STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା-୨୬

ବହ୍ନିକନ୍ୟା-୨୬

3 mins
11.9K


କୁନ୍ତୀଙ୍କର ସ୍ମୃତି ଚାରଣ

(ରାଜପୁରରେ ଷଡଯନ୍ତ୍ର)

*****

ପଣ୍ଡୁଙ୍କ ଦେହତ୍ୟାଗ ପରେ କୁନ୍ତୀ ପାଞ୍ଚପୁତ୍ରଙ୍କୁ ଧରି ଅରଣ୍ୟରୁ ହସ୍ତିନା ରାଜ ପ୍ରାସାଦକୁ ଫେରି ଆସନ୍ତି। କିନ୍ତୁ ରାଜପ୍ରାସାଦ କୌଣସି ହିଂସ୍ରଜନ୍ତୁଙ୍କ ଗୁମ୍ଫା ଠାରୁ ନ୍ୟୁନ ନଥିଲା। ଦୁର୍ଯ୍ୟୋଧନ ଏବଂ ଅନେଶ୍ବତ ଭ୍ରାତା ଯୁଧିଷ୍ଠିରଙ୍କୁ ଜ୍ୟେଷ୍ଠ ଭ୍ରାତାର ଆସନ ଦେବାକୁ ପ୍ରସ୍ତୁତ ନଥିଲେ। ସେମାନଙ୍କର ମନେହେଲା,କୁରୁ ରାଜସିଂହାସନ ହସ୍ତଗତ କରିବାପାଇଁ ପାଣ୍ଡବମାନେ ଅରଣ୍ୟରୁ ଫେରି ଆସିଛନ୍ତି। କେବଳ ଘୃଣାପୂର୍ଣ୍ଣ ବ୍ୟବହାର ନୁହେଁ,ପାଣ୍ଡବ ମାନଙ୍କର ପିତୃତ୍ବକୁ ନେଇ ଅନେକ ଅପଶବ୍ଦ କହିବା ଆରମ୍ଭ କରିଦେଲେ ଦୁର୍ଯ୍ୟୋଧନ।


ଭୀମ ମଧ୍ୟ ଛାଡୁନଥିଲେ।କୌଣସି ସୂତ୍ରରୁ ସେ ଜାଣିଥିଲେ ଯେ ଗାନ୍ଧାରୀ ଉଁଆସୀ କନ୍ୟା ଥିବାରୁ, ଧୃତରାଷ୍ଟ୍ରଙ୍କ ସହିତ ବିବାହ ପୂର୍ବରୁ ସାହାଡା ଗଛକୁ (ଗୋଲକ ବୃକ୍ଷ)ପ୍ରଥମେ ବିବାହ କରିଥିଲେ।ସାହାଡ଼ା ଗଛଟି ମରିଯିବା ପରେ ସେ ଉଁଆସୀ-ଦୋଷ ମୁକ୍ତ ହୋଇ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ।ତେଣୁ ଭୀମସେନ କୌରବ ମାନଙ୍କୁ "ଗୋଲକ ନନ୍ଦନ" କହି ମଧ୍ୟ ଅପମାନିତ କରୁଥିଲେ ।

 

ଦୁର୍ଯ୍ୟୋଧନଙ୍କୁ ପାଣ୍ଡୁପୁତ୍ର ମାନଙ୍କ ବିରୁଦ୍ଧରେ ଉତ୍ସାହିତ କରୁଥିଲେ ମାମୁଁ ଶକୁନି,ଭ୍ରାତା ଦୁଃଶାସନ ଏବଂ ଗୁରୁ ଦ୍ରୋଣଙ୍କର ପୁତ୍ର ଅଶ୍ଵତ୍ଥାମା।ପାଣ୍ଡବ ମାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଆରମ୍ଭ କରିଦେଲେ କୁରୁ ରାଜପୁତ୍ରଗଣ।ଏହି ଷଡଯନ୍ତ୍ରର ସ୍ପଷ୍ଟ ଆଭାସ ପାଇ ଭୟରେ ଶିହରି ଉଠିଲେ ରାଜମାତା କୁନ୍ତୀ.......


(ଏଠାରେ ଉଲ୍ଲିଖିତ "ଗୋଲକ ନନ୍ଦନ" ଉପାଖ୍ୟାନଟି ଶାରଳା ମହାଭାରତରେ ବର୍ଣ୍ଣିତ।ମୂଳ ମହାଭାରତରେ ଏହାର ଉଲ୍ଲେଖ ନାହିଁ)

******


ପାଞ୍ଚ ପୁତ୍ର ଧରି କୁନ୍ତୀ ଯେବେ ଫେରି ଆସିଲେ ରାଜନବରେ,

ସବୁ ନୂଆ ନୂଆ ଲାଗୁଥିଲା ତାଙ୍କୁ ଅନେକ ବର୍ଷ ଅନ୍ତରେ।

ସମୟ ସୁଅରେ ଭାସି,ଭାସି କେତେଦୂର ଯାଇଥିଲେ ଚାଲି,

ରାଜପ୍ରାସାଦରେ ଲାଗିଲା ଜୀବନ ସବୁ ନିସ୍ୱ ସବୁ ଖାଲି।


ଦିନେ ଏହି ପୁରେ ଦେଉଥିଲେ ଶତ ଦାସ ଦାସୀଙ୍କୁ ନିର୍ଦ୍ଦେଶ,

ଆଜି ତାଙ୍କପାଶେ କ୍ଷଣେ ବସିବାକୁ ନାହିଁ କାର ଅବକାଶ।

ଏହି ରାଜପୁରେ ରାଣୀ ହୋଇ ଦିନେ ଉଜ୍ଜ୍ବଳ ହୀରା ସମାନ,

ଜଳି ଉଠୁଥିଲା ତାଙ୍କ ଭାଗ୍ୟ,କିନ୍ତୁ ଆଜି କପର୍ଦ୍ଦକ ଶୂନ୍ୟ।


ଭଣ୍ଡାର ଘରୁ ସେ ଦାନ ଦେଉଥିଲେ ଦିନେ ଲକ୍ଷ ହୀରା,ମୋତି,

ଆଜି କିନ୍ତୁ ନିଜ ପୋଷଣ ପାଇଁ ସେ ହାତ ପାତି ବସିଛନ୍ତି।

ଦେହେ ଶୂଭ୍ରବାସ,ଅଳଙ୍କାର ନ୍ୟାସ ନାହିଁ ତ ଅବୟବରେ,

ତପସ୍ବୀ ସନ୍ତାନ ସମ ପୁତ୍ରଗଣ ଅଛନ୍ତି ରାଜନବରେ।


ଧୃତରାଷ୍ଟ୍ରଙ୍କର ଶତପୁତ୍ର ପଣ୍ଡୁପୁତ୍ରେ କରନ୍ତି ତାତ୍ସଲ୍ୟ,

ବୋଲନ୍ତି "ଆସିଛ ବନପ୍ରାନ୍ତୁ ,ଦେଖାଯାଉଛ ବାନର ତୁଲ୍ୟ।"

ଜ୍ୟେଷ୍ଠ ହେଲେ ମଧ୍ୟ, ଯୁଧିଷ୍ଠିର ପାଏନାହିଁ ଜ୍ୟେଷ୍ଠର ସମ୍ମାନ,

ଭୀମକୁ ସର୍ବଦା ଦୁର୍ଯ୍ୟୋଧନ ଦିଏ ଜାଣିଶୁଣି ଅପମାନ।


"ଧର୍ମଙ୍କ ନନ୍ଦନ ଆସ" ବୋଲି ସମ୍ବୋଧନ କରେ ଯୁଧିଷ୍ଠିରେ,

"କାହିଁ ଗଲ ଆହେ ପବନ ନନ୍ଦନ"ବୋଲି ଭୀମଙ୍କୁ ହକାରେ।

"ଇନ୍ଦ୍ରଙ୍କ କୁମର ବଡ ଧନୁର୍ଦ୍ଧର" ବୋଲି କହେ ଅର୍ଜୁନଙ୍କୁ,

"ସ୍ବର୍ଗ ବୈଦ୍ୟସୁତ,ଆସହେ ତୁରନ୍ତ "ଡାକେ ମାଦ୍ରୀ ତନୟଙ୍କୁ।


ସମସ୍ତ ତାଚ୍ଛଲ୍ୟ ସହ୍ୟ କରୁଥିଲେ ଯୁଦ୍ଧିଷ୍ଠିର ଧୀରମଣି,

ପ୍ରବଳ ଆକ୍ରୋଶେ ଭୀମ ମହାବଳୀ ହେଉଥିଲେ ଶିର ଝୁଣି।

ସୁଯୋଗ ପାଇଲେ କୌରବ ଭାଇଙ୍କୁ କରୁଥିଲେ ହନ୍ତସନ୍ତ,

ମର୍କଟ ପରି କା ଗୋଡକୁ ଟେକନ୍ତି,ତଳେ ଝୁଲୁଥାଏ ହାତ।


କାହାକୁ ଉଠାଇ,ବୃକ୍ଷପରେ ନେଇ ବସାଇ ଯାଆନ୍ତି ଚାଲି,

ବାଲ୍ୟକ୍ରୀଡା ଛଳେ କାହା ବସ୍ତ୍ରଖୋଲି ପୁରାଇ ଦିଅନ୍ତି ବାଲି।

ସନ୍ତରଣପଟୁ ଥିଲେ ଭୀମସେନ,ସ୍ନାନବେଳେ ଗଙ୍ଗାଜଳେ,

ଜାଣିଶୁଣି କୁରୁ ଭ୍ରାତା ମାନଙ୍କୁ ସେ ଜଳରେ ବୁଡାଉଥିଲେ।


ଜଳମଧ୍ୟେ ଅଣନିଶ୍ବାସୀ କରାଇ ତତ୍ପରେ ଦିଅନ୍ତି ଛାଡି,

ପ୍ରାଣ ବିକଳରେ କୌରବ କୁମାରେ ଯାଆନ୍ତି ଦୂରେ ଦଉଡି।

ବୃକ୍ଷରେ ଚଢାଇ,ନିଜେ ତଳେରହି,ବୃକ୍ଷକୁ ମାରନ୍ତି ଲାତ,

ସେ ଲାତ ପ୍ରଭାବେ ପକ୍ବଫଳପରି ଝଡୁଥାନ୍ତି କୁରୁପୁତ୍ର।


"ପବନ ନନ୍ଦନ"ବୋଲି କେ ଡାକିଲେ ଭୀମ ବୋଲୁଥାନ୍ତି ଧୀରେ,

"ଗୋଲକ" ନନ୍ଦନ ଅର୍ଥ କିସ ଯାଇ ପଚାର ମାତାଙ୍କୁ ଥରେ।"

ଦୁର୍ଯ୍ୟୋଧନକୁ ସେ ଦେଖିଲେ ବୋଲନ୍ତି"ଅହୋ ଅନ୍ଧର କୁମରେ !

ଭାବିଛ କି ମନେ ନିର୍ଦ୍ବନ୍ଦେ ବସିବ ହସ୍ତିନା ସିଂହାସନରେ?


ଆମ୍ଭେ ପଣ୍ଡୁଙ୍କର ପୁତ୍ର, ବିଧିମତେ ଅଟଇ ରାଜ୍ୟ ଆମ୍ଭର,

ଦୟା ପରବଶେ ପଣ୍ଡୁ ଦେଇଥିଲେ ଧୃତରାଷ୍ଟ୍ରେ ରାଜ୍ୟଭାର।"

ରାଜପୁତ୍ର ମଧ୍ୟେ ଦେଖି ଶତ୍ରୁଭାବ ଚିନ୍ତିତ ଗଙ୍ଗାନନ୍ଦନ,

ପ୍ରତି ମୁହୂର୍ତ୍ତରେ ପ୍ରଳୟ ଆଶଂକା ବିଚଳିତ କରେ ମନ।


କରୁଥିଲେ ସଦା ପ୍ରୟାସ ସେ ଦୁର୍ଯ୍ୟୋଧନକୁ ନିବୃତ୍ତି ପାଇଁ,

ଈର୍ଷାଗୁଣ ଯାର ଜନ୍ମଗତ ତାକୁ ପାରିବ କିଏ ବୁଝାଇ?

କୁରୁବଂଶ ସଂସ୍କାରର ଚିହ୍ନବର୍ଣ୍ଣ ନଥିଲା ତା ବ୍ୟବହାରେ,

କୁଟିଳ ଶକୁନି ମାତୁଳ ନିର୍ଦ୍ଦେଶେ ରହୁଥିଲା ନିରନ୍ତରେ।


ଦୁର୍ଯ୍ୟୋଧନ ଭାବୁଥିଲା 'ଧର୍ମପୁତ୍ର ଜ୍ୟେଷ୍ଠତା ପ୍ରମାଣ କରି,

କୁରୁ ସିଂହାସନ କରି ଆରୋହଣ ହରିନେବ ରାଜଶିରୀ।

ଦାଣ୍ଡର ଭିକାରି ହେବେ କୁରୁପୁତ୍ରେ,ଅବା ସେବିବେ ପାଣ୍ଡବେ,

ଏମନ୍ତ ଅବସ୍ଥା ଭୋଗିବାରୁ ଶ୍ରେୟ ଆତ୍ମହତ୍ୟା ଏହି ଭବେ।'


କୁରୁପୁତ୍ର ସଙ୍ଗେ ଗୁରୁପୁତ୍ର ମିଶି ଆରମ୍ଭିଲେ ଖଳଚିନ୍ତା,

ଷଡଯନ୍ତ୍ର କରୁଥିଲେ କରିବାକୁ ପଞ୍ଚପାଣ୍ଡବଙ୍କୁ ହତ୍ୟା।

ଅଗ୍ନିସଙ୍ଗେ ଘୃତ ସମ ତାଙ୍କ ସଙ୍ଗେ ଦୁଃଶାସନ ଗଲା ମିଶି,

ପ୍ରଥମେ ଭୀମଙ୍କୁ ହତ୍ୟା କରିବାକୁ ଯୋଜନା ପାଞ୍ଚିଲେ ବସି।


ସହଜେ ତ ଥିଲେ ଦ୍ବିତୀୟ ପାଣ୍ଡବ ସ୍ବାଦିଷ୍ଟ ଭୋଜନ ପ୍ରିୟ,

ବଡ ଆଗ୍ରହରେ ଦିନେ ଦୁର୍ଯ୍ୟୋଧନ ନେଲା ତାଙ୍କୁ ସ୍ବଆଳୟ।

ସୁମିଷ୍ଟ ଲଡୁରେ ବିଷକୁ ମିଶାଇ ଭୁଞ୍ଜାଇ ଦେଲେ ଆକଣ୍ଠ

ବିଷର ପ୍ରଭାବେ ଅଚେତ ହୁଅନ୍ତେ ବାନ୍ଧିଦେଲେ ହସ୍ତପଦ।


ଭୀମଦେହେ ବାନ୍ଧି ରଜ୍ଜୁରେ ପ୍ରସ୍ତର ନେଲେ ତାଙ୍କୁ ସନ୍ତର୍ପଣେ,

ଗଙ୍ଗାର ଅଥଳ ଜଳେ ଫିଙ୍ଗିଦେଲେ ଜଳଯନ୍ତୁଙ୍କ ଭକ୍ଷଣେ।

ସେ ଗଣ୍ଡରେ ଥିଲେ ବିଷପୂର୍ଣ୍ଣ ସର୍ପ,ଭୀମଙ୍କୁ କଲେ ଦଂଶନ,

ସେ ବିଷ ପ୍ରଭାବେ ଶରୀରର ବିଷ ତକ୍ଷଣେ ହୋଇଲା କ୍ଷୀଣ।


ଚେତନା ଲଭିଲେ ଭୀମ ମହାବଳୀ ଛିଣ୍ଡାଇଲେ ରଜ୍ଜୁ ହେଳେ,

ହସ୍ତି ଜଳମଧ୍ୟୁ ବାହାରିଲା ପରି ଉଠିଲେ ସେ ଗଙ୍ଗାକୂଳେ।

ବିଷର ପ୍ରଭାବେ ଶରୀର ତାଙ୍କର ହେଲା ମହା ବଳଶାଳୀ,

ଶତ ହସ୍ତି ବଳ ଲଭିଲେ ଶରୀରେ, ପ୍ରଳୟର ବାୟୁ ଭଳି।


ସେହି ଷଡଯନ୍ତ୍ର ପରେ କୁନ୍ତୀଙ୍କର ମନେ ହେଲା ମହା ଭୟ,

ବିଚାରିଲେ'ବିଷଧର ସର୍ପ ଗୁମ୍ଫା ସମାନ ରାଜ ନିଳୟ।

କିପରି ବଞ୍ଚିବେ ସନ୍ତାନେ ନିର୍ବିଘ୍ନେ ଭାଳି କୁନ୍ତଭୋଜ ପୁତ୍ରୀ,

ସତତ ଏକତ୍ର ରହିବା ନିମନ୍ତେ ପୁତ୍ରେ ପ୍ରବର୍ତ୍ତାଉଥାନ୍ତି।


ଏକତା ଆଗରେ ସାଗର ଘୁଞ୍ଚିବ ହିମାଳୟ ଯିବ ନଇଁ,

ସମସ୍ତ ବିପଦ ଦୂରହେବ, ଯେବେ ଏକ ହେବେ ପାଞ୍ଚଭାଇ।

ସେହିଦିନଠାରୁ ପାଣ୍ଡବେ କରିଲେ ପଣ ଜୀବନେ ତାଙ୍କର,

ଏକମନ,ଏକ ଆତ୍ମା ହୋଇ କଥା ମାନୁଥିବେ ମାତାଙ୍କର।


ଭୀଷ୍ମ ସମ ପଣ ନେଲେ ସେହିଦିନୁ ପାଣ୍ଡବ କୁଳ ନନ୍ଦନେ

ମାତା ଥରେ ଯାହା ଉଚ୍ଚାରିବେ ତାହା ସଦା ପାଳିବେ ଜୀବନେ। 

ମାତାଙ୍କ ମୁଖରୁ ନିସ୍ରୁତ ବାଣୀକୁ ଅନ୍ୟଥା କରିବ ଯେହୁ,

ମାତା,ଭ୍ରାତା ଠାରୁ ହୋଇ ବହିଷ୍କୃତ ନିର୍ବାସିତ ହେବ ସେହୁ।

ପାଞ୍ଚଟି ଶରୀର ମଧ୍ୟେ ଏକ ଆତ୍ମା ସମ ରହିଲେ ପାଣ୍ଡବେ,

ଈର୍ଷା,ଦ୍ବେଷ ଭାବ ପରସ୍ପର ମଧ୍ୟେ ନଥିଲା ତାଙ୍କର ଲବେ।


*ଗୁରୁପୁତ୍ର----ଅଶ୍ୱତ୍ଥାମା

କ୍ରମଶଃ............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics