ଭକ୍ତ ବିଲ୍ୱମଙ୍ଗଳ
ଭକ୍ତ ବିଲ୍ୱମଙ୍ଗଳ
ସାଧୁଙ୍କ ବାକ୍ୟକୁ ହୃଦୟରେ ଗୁଣି
ଚଳିଲେ ବିଲ୍ୱମଙ୍ଗଳ
ଶ୍ରୀକୃଷ୍ଣ ଦର୍ଶନ ଲଭିବା ପାଇଁକି
ନୟନେ ଆଶାର ବଳ ।
ଭକ୍ତିପୁତ ମନେ ଏକ ଲୟ ଧ୍ୟାନେ
ପାଦ ଲଂଘେ ଗିରି ବନ
କାହିଁ ନ ମିଳନ୍ତି ଯଶୋଦା ନନ୍ଦନ
ତନୁ ଶକ୍ତି ହୁଏ କ୍ଷୀଣ ।
ସମ୍ମୁଖେ ନାଚିଲା ଶାନ୍ତ ଜଳ ଧାରା
ନଦୀ କୁଳୁକୁଳୁ ଶଦ୍ଦ
ତୃଷାର୍ତ୍ତ ପ୍ରାଣକୁ ସୁଧା ବାରି ସମ
ପୟ ଲିଭାଇବ ଖେଦ ।
କିଂଚିତ୍ ଜୀବନ ଉଦରକୁ ନେଲେ
କିଛି କଲେ ଶିରେ ସିକ୍ତ
ପରମ ଭକ୍ତର ପରୀକ୍ଷା ନିମନ୍ତେ
ପ୍ରଭୁ ଖୋଳୁଥାନ୍ତି ଗର୍ତ୍ତ ।
ବିଶ୍ରାମ ନିମନ୍ତେ ବୃକ୍ଷର ମୂଳକୁ
ଆନନ୍ଦରେ ଗଲେ ଚଳି
ଶୟନ କି ହେବ ଅପୂର୍ବ ସୁନ୍ଦରୀ
ନୟନେ କରିଲା କେଳି ।
ଚିନ୍ତାମଣି ପରି ରୂପ ଝଲସିଣ
କ୍ଷଣିକେ ବାହୁଡ଼ି ଯାଏ
p>
ପୁନ୍ନବାର ଆସି ନେତ୍ର କୋଣେ ଭାସି
ମନ ଚହଲାଇ ଦିଏ ।
କାଖେ କୁମ୍ଭ ଧରି ଜଳ ଘେନି କରି
ଅପୂର୍ବ ସୁନ୍ଦରୀ ଚଳେ
ପ୍ରେମାତୁର ହୋଇ ବିଲ୍ୱମଙ୍ଗଳ ଯେ
ବେନି କର ବସି ମଳେ ।
ପୁଷ୍ପଶରେ ଦଗ୍ଧ ସତେ କି ପରାଣ
ନଲଭିଲେ ହେବ ମୃତ
ହଜେ ପ୍ରଭୁ ନାମ ତରୁଣୀରେ ମଗ୍ନ
ହୃଦୟଟା ରସାପ୍ଲୁତ ।
ଗଜଗମନୀ ସେ ରମଣୀ ରତନ
ଅପସରି ଗଲା ଧୀରେ
ଅନୁସରଣରେ ସାଫଲ୍ୟ ମଣ୍ଡିଲେ
ବିଲ୍ୱମଙ୍ଗଳ ଯେ ଶିରେ ।
କରାଘାତ ଦ୍ଵାରେ ବୋଲନ୍ତି ସଧୀରେ
କିଏ ଅଛି ଏହି ଘରେ
କରୁଣାକର ହେ ତୃଷାର୍ତ୍ତକୁ ଆଜି
କ୍ଷୁଧାରେ ମୋ ପ୍ରାଣ ମରେ ।
ଧନୀକ ବଣିକ ଦେଖିଲା ଯେ ସାଧୁ
ସତେ ଭକ୍ତ ଶିରୋମଣି
ବୋଲଇ ହେ ସାଧୁ କେଉଁ ପ୍ରୟୋଜନେ
ତୁଣ୍ଡରେ କରୁଣ ବାଣୀ ।