ଭିଟାମାଟି
ଭିଟାମାଟି
କଳ କାରଖାନା ଖଣି ଶିଳ୍ପାଞ୍ଚଳ
ଖୁସିରେ ଉଠୁଛି ଫାଟି,
ଶୁଣ ଥରେ ବନ୍ଧୁ ଗୁମୁରି ଗୁମୁରି
କାନ୍ଦେ ଆଜି ଭିଟାମାଟି
ସାତ ପୁରୁଷର ସେ ସ୍ରଷ୍ଠୀ l
ଜମି ଗଲା ଜଙ୍ଗଲ ଗଲା
ଦୁଇ ଆଖି ଗଲା ଫୁଟି ,
ଫୁଟିଲା ଆଖିରେ ଲୁହ ବି ଝରୁନି
ଛାତି ତ ହେଲା କଷଟି
ନ୍ୟାୟ ଅଧିକାର ଆମ ଦରକାର
ଲୋଡ଼ା ଥଇଥାନ ନୀତି,
ଠଣା କରିବାକୁ କଣିଚାଏ ନାହିଁ
ସ୍ଥାୟୀ ନୁହଁ ଠିକା ନିଯୁକ୍ତି
କଲୋନୀଟେ ଦେଇ ଭେଟି l
ଏନ୍ତୁଡ଼ି ମଶାଣି ପୁଣି ଠାକୁରାଣୀ
ଲିଭିଲା ଧର୍ମ ସଂସ୍କୃତି
କୃଷକର ସଂଜ୍ଞା ବଦଳି ଯାଇଛି
ପାଇଣ ଚୁକ୍ତି ନିଯୁକ୍ତି,
ସମାଜିକ ସ୍ମାରକ ଗଲା କଟି
ତୁଟିଚି କୁଟୁମ୍ବ ଜ୍ଞାତି l
ହରାଇ ଜୀବିକା ସବୁ ଏକା ଏକା
ଶୁଖି ଯାଉଅଛି ତଣ୍ଟି,
ଆଗାମୀ ଵଂଶକୁ ଆସିବାକୁ ମନା
କାନ୍ଦି କହେ ଭିଟାମାଟି l