ଭକତ ବତ୍ସଳ ହରି
ଭକତ ବତ୍ସଳ ହରି
ଭକତଙ୍କୁ ଭଲପାଉ ବୋଲି ତୋର
ଭକତବତ୍ସଳ ନାମ
ଶକ୍ତିରେ ନୁହେଁରେ ଭକ୍ତିରେ ଡାକିଲେ
ପୂର୍ଣ୍ଣ କରୁ ମନସ୍କାମ I
ଭକ୍ତିରେ ଟିକିଏ ଦର୍ଶନ କରି ରେ
କୁବୁଜା ସୁନ୍ଦରୀ ହେଲା
ଚାଣୁର ମୁଷ୍ଠିକ ଶକ୍ତି ଦେଖାଇଲେ
ଯୁଦ୍ଧେ ତାଙ୍କ ପ୍ରାଣ ଗଲା I
ଭକ୍ତି କରୁଥିଲେ ଗୋପର ଲଳନା
ପାଇଗଲେ ତୋର ପ୍ରେମ
ଗୋପବାସୀଙ୍କର ପ୍ରିୟ ଥିଲା ଦିନେ
କୃଷ୍ଣ ବଳରାମ ନାମ I
କପଟ କରିଲା ପୁତନା ରାକ୍ଷାସୀ
କପଟରେ ଦେଲା ବିଷ
କ୍ଷୀରସଙ୍ଗେ ତା'ର ପ୍ରାଣ ଶୋଷିନେଲୁ
ଜୀବନ ହେଲା ତା' ନାଶ I
ଅଇଁଠା ଫଳକୁ ଖୋଇଲା ଶବରୀ
ଖାଇଲୁ ତୁ ମନଭରି
ଦରିଦ୍ର ସୁଦାମା ଖୁଦଭଜାରେ ତୋ
ପେଟ ଯାଇଥିଲା ପୁରି I
ମୁଁ ଛାର ଅଜ୍ଞାନୀ ଅକିଞ୍ଚନଟିଏ
ଜାଣିନି ଦୁନିଆ ରୀତି
ଭକ୍ତିଭାବ ଟିକେ ଦେବୁରେ କାଳିଆ
ତୋ ପାଦେ ରଖିବି ମତି I
