ବହ୍ନିକନ୍ୟା (୧୦)
ବହ୍ନିକନ୍ୟା (୧୦)
ସନାତନ ଆର୍ଯ୍ୟଧର୍ମ ଓ ସଂସ୍କୃତିର ଶତ୍ରୁ କେବଳ ଆମ ସମୟରେ ନୁହେଁ,ଅତୀତରୁ କାଳ କାଳ ଧରି ରହିଛନ୍ତି।ଆର୍ଯ୍ୟ ସଂସ୍କୃତି ଠାରୁ ନିଜକୁ ଦୂରରେ ରଖିଥିବା କଂସ,ଜରାସନ୍ଧ,ଶିଶୁପାଳଙ୍କ ଭଳି କିଛି ଗୋଠଖଣ୍ଡିଆ ଶାସକ ହୁଅନ୍ତୁ ଅଥବା ଘରର ମୁରବି ମାନଙ୍କ କଥାକୁ ଅବଜ୍ଞା କରି ଉଚ୍ଛୃଙ୍ଖଳ ହେଉଥିବା,ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ରାଜପୁତ୍ର ହୁଅନ୍ତୁ, ଏ ସମସ୍ତେ ଆର୍ଯ୍ୟ ସନାତନ ଧର୍ମର ପରମ ଶତ୍ରୁ ଥିଲେ ଏବଂ ଶ୍ରୀକୃଷ୍ଣଙ୍କର ଅଭିଯାନ ଏହି ମାନଙ୍କର ବିରୁଦ୍ଧରେ ଥିଲା।ତେବେ ଏଠାରେ ପ୍ରଶ୍ନ ଉଠେ 'ଧର୍ମ' କଣ ଏବଂ ଉପରୋକ୍ତ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପକୁ କାହିଁକି 'ଅଧର୍ମ' ଭାବେ ଧରାଯିବ ?
ଧର୍ମର ସଂଜ୍ଞାକୁ ଗୋଟିଏ ଶବ୍ଦରେ ପ୍ରକାଶ କରିହେବ।ସେ ଶବ୍ଦଟି ହେଉଛି "କର୍ତ୍ତବ୍ୟ"।ପରିବାର ଭିତରେ ସ୍ବାମୀ, ସ୍ତ୍ରୀ, ପିତା,ମାତା,ପୁତ୍ର,କନ୍ୟା ହୁଅନ୍ତୁ ବା ସାମାଜିକ ଜୀବନରେ ଗୁରୁ,ଶାସକ,ଚିକିତ୍ସକ,ବ୍ୟବସାୟୀ,କୃଷକ,ରାଜକର୍ମଚାରୀ ହୁଅନ୍ତୁ ,ସମସ୍ତେ ଯେବେ ନିଜ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରିବେ ତାହେଲେ ସେମାନେ 'ଧର୍ମ' ପାଳନ କରୁଛନ୍ତି ବୋଲି କୁହାଯିବ।ସେ ଦୃଷ୍ଟିରୁ କଂସ, ଜରାସନ୍ଧ , ଶିଶୁପାଳ, ଦୁର୍ଯ୍ୟୋଧନ ଆଦି ବ୍ୟକ୍ତିଗଣ 'ରାଜଧର୍ମ' ପାଳନ କରୁନଥିଲେ।ପ୍ରଜା ପ୍ରପୀଡନ,ରାଜ୍ୟ ଅପହରଣ,ପରଧନ ଅପହରଣ, ନାରୀ ନିର୍ଯାତନା,ଆର୍ଯ୍ୟ ସଂସ୍କୃତି ପ୍ରତି ଅବଜ୍ଞା/ଅବମାନନା ଭଳି ଅନେକ ଅଧର୍ମ କର୍ମରେ ଲିପ୍ତ ଥିଲେ ସେମାନେ।ରାଜଧର୍ମ-ସ୍ଖଳନର ପରିଣାମ ସିଧାସଳଖ ପ୍ରଜାମାନଙ୍କ ଉପରେ ପଡୁଥିଲା। ଏହି ଅଧର୍ମ ଶକ୍ତି ବିରୁଦ୍ଧରେ ଶ୍ରୀକୃଷ୍ଣ ଅସ୍ତ୍ର ଉତ୍ତୋଳନ କରିଥିଲେ।
ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କରି, ସନାତନ ଧର୍ମ ରକ୍ଷାକାରୀ ଶ୍ରୀକୃଷ୍ଣଙ୍କୁ ବିନାଶ କରିବାକୁ ଚାହୁଁଥିଲା। ସେଥିପାଇଁ ସେ ସତର ଥର ମଥୁରା ଆକ୍ରମଣ କରି ତାକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା।ଜରାସନ୍ଧ କ୍ରୋଧରୁ ମଥୁରାକୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ସମୁଦ୍ର ମଧ୍ୟରେ ଦ୍ଵାରକା ଗଡ଼ ନିର୍ମାଣ କରି ,ଯାଦବ ମାନଙ୍କୁ ସେଠାରେ ବିସ୍ଥାପିତ କଲେ। ତଥାପି ଜରାସନ୍ଧ ସ୍ଥିର ହୋଇ ରହିଲା ନାହିଁ। ଆର୍ଯ୍ୟାବର୍ତ୍ତ ବାହାରେ, ପଶ୍ଚିମ ଦିଗରେ ଥିବା ବହିର୍ଶତ୍ରୁ କାଳଯବନକୁ ନିମନ୍ତ୍ରଣ କରି ଆଣିଲା। ପଶ୍ଚିମ ଦିଗରୁ କାଳଯବନ ଏବଂ ପୂର୍ବ ଦିଗରୁ ଜରାସନ୍ଧର ବିଶାଳ ବାହିନୀ ମାଡି ଆସିଲେ ଦ୍ବାରକା ଆକ୍ରମଣ ପାଇଁ।
ଧୂର୍ତ୍ତ କାଳଯବନକୁ ଶ୍ରୀକୃଷ୍ଣ କୌଶଳରେ ବିନାଶ କରିବାକୁ ଚାହୁଁ ଥିଲେ।ସେ ସମୟରେ ପର୍ବତ ଗୁହା ଭିତରେ, ମୁଚୁକୁନ୍ଦ ନାମକ ଜଣେ ତ୍ରେତୟା ଯୁଗର ରାଜା ,ଦେବତା ମାନଙ୍କ ପକ୍ଷରେ ରହି, ବହୁକାଳ ରଣ କରିବା ଜନୀତ କ୍ଳାନ୍ତି ଦୂର କରିବା ପାଇଁ ଶୟନରତ ଥାଆନ୍ତି।ଇନ୍ଦ୍ରଙ୍କ ଠାରୁ ସେ ବର ପ୍ରାପ୍ତ ହୋଇଥିଲେ; ଯେ ତାଙ୍କର ନିଦ୍ରା ଭଙ୍ଗ କରିବ ସେ ତାଙ୍କ ଚକ୍ଷୁରୁ ନିର୍ଗତ ଅଗ୍ନିରେ ଭସ୍ମୀଭୂତ ହୋଇଯିବ। ଶ୍ରୀକୃଷ୍ଣ ଏହି ପରିସ୍ଥିତି ର ସଦୁପଯୋଗ କଲେ।
==================================
ପାଇ ଅପମାନ ମଗଧ ରାଜନ ପଳାୟନ କଲା ଖରେ,
ସେହି ଦିନଠାରୁ ପ୍ରତିଶୋଧ ଦାବାନଳ ଜଳେ ତା ଅନ୍ତରେ।
ତା'ପରେ ସତରବାର ଆକ୍ରମଣ କରିଛି ମଥୁରାଖଣ୍ଡ,
ଜୀବନରେ ତାର ଏକମାତ୍ର ଲକ୍ଷ ରାମକୃଷ୍ଣଙ୍କର ମୁଣ୍ଡ।
ଥରେ ମଗଧେଶ ସିନ୍ଧୁନଦୀ ସେପାରିରୁ କାଳଯବନକୁ,
ନିମନ୍ତ୍ରି ଆଣିଲା ପଶ୍ଚିମ ଦିଗରୁ ମଥୁରା ଆକ୍ରମିବାକୁ।
ନିଜେ ଆକ୍ରମଣ କଲା ମଗଧେଶ ପୂର୍ବଦିଗରୁ ମଥୁରା,
ଦୁଇ ରାକ୍ଷସଙ୍କ ଯୁଗ୍ମ ଆକ୍ରମଣେ ଥର ଥର ହେଲା ଧରା।
ସେ ସମୟେ କୃଷ୍ଣବାସୁଦେବ ଗଢି ଦ୍ବାରକା ସିନ୍ଧୁ ମଧ୍ୟରେ,
ମଥୁରା ବାସୀଙ୍କୁ ବିସ୍ଥାପିଲେ ଶତ୍ରୁ ଆକ୍ରମଣ ଠାରୁ ଦୂରେ।
ରଣକ୍ଷେତ୍ର ଛାଡି କାଳ ଯବନକୁ ପଛେ ପଛେ ଦଉଡାଇ,
ମୁଚୁକୁନ୍ଦ ଚକ୍ଷୁ ଅଗ୍ନିରେ ଦହିଲେ ଦୈତ୍ୟକୁ ଦ୍ବାରକା ସାଇଁ।
ତ୍ରେତୟା ଯୁଗରେ ଇକ୍ଷାକୁ ବଂଶରେ ରାଜା ଥିଲେ ମୁଚୁକୁନ୍ଦ,
ଦେବ-ଦାନବଙ୍କ ସମରେ ତାହାଙ୍କୁ ସେନାପତି କଲେ ଇନ୍ଦ୍ର।
କାଳ କାଳ ଧରି ଲାଗିଲା ସମର, ଅନ୍ତେ ଦେବେ ହେଲେ ଜୟୀ,
ମହାଶ୍ରାନ୍ତ ମୁଚୁକୁନ୍ଦ ଇଚ୍ଛାକଲେ କିଛି ଦୀର୍ଘ ନିଦ୍ରା ପାଇଁ।
ଇନ୍ଦ୍ରଙ୍କ ବରରେ ଗୁମ୍ଫାର ମଧ୍ୟରେ ଶୋଇଗଲେ ନର ସାଇଁ,
ପାଇଥିଲେ ବର,ନିଦ୍ରା ଭଙ୍ଗକାରୀ କ୍ଷଣେ ଯିବ ଭସ୍ମହୋଇ।
ଗୁମ୍ଫା ଭିତରକୁ ଶ୍ରୀବାସୁଦେବଙ୍କୁ ପ୍ରବେଶ କରିବା ଜାଣି,
କାଳଯବନର କ୍ରୋଧ ବଢିଗଲା,ରାଗେ ହେଲା ଶୀର ଝୁଣି।
ଗୁମ୍ଫାରେ ଅଣ୍ଡାଳି,କୃଷ୍ଣ ବୋଲି ଭାଳି,ଗୋଇଠାମାରେ ରାଗରେ,
ମୁଚୁକୁନ୍ଦ ଦେହେ ଲାଗନ୍ତେଗୋଇଠା ଚାହିଁଦେଲେସେ କ୍ରୋଧରେ
ତତକ୍ଷଣେ ଜଳି ଧ୍ବଂସ ପାଇଗଲା କାଳଯବନ ସେ ସ୍ଥାନେ,
ମୁଚୁକୁନ୍ଦ ଦେଖି କୃଷ୍ଣଙ୍କୁ ସେଠାବେ, ପୂଜାକଲେ ଭକ୍ତିମନେ।
ରାଜା ନିଧନରେ ପଥଭ୍ରଷ୍ଟ ହୋଇ କାଳଯବନର ସୈନ୍ୟ,
ମରୁଭୂମି ମଧ୍ୟେ ମରି ହଜି ଗଲେ,ନରହିଲା ଚିହ୍ନବର୍ଣ୍ଣ।
ଏଣେ ମଥୁରାକୁ ଦେଖି ଜନଶୂନ୍ୟ,ନିରାଶାରେ ଜରାସନ୍ଧ,
ଶୂନ୍ୟ ମଥୁରାକୁ ଜାଳିପୋଡି ଭସ୍ମ କଲା ରାଗେ ହୋଇ ଅନ୍ଧ।
ଦ୍ବାରକା କେଶରୀ ହସୁଥିଲେ ଦେଖି ଜରାସନ୍ଧର ନର୍ତ୍ତନ,
କ୍ଷୁଧାଜ୍ବାଳା ଘେନି ଶୂନ୍ୟପାତ୍ର କାମୁଡଇ ମଗଧ ରାଜନ।
କୃଷ୍ଣବାସୁଦେବ ବହିଥାନ୍ତି ସିନା "ରଣଛଡା"ବୋଲି ନାମ,
ଶକ୍ତିରେ ଯେଉଁଠି କାର୍ଯ୍ୟ ଅସମ୍ଭବ,ବୁଦ୍ଧିରେ କରନ୍ତି କାମ।
ସଦା ଚକ୍ରହସ୍ତ,ମସ୍ତକେ ଚକ୍ରାନ୍ତ ଚାଲିଥାଏ ଧର୍ମ ଅର୍ଥେ,
ସେଥିପାଇଁ ଚକ୍ରୀ ନାମେ ତ୍ରିଭୁବନେ ଡାକନ୍ତି ତାଙ୍କୁ ସମସ୍ତେ।
ସବୁ ରଣ ଜିଣି ରଣଛଡା ନାମ ବହିଛନ୍ତି ନଟବର,
କୃଷ୍ଣଠାରୁ ସବୁ ରଣ ହାରି ଜରା ବୋଲାଉଛି ମହାବୀର।
ଯାହାର ଦୟାରୁ ବଞ୍ଚିଛି ପାଷଣ୍ଡ ଡେଉଁଛି ଦେଖି ତା ଛାଇ,
ଗଉଡ,ଭାଉଡ,ଚୋର,ପଳାତକ ଡାକେ କେତେ ନାମ କହି।
"ଏପରି ପାମର ଘରେ ମୋର ବର ବାଛିବେ ଯେବେ ଜନକ,
ଯେଉଁ ଅଗ୍ନିରୁ ମୁଁ ଆସିଛି ତହିଁରେ ଝାସ ଦେଲେ ନାହିଁ ଦୁଃଖ"।
ଏମନ୍ତ ବିଚାରି,ଦ୍ରୌପଦୀ ସୁନ୍ଦରୀ ପିତା ସମୀପେ ଚଳିଲେ,
ସେ ସମୟେ ଯାଜ୍ଞସେନ ମନ୍ଦିରରୁ ପୂଜା ସାରି ଫେରୁଥିଲେ।
କ୍ରମଶଃ ...