ଭକ୍ତି ନୈବେଦ୍ୟ
ଭକ୍ତି ନୈବେଦ୍ୟ
ଦୀପଟିଏ ମୋତେ କର ମହାପ୍ରଭୁ
ତୁମ ପାଦେ ଜଳୁଥିବି
ତୁମରି ଆଶିଷେ ଆଲୋକ ବିତରି
ଜଳି ଜଳି ଲିଭି ଯିବି।
ଚକା ନୟନକୁ ବସି ଦେଖୁଥିବି
ଆଖିରେ ମିଶାଇ ଆଖି
ନାଲି ଅଧରରୁ ଝରିଲେ ମୁକୁତା
ଆଞ୍ଜୁଳାରେ ନେବି ଟେକି।
ନାକେ ନାକଚଣା କପାଳରେ ଚିତା
ଶିରରେ ମୟୁର ଚୂଳ
ହୀରା ନୀଳ ମୋତି ରତ୍ନ ଆଭୂଷଣେ
ଦେହ ତୁମ ଝଲମଲ ।
ଚୁଆ ଚନ୍ଦନର ମହ ମହ ବାସେ
ମହକୁ ଥିବ ମନ୍ଦିର
ଅଭୟ ହାତରେ ଶଙ୍ଖ ଚକ୍ର ଦେଖି
ପାତକ ହୋଇବ ଦୂର ।
ତୁଳସୀ ଦୟଣା ମଲ୍ଲୀ ମାଳତୀ ରେ
ରୂପ ତୁମ ହସୁଥିବ
ସେହି ରୂପକାନ୍ତି ଦେଖି ଏ ନୟନ
ଧନ୍ୟ ଧନ୍ୟ ହୋଇଯିବ।
ଆୟୁଷ ର ରେଖା ମୋର ଭାଗ୍ୟ ଫଳ
ଅଟଇ ଯେ ତୁମ ଦାନ
କରମ କଷଣ ସବୁ ହେବ ଶେଷ
ତୁମ ପାଦେ ହୋଇ ଲୀନ।
