ଭଲପାଅ ଅହିଂସାକୁ
ଭଲପାଅ ଅହିଂସାକୁ
ଦ୍ବାପର ଯୁଗରେ ହରି
କୃଷ୍ଣ ରୂପେ ଅବତରି
ପାଣ୍ଡବଙ୍କ ବନ୍ଧୁ ରୂପେ ଉଭା ହୋଇଲେ,
ମଧ୍ୟମ ପାଣ୍ଡବ ଭୀମ
ସଙ୍ଗେ ଧରି ନରହରି
ଏକ ବିଶେଷ କାମରେ ବାହାରିଗଲେ ||
ଏକ ସଙ୍ଗେ ଦୁଇଜଣ
କରି କଥୋପ କଥନ
ଯାଉଥା'ନ୍ତି ବୃକୋଦର କୃଷ୍ଣ ସହିତ,
କଥୋପକଥନ ବେଳେ
ମଧ୍ୟମ ପାଣ୍ଡବ ଜାଣ
ଟିକିଏ କଥାରେ ହେଉଥା'ନ୍ତି କ୍ରୋଧିତ|
ଏହାଦେଖି କୃଷ୍ଣଚନ୍ଦ୍ର
ବୁଝାଇ କହିଲେ ତାଙ୍କୁ
ଷଡରିପୁ ମଧ୍ୟେ କ୍ରୋଧ ଅନିଷ୍ଟକାରୀ,
ହୋଇଗଲେ ଉତ୍ତେଜିତ
କରେ କ୍ରୋଧ ପରାହତ
ଭୟଙ୍କର କଷ୍ଟଦିଏ ଦୁର୍ବଳ କରି||
ହିତାହିତ ଜ୍ଞାନଶୂନ୍ୟ
କରିଦିଏ କ୍ରୋଧ ଜାଣ
ଅଜ୍ଞାନରେ କରିବସେ ନାନା କୁକର୍ମ ,
କିଛି ସହିପାରେନାହିଁ
ହିଂସା ମନେ ଉଦ୍ରେକଇ
ହଂସାତ୍ମକ ଆଚରଣେ କରେ ଅଧର୍ମ ||
ବାହୁବଳ ଅହଂକାରେ
ଏ କଥାକୁ ହେୟ ଜ୍ଞାନ
କରି ଭୀମ ଭାବିନେଲେ ଗୁରୁତ୍ବହୀନ,
ମାର୍ଗରେ ଘୋର ଅରଣ୍ୟ
ମଧ୍ୟେ ହେଲା ସାୟନ୍ତନ
ବେଳ ହେଲା ବିଶ୍ରାମର କରି ଶୟନ||
ହିଂସ୍ରଜନ୍ତୁ ପରିପୂର୍ଣ୍ଣ
ଅଗନା ଅଗନି ବନ
ତା'ର ମଧ୍ୟେ ଅନ୍ଧକାର ଭିତ୍ତି ସଂଚରେ,
ଦୁଇଜଣ ଏକ ସଙ୍ଗେ
ଶୋଇଗଲେ ହିଂସ୍ରଜନ୍ତୁ
ଆକ୍ରମଣ ଡର ଆସେ ମନ ଭିତରେ||
ତେଣୁ ଦୁହେଁ କଲେ ସ୍ଥିର
ନିଦ୍ରାଯିବେ ପାଳିକରି
ଜଣେ ଶୋଇଲେ ଆରେକ ଜଗିବ ତାଙ୍କୁ,
ଏହାପରେ ଚକ୍ରଧାରୀ
ନିଦ୍ରାଗଲେ ଜାଣ ଭଲେ
ଗଦାଧରି ବୃକୋଦର ଜଗିଲେ ତାଙ୍କୁ||
କ୍ରୋଧ ହୋଇଲା ପ୍ରକଟ
ନାନା କଥାମାନ କହି
ଭୀମଙ୍କୁ କ୍ରୋଧିତ କଲା ନାନା ପ୍ରକାରେ,
ତାଙ୍କ କ୍ରୋଧ ଯେତେ ବଢେ
କ୍ରୋଧର ସ୍ବରୂପ ଜାଣ
ଲାଗିଥାଏ ସେତେ ସେତେ ବଡ ହେବାରେ||
ଭୀମାକୃତିଠାରୁ ବଡ
ହୋଇଗଲା କ୍ରମେ କ୍ରୋଧ
ସମ୍ମୁଖ ଯୁଦ୍ଧ ନିମନ୍ତେ ଦେଲା ଆହ୍ବାନ,
ଦୁହିଁଙ୍କର ମଲ୍ଲଯୁଦ୍ଧେ
ଭୀମ ହେଲେ ବ୍ୟତିବ୍ୟସ୍ତ
ଭୟଙ୍କର ଥିଲା କ୍ରୋଧର ଆକ୍ରମଣ||
ପରାଜୟ ଦ୍ବାର ଦେଶେ
ପହଞ୍ଚିଲେ ଭୀମସେନ
ସୌଭାଗ୍ୟକୁ କୃଷ୍ଣଙ୍କର ନିଦ ଭାଙ୍ଗିଲା,
କୃଷ୍ଣଙ୍କୁ ଉଠିବା ଦେଖି
ନିମିଷକେ କେଉଁଆଡେ
ସ୍ଥାନଛାଡି କ୍ରୋଧ କେହ୍ନେ ପଳାଇଗଲା||
ଭୀମ ଶୋଇଗଲାପରେ
କ୍ରୋଧ ଆସି ପୁଣି ଥରେ
କୃଷ୍ଣଙ୍କୁ ରାଗିବାପରି କଥା କହିଲା,
ସେ କଥାକୁ ଲକ୍ଷ୍ମୀପତି
କଲେନାହିଁ କର୍ଣ୍ଣପାତ
ଉତ୍ତେଜକ କଥା କ୍ରୋଧ କହିଚାଲିଲା||
ଶାନ୍ତ ସ୍ବଭାବରେ କୃଷ୍ଣ
ଦେଇ ଚାଲିଲେ ଉତ୍ତର
ଶାନ୍ତଭାବେ ଉତ୍ତେଜକ କଥା ସବୁର,
ଶତଚେଷ୍ଟା କଲା କ୍ରୋଧ
ରାଗିଲେନି ଚକ୍ରଧାରୀ
ସବୁ ପ୍ରୟାସ ବିଫଳହେଲା ତାହାର||
ଅତ୍ୟଧିକ ଚେଷ୍ଟା ସତ୍ତ୍ବେ
କ୍ରୋଧିତ କରି ନପାରି
କ୍ରୋଧ ହେଲା ଦୁର୍ବଳରୁ ଦୁର୍ବଳତର,
ବଳହୀନ ହୋଇ କ୍ରମେ
କ୍ଷୁଦ୍ରରୁ କ୍ଷୁଦ୍ର ହୋଇଲା
ସବୁ ଚେଷ୍ଟାତକ ହେଲା ବିଫଳ ତା'ର ||
ଶାନ୍ତିବଳେ ବାସୁଦେବ
ପରାହତ କଲେ କ୍ରୋଧେ
ଅଙ୍ଗୁଳିର ପରି କ୍ଷୁଦ୍ର ହୋଇଲା କ୍ରୋଧ,
ନିଜ ଗାମୁଛାରେ ବାନ୍ଧି
ରଖିଦେଲେ ତାକୁ କୃଷ୍ଣ
ଶାନ୍ତିବଳେ ହୋଇଲା କ୍ରୋଧ କଣ୍ଠରୋଧ ||
କ୍ରମେ ନିଶି ପାହିଗଲା
ପୂରୁବେ ରବି ଉଇଁଲା
ରବିକରେ ଚତୁର୍ଦ୍ଦିଗ ହସିଉଠିଲା,
ବାସୁଦେବ ବୃକୋଦରେ
ପିଠିରେ ହାତ ଥାପୁଡି
କହିଲେ ଉଠହେ ଭୀମ ରାତି ପାହିଲା||
ନିଦରୁ ଉଠି କୁନ୍ତୀସୁତ
ଭଣିଲେ ସବୁ ବୃତ୍ତାନ୍ତ
ସବୁ ଶୁଣି ବାସୁଦେବ କହିଲେ ହସି,
“କହିଥିଲି ବୃକୋଦର
ମନେ ଥିବ ତ ତୁମର
ଶାନ୍ତି ଦ୍ବାରା କ୍ରୋଧକୁ ଯେ ହୁଅଇ ନାଶି ||
ଅହିଂସା ବଳରେ ହିଂସା
ଶାନ୍ତି ବଳରେ କ୍ରୋଧର
ମୁକାବିଲା କରିହୁଏ ଅତି ସହଜେ,
ରାତିସାରା ଯେଉଁ କ୍ରୋଧ
କରିଥିଲା ବ୍ୟତିବ୍ୟସ୍ତ
ଗାମୁଛାରେ ବନ୍ଧା ଦେଖ ଖୋଲିଣ ନିଜେ||”
ଭୀମ ହେଲେ ଆଚମ୍ବିତ
କାଲି ଯେ ଏତେ ପ୍ରକାଣ୍ଡ
ଅଙ୍ଗୁଳିର ସମ କ୍ଷୁଦ୍ର ହେଲା କିପରି,
କୃଷ୍ଣ କହିଲେ ବୁଝାଇ
ଶାନ୍ତି ସମ୍ମୁଖେ କ୍ରୋଧର
ହୋଇଥାଏ ପରାଜୟ ଜାଣ ଏପରି||
କ୍ରୋଧେ କରି ହୁଏନାହିଁ
ମୁକାବିଲା ତ କ୍ରୋଧର
ଶାନ୍ତିବଳେ ପାରିହୁଏ କ୍ରୋଧକୁ ଜିଣି,
କ୍ରୋଧ ଚଳୁ କରିଦିଏ
ବ୍ୟକ୍ତିର ଶକ୍ତି ସମସ୍ତ
ଦୁର୍ବଳୁ ଦୁର୍ବଳତର କରଇ ପୁଣି ||
ତେଣୁ ସର୍ବେ ଜାଣିରଖ
ମହାଭାରତର ଏହି
ଶ୍ରୀକୃଷ୍ଣ ମୁଖ ନିଃସୃତ ମହତ ବାଣୀ,
ଅଶାନ୍ତି ବିରୁଦ୍ଧେ ଶାନ୍ତି
ହିଂସା ବିରୁଦ୍ଧେଅହିଂସା
କ୍ରୋଧ ବିରୋଧରେ ଶାନ୍ତି ପାରଇ ଜିଣି||
ଶୁଣ ସର୍ବେ ମନଦେଇ
ଜିତି କେବେ ହୁଏ ନାହିଁ
ହିଂସାକୁ ହିଂସାର ଆଚରଣ ଦେଖାଇ,
ଶାନ୍ତି ଅହିଂସା ବଳରେ
ସତ୍ୟ ପଥେ ଲୟଥିଲେ
ହିଂସାକୁ ଅତି ସହଜେ ଜିଣି ହୁଅଇ||
ଭଲପାଅ ଅହିଂସାକୁ
ତେଜିଣ କାମ କ୍ରୋଧକୁ
ସତ୍ୟ ଶାନ୍ତି ଭ୍ରାତୃଭାବ ମନରେ ବହି,
ଷଡରିପୁଙ୍କ ଦମନ
କରିହୁଅ ଧୈର୍ଯ୍ୟବାନ
ହିଂସା ପଥ ପରିହାର କର ହେ ଭାଇ||