STORYMIRROR

sushama Parija

Inspirational

3  

sushama Parija

Inspirational

ଭିଟାମାଟି

ଭିଟାମାଟି

2 mins
214



ତୁମେ ପଚାରୁଛ " କେମିତି ସହିଲା ମୋ’ ଛାତି ,

ଯେତେବେଳେ ରାସ୍ତା ମଝିଟାରେ ଚାଲୁ ଚାଲୁ

 ମୋ’ ସ୍ତ୍ରୀ ମୋ’ରି ରକ୍ତର ସନ୍ତାନକୁ ଜନ୍ମ କରି

 ସେଇଠି ଛାଡି ଦେଇ ଆସିଲା ,

 କେମିତିକା ନିଷ୍ଠୁର ମା’ ସିଏ ?

 କେମିତି ଫାଟି ଗଲନାହିଁ ତା’ର ଛାତି ? ?"

 ମୁଁ କି ସିଏ କେହି ବି ପଥର ନୁହଁ ହୋ ବାବୁ ! ମଣିଷ । 

ହେଲେ ଆମ ମଣିଷପଣିଆ ମରି ଯାଇଛି ଏ ଭୟାବହ ବିଶ୍ଵମାରୀରେ, 

ଆମେ ଆଉ କ’ଣ କରିଥାନ୍ତୁ ଯେ ? 

ତା’କୁ ଫେରି ଚାହିଁଥିଲେ, ଆମ ସହ ଚାଲୁଥିବା

 ଆଉ ଦି’ଟା ପିଲା ଆମର ଅଧା ବାଟରେ ମରିଥାନ୍ତେ , 

ମୋ’ ଭିଟା ମାଟିରେ ପହଞ୍ଚିବାର ଆଶା ମରିଥାନ୍ତା,

 ମୋ ସ୍ତ୍ରୀକୁ କାହା ଜିମାରେ ଛାଡି ଦେଇ ଆସିଥାନ୍ତି?

 ଆମେ କ’ଣ ଆଉ ମଣିଷରେ ଲେଖା ଅଛୁ କି ?

 ନର କି ନାରୀ ନୁହେଁ ଏବେ ଆମେ ନୂଆ ଏକ ଜୀବ

 ‘ ପ୍ରବାସୀ ଶ୍ରମିକ”,ହେୟ, ଅପାଂକ୍ତେୟ, ବୁଭୁକ୍ଷୁ, ନିରୂପାୟ।।

 କିଏ ସଜେଇଲା ଆମକୁ ଏମିତି କରି ? ?

ଗାଆଁରେ ମୋ ମାଆ କୋଳରେ ଜନମି ଥିଲି ମଣିଷ ଶିଶୁଟେ ହୋଇ,

ମାଆ କ୍ଷୀର ଦେଲା, ମାଟି କୋଳ ଦେଲା 

ଆଉ ବଢିବାକୁ ଦେଲ ପାଣି ପବନ ଜଙ୍ଗଲ , ଝରଣା ,

ଖେଳି କୁଦି ନାଚିଲି , ବଢିଲି, 

ଦିନେ ବିଲ ବାଛୁବାଛୁ ବଜ୍ରପାତରେ ବାପ ମଲା, 

ମୋ କାନ୍ଧ ଉପରେ ପଡ

ିଲା ସଂସାର ଯୁଆଳି,

 ମାଆର ବେମାରି ଆଉ ସାନ ଭଉଣୀର ବାହାଘର, 

ପିତୃଋଣ ଶୁଝିବାକୁ ଦାଦନ ହେଲି ତେଲେଙ୍ଗାନାରେ ।।

କୌଣସି ପ୍ରକାରେ କାମ ଚଳୁଥିଲା, 

ହେଲେ କେଉଁଠୁ ଆସିଲା କେଜାଣି ଏ ଅଦୃଶ୍ୟ ବଇରି! 

ଜୀବନ ଜୀବିକା ସବୁ ଉଜାଡି ଦେଲା, 

ମାଲିକ ତଡିଲା, ଖୋଲିବାଲା ତଡିଲା, ବାକି ଦୋକାନୀ ତଡିଲା, 

ଭୋକ ଉପାସରେ ସଢିଲୁ ସାରା ପରିବାର, 

ମୁଁ ସିନା ପେଟ ଭୋକ ସହିବି, 

ହେଲେ କେମିତି ସହିବେ ଏଇ

କଅଁଳା ପିଲା ଦୁଇଟା ଆଉ ଗୋଟେ ଗର୍ଭିଣୀ ମା’ ?

 ସେତିକିବେଳେ ଖୁବ୍ ମନେ ପଡିଲା ମୋ' ଭିଟାମାଟି, 

ଭାବିଲି ଫେରିଯିବି ତା’ରି କୋଳକୁ, ସେଇଠି ରହିବି, 

ସେଠି ତ ଆଉ କେହି ମତେ ତଡିଦେବେନି, “ ହେଃ, ଯାଃ ଏଠୁ ବାହାର ” ବୋଲି କହିବେନି, 

କାରଣ ସେ ତ ମୋର ଆପଣାର,ମୋ ମାଟିମାଆ, 

ସିଏ ଦିନରାତି ମତେ ହାତଠାରି ଡାକିଲା “ ଫେରିଆ’ “ ।।

ମୁଁ ଭିଟାମାଟିର ଡାକ ଶୁଣିଲି , ବଞ୍ଚିବାର ରାହା ପାଇଲି ,

ଯାତାୟାତର କୌଣସି ସାଧନ ନପାଇ ସପରିବାର ପାଦରେ ଚାଲିଲି,

 ଅଖିଆ ଅପିଆ ଦିନ ରାତି ଏକାକାର କରି, ମନ ଦୃଢ କଲି, 

ଆଉ ଅଟକି ଯିବିନି ମୁଁ, ଆଉ କେହି ଅଟକାଇ ପାରିବନି ମତେ,

 ନା’ ନା’ କେହି ବି ନୁହେଁ, 

ଦୁଇ ଆଖି ବନ୍ଦ ହେବା ଆଗରୁ ନିଶ୍ଚୟ ଛୁଇଁବି ମୋ’ ଭିଟାମାଟି !!!,



Rate this content
Log in

Similar oriya poem from Inspirational