ଭିଟାମାଟି
ଭିଟାମାଟି
ଭିଟାମାଟି ମୋର ଜୀବନେ ସର୍ବସ୍ୱ
ଜୀବନେ ରତନ ଏହି,
ତାହାରି ଋଣକୁ ଶୁଝି ହେବ ନାହିଁ
ଜୀବନେ ଆଧାର ସେହି।୧।
ମାଆ ଗର୍ଭୁ ମୁହିଁ ଭୂମିକୁ ଆସିଲି
ଭିଟାମାଟି ଅଟେ ମୋର,
ତାହାରି କୋଳରେ ଖେଳି ବଡ଼ ହେଲି
ଜୀବନେ ଅଟେ ସୁନ୍ଦର।୨।
ସାଙ୍ଗସାଥି ମେଳେ ତା କୋଳେ ଖେଳିଲି
ବିଭିନ୍ନ ପ୍ରକାର ଖେଳ,
ଆମ୍ବ ଗଛେ ଚଢି ଆମ୍ବ ତୋଳୁ ଥିଲି
ଥିଲାଟି ସାଥିଙ୍କ ମେଳ।୩।
ଜନ୍ମମାଟି ଏହି ଭିଟାମାଟି ଏହି
ତା ଧୂଳି ଅଙ୍ଗେ ବୋଳିଛି,
ଧୂଳି ନୂହେଁ ସେହୁ ଚନ୍ଦନ ହିଁ ଅଟେ
କେତେ ମଥାରେ ବୋଳିଛି।୪।
ଭିଟାମାଟି ଛାଡି ଦୂରେ ରହି ଅଛି
ପେଟର ନିମନ୍ତେ ମୁହିଁ
ମନେ ପଡୁ ଅଛି ଭିଟାମାଟି ମୋର
ଭୁଲି ନ ପାରିବି ମୁହିଁ।୫।
ରଜପର୍ବେ ଯିବି ଗାଆଁକୁଟି ମୋର
ପରିବାର ଯିବେ ସଙ୍ଗେ,
ଗାଆଁ ଧୂଳି ମାଟି ସ୍ପର୍ଶ ହିଁ କରିବି
ଆନନ୍ଦ ଉମଙ୍ଗ ସଙ୍ଗେ।୬।
ନଇ ତୁଠେ ଯିବି ସ୍ନାନ କରିବାକୁ
ଗାଆଁ ସଙ୍ଗସାଥି ମେଳେ
ଗାଆଁର ନିକଟେ ଖରଖାଇ ନଈ
ଡେଇଁବି ତାହାରି ଜଳେ।୭।
ବାଲ୍ୟକାଳ କଥା ମନେ ପଡ଼ି ଯିବ
ଉତ୍ସାହିତ ହେବ ମନ,
ଗାଆଁ ଦାଣ୍ଡେ ମୁହିଁ ବୋଲୁଥିବି ପୁଣି
ପ୍ରଫୁଲ୍ଲିତ ହେବ ମନ।୮।
ଗାଆଁ ଦୁଇ ମୁଣ୍ଡେ ହୋଟେଲ ରହିଛି
ଜଳଖିଆ କରିବି ଯାଇ,
ସଙ୍ଗସାଥି ନେଇ ହୋଟେଲକୁ ଯିବି
ଆନନ୍ଦ ହୋଇବେ ଭାଇ।୯।
ଭିଟାମାଟି ମୋର ଜୀବନେ ସର୍ବସ୍ୱ
ଜୀବନେ ରତନ ଏହି,
ତାହାରି ଋଣକୁ ଶୁଝି ହେବ ନାହିଁ
ଜୀବନେ ଆଧାର ସେହି।୧୦।
