ଭିଟାମାଟି
ଭିଟାମାଟି


ଜନନୀ ଜନମ ଭୂଇଁ ମାତୃଭାଷା
ଭିଟାମାଟିର ଏ ମୋହ,
ଦିବସ ନିଶିରେ ପବିତ୍ର ମନରେ
ଭିଟାମାଟି ଗୀତ ଗାଅ ।
ଯେଉଁଠି ଜନମ ସେହି ତୋର ମାଟି
ସେହି ଭିଟାମାଟି ତୋର,
ସେ ମାଟିକୁ ନେଇ ମୁଣ୍ଡରେ ମାଖିଲେ
ନ ଥାଏ ଡର କାହାର ।
ଭିଟାମାଟି ସ୍ନେହ ଭିଟାମାଟି ମମତା
ଯା ହୃଦେ ଜନମି ନାହିଁ,
ସେ ଭଲି ଜନତା ଜିଇଁ ଥାଉ ମରେ
ମାତୃହନ୍ତା ଅଟେ ସେହି ।
ପେଟପାଟଣାର କରାଳ କ୍ଷୁଧାରେ
ଭିଟାମାଟି ଛାଡେ ଜନ,
ପ୍ରିୟ ପରିଜନ ସଖା ସହୋଦର
ଛାଡ଼ି ଖଟଇ ଦାଦନ ।
ଗ୍ରୀଷ୍ମ ବର୍ଷା ଶୀତ ସବୁ ସହି ଯାଏ
ପେଟପାଟଣାର ପାଇଁ,
ଭିଟାମାଟି ଲୋଭ ଛାଡି ଦେଇ ସିଏ
ଖଟଇ ଶ୍ରମିକ ହୋଇ ।
ମାଳିକା କୁଚକ୍ରେ ପଡ଼ିଯାଏ ସିଏ
ଦାଦନ ଶ୍ରମିକ ହୋଇ,
ଚିହ୍ନ ମିଳେ ନାହିଁ ପାଉଣା ମିଳେନି
ଅନାଥ ହୁଏ ତା ସହୀ ।
ଭିଟାମାଟି ଦିଏ ଶୈଶବର ସୁଖ
ଶିଖିବା ମନ୍ତ୍ର ଶିଖାଏ,
ତୁମର ଯନ୍ତ୍ରଣା ତୁମର ଅର୍ଦ୍ଦଳି
ସବୁ ସହି ଯାଏ ସିଏ ।
ତାହାର ସେନେହ ତାହାର ଆଦର
ମାଆ ସଙ୍ଗେ ସମତୁଲ,
ଭିଟାମାଟି ପରି ଜଗତରେ ନାହିଁ
ପାଇବ ତାହାରି କୋଳ ।