଣ,ଦୁଃଶାସନ,ଅଶ୍ବତ୍ଥାମା ହେଲେ ସଜ,

ନିଜ,ନିଜ ଅସ୍ତ୍ର ଧରି ଦେଖାଇଲେ ଓଜ।


ଭୀମସେନ ଦେଖିଣ କ୍ଷତ୍ରିଙ୍କ ବ୍ୟବହାର,

ଉପାଡିଲେ ବୃକ୍ଷ ଏକ ପବନ କୁମର।

କାଳବଇଶାଖୀ ସମ ଆସନ୍ତେ ସେ ମାଡି,

ପ୍ରାଣ ଭୟେ ଦୁଷ୍ଟଗଣ ଗଲେ ସ୍ଥାନ ଛାଡି।

କୃଷ୍ଣ,ବଳରାମ ଆସି ସମ୍ଭାଳି ଅବସ୍ଥା,

କ୍ଷତ୍ରିୟଙ୍କୁ ବୁଝାଇଲେ କହି ନାନା କଥା।

କହିଲେ "ହେ ରାଜାଗଣ ! ତୁମ୍ଭେ କି ନଜାଣ?

ବିଧିମତେ ସ୍ବୟମ୍ବର ହୋଇଛି ସମ୍ପନ୍ନ।

ଅକାରଣେ କର ଯେବେ ଏଠାରେ ଆହବ,

ଶୁପ୍ତ ସୁଦର୍ଶନ ଚକ୍ର ନିଶ୍ଚୟ ଗର୍ଜିବ।

ଅପେକ୍ଷାରେ ଅଛି କୌମୁଦୁକି ଗଦା ହସ୍ତେ,

ହଳୀ ହଳାୟୁଧକୁ ତ ଜାଣନ୍ତି ସମସ୍ତେ।

ନିର୍ଦ୍ଦେଶକୁ ଚାହିଁଛନ୍ତି ନାରାୟଣୀ ସେନା,

ଅଯଥା ବିଗ୍ରହ ବୀରେ ନକର ସର୍ଜନା।"


ତୁନି ହୋଇଲେ କ୍ଷତ୍ରିୟେ ଶୁଣି ଏ ବଚନ,

ଜୋକ ମୁଖେ ଲୁଣ ପରି ହେଲା ଦୁର୍ଯ୍ୟୋଧନ।

ଫେରିଲେ କୌରବେ ଘେନି ଆହତ ମାନସ,

ସିଂହ ଆଗେ ହସ୍ତୀ ଗର୍ବ ହୋଇଗଲା ଧ୍ବଂସ।

କାହା ମୁଖେ ନାହିଁ ହସ ନାହିଁ ପଦେ କଥା,

ଥମ ଥମ ହୋଇ ଖାଲି ଝରିପଡେ ବ୍ୟଥା।

ଅଶ୍ବଠାରୁ ଲାତ ଖାଏ ଶରମା ଯେପରି,

ମାନଗୋବିନ୍ଦ ମାନସ ଥିଲା ସେହିପରି।

ଆହତ ପୁରୁଷାକାର ଘେନି ବୀର କର୍ଣ୍ଣ,

ବସିଥିଲେ ସଖା ପାଶେ ହୋଇଣ ମଉନ।

ତିଳ ତଣ୍ଡୁଳ ଦାଢିରେ ଅଙ୍ଗୁଳି ଖେଳାଇ,

ଅର୍ଦ୍ଧଶୁପ୍ତ ଅବସ୍ଥାରେ ମାମୁଁ ଥିଲେ ରହି।

ହସ୍ତିନାକୁ ଫେରିବାର କଲେ ପ୍ରାୟୋଜନ,

ମନେ ପୁଞ୍ଜିଭୁତ କ୍ରୋଧ,ଈର୍ଷା ,ଅପମାନ।


ଏଣେ ଯାଜ୍ଞସେନୀଙ୍କର ମାନସ ହ୍ରଦରେ,

ଆହ୍ଲାଦ ମରାଳ ପନ୍ତି ଖେଳନ୍ତି ବିଭୋରେ।

ପ୍ରଣମି ପିତାଙ୍କ ପାଦ, ନମି ନନ୍ଦବାଳ,

ପଞ୍ଚ ପାଣ୍ଡବ ଗହଣେ ମିଳିଲେ ଚଞ୍ଚଳ।

ଅର୍ଜୁନଙ୍କୁ ଦେଖି ବାସୁଦେବ ପ୍ରେମଭରେ,

କୋଳ କଲେ ସ୍ନେହଅଶ୍ରୁ ନୟନରୁ ଝରେ।

ଯୁଧିଷ୍ଠି,ଭୀମ,ନକୁଳ,ସହଦେବଙ୍କର,

ଅନାମେୟ ପଚାରିଲେ ବାସୁଦେବ ଧୀର।

ବିଦାୟ ନେଲେ ପାଣ୍ଡବେ,ସଙ୍ଗେ ରାଜବାଳୀ,

କୁମ୍ଭାରଶାଳ ଦିଗରେ ସର୍ବେ ଗଲେ ଚଳି।


କ୍ରମଶଃ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics