ଭକ୍ତ ପ୍ରହ୍ଲାଦ
ଭକ୍ତ ପ୍ରହ୍ଲାଦ
ହିରଣ୍ୟ କଷିପୁ ରାକ୍ଷସ
ତପସ୍ୟା କୁ ଚଳିଲା
ପତ୍ନୀ ତାର ଗର୍ଭ ବାସ ଯେ
ତାକୁ ଉପେକ୍ଷା କଲା l
ନାରଦ ମହର୍ଷି ପାଖରେ
ତାଙ୍କୁ ରଖିଲେ ନେଇ
ଗର୍ଭ ମଧ୍ୟେ ଥାଇ ପ୍ରହ୍ଲାଦ
ନାରାୟଣ ଶୁଣଇ l
ପ୍ରହ୍ଲାଦ ଜନ୍ମପରେ ପିତା
ତପସ୍ୟାରୁ ଫେରିଲେ
ଶିବଙ୍କୁ ସନ୍ତୁଷ୍ଟ କରିଣ
ଅମରଶ୍ରୀ ଆଣିଲେ ।
ଆହ୍ଲାଦିତ ହେଲା ଦ୍ବିଗୁଣ
ପୁତ୍ର ମୁଖ ଦର୍ଶନେ
ତୃପ୍ତ କରାଇଲେ ମିଷ୍ଟାନ୍ନ
ବସନ ଓ ଭୁଷଣେ l
ଶଶୀକଳା ପରି ପ୍ରହ୍ଲାଦ
ଦିନୁଦିନ ବଢିଲା
ପାଠ ପଢାଇବା ନିମିତ୍ତ
ରାକ୍ଷସ ଚିନ୍ତା କଲା ।
ଗୁରୁ ଗୃହେ ନେଇ ଛାଡିଣ
ଶାକ୍ତ ଧର୍ମେ ଦୀକ୍ଷିତ
କରିବା ପାଇଁ କି ଗୁରୁଙ୍କ
ପାର୍ଶ୍ଵରେ ନିବେଦିତ ।
ଗୁରୁ ଆଜ୍ଞା ଦେଲେ ପ୍ରହ୍ଲାଦେ
ଶିବ ଭଜନ କର
ହରି ହରି ବୋଲେ ବାଳକ
କିଂ କର୍ତ୍ତବ୍ୟ ବିମୁଢ଼ ।
ଅବାଧ୍ୟ ପୁତ୍ରକୁ ଦେଖିଣ
ପିତା କ୍ରୋଧିତ ହେଲେ
ମାଡ଼ ମାରି ହାତୀ ଚଢ଼ାଇ
ପର୍ବତୁ ଫୋପାଡ଼ିଲେ ।
ଅଗ୍ନିରେ ଜଳାଇ ମାରିବି
ପିଉସୀ ଚିନ୍ତାକଲା
ହରି ସେବକ କି ମରିବ
ପିଉଷି ଜଳିଗଲା ।
ସର୍ବ ବ୍ୟାପି ସେହି ଇଶ୍ୱର
ହେଲେ ସ୍ତମ୍ଭୁ ପ୍ରକଟ
ଅତି ଭୟ ପାଇ ରାକ୍ଷସ
ମାରୁଥିଲା ଚମ୍ପଟ ।
ବରେ ବଳିୟାନ ହୋଇଣ
ଧରା ସରା ମଣିଲା
ବିଷ୍ଣୁ କୋପ କି ସମ୍ଭାଳିବ
ଅଚିରେ ନାଶ ଗଲା l
ଯେତେ ବର ପ୍ରାପ୍ତି କରିଲା
ଅକାରଣ ରେ ଗଲା
ହରି ହାତେ ମରି ତ୍ରିକାଳ
ଯଶ ରଖିଣ ଗଲା ।
କ୍ରୋଧେ ଜର୍ଜରିତ ନୃସିଂହ
ଅନ୍ତ ନାଡ଼ ବେକରେ
ରକ୍ତ ଜର୍ଜରିତ ଶରୀର
ଦେଖି ପ୍ରହ୍ଲାଦ ଡରେ
ସାଷ୍ଟାଙ୍ଗ ପ୍ରଣାମ କରି ସେ
ପ୍ରଭୁ ଶାନ୍ତ କରାଇ
ହିରଣ୍ୟକାଶିପୁ କ୍ରୋଧ ରୁ
ବିଷ୍ଣୁ କୋପ ବଳଇ l
ଦୁଇ ଜଣଙ୍କର କୋପରୁ
ମୁକ୍ତି ପ୍ରହଲ୍ଲାଦ ହୋଇ
ତୋ ସାଥେ ମୋ ପିତା ପୂଜ୍ୟହେ
ବୋଲି ବର ମାଗଇ ।
