ଭଙ୍ଗା ଖେଳନା
ଭଙ୍ଗା ଖେଳନା
ଦୁଃଖ ଯନ୍ତ୍ରଣାରେ ଭରା ଏ ଦୁନିଆ,
ସୁଖ ସମୃଦ୍ଧିର କଳ୍ପନା ଖୋଜୁଛି,
ଅଳିଆ ଗଦାରେ ଖାଇବାକୁ କିଛି,
ଖେଳିବାକୁ ଭଙ୍ଗା ଖେଳନା ଖୋଜୁଛି ।
ବାପା ମା’ଙ୍କ ପାଇଁ, ବୃଦ୍ଧାଶ୍ରମ ଖୋଲି,
ପୂଣ୍ୟ କରୁଥିବା ଖବର ମିଳୁଛି,
ନିଜ ଘରେ କିଏ ଦେଇଛି ଆଶ୍ରୟ,
ଏମିତି ବି କିଛି, ସୂଚନା ଖୋଜୁଛି ।
ଭାରତୀୟ ହେବା, ଗର୍ବର ବିଷୟ,
ଓଡ଼ିଆ ତ ମୋର, ଅଟେ ପରିଚୟ,
କେବଳ ମାନବ ହୋଇ ବଞ୍ଚି ହେବ,
ଏମିତି ବି କିଛି ରଚନା ଖୋଜୁଛି ।
ମଣିଷକୁ ମାରି ପାରୁଛି ମଣିଷ,
ବୁଝି ପାରିବାରେ ଅଟେ ମୁଁ ଅକ୍ଷମ,
କବିଙ୍କ ଭାଗ୍ୟରେ ସୁଖ ନାହିଁ ବେଶି,
କାନ୍ଦିବାକୁ ଟିକେ ବାହାନା ଖୋଜୁଛି ।