ଭିନ୍ନରୂପା
ଭିନ୍ନରୂପା
ସ୍ନେହଭରା ମୁଖେ ପ୍ରସ୍ଫୁଟିତ ହେଉ
ଦିବ୍ୟ ଆଲୋକର ଜ୍ୟୋତି
ସଭିଙ୍କ ବାଟରେ ଜାଳିବି ଦୀପାଳି
ବୁଣିଦେବି ହୀରା ମୋତି ।
ନୟନଦ୍ୱୟରେ ଦୃଶ୍ୟମାନ ହେଉ
ଦୟାଭାବର ଚମକ
ହସ୍ତଦ୍ୱୟ ମୋର ହୋଇଯାଉ ପ୍ରଭୁ
ତ୍ୟାଗର ନବ ସଙ୍କେତ ।
ଅଧରେ ମୋହର ଭରୁଥିବି ହସ
ହସୁ ଝରୁଥିବ ମଣି
ପୀୟୂଷର ଧାରା ଝରିଗଲା ପରି
ମୁଖରୁ ସ୍ଫୁରୁ ମୋ ବାଣୀ ।
ଶ୍ରଦ୍ଧାମୟ ସ୍ପର୍ଶେ ସବୁରି ହୃଦୟେ
ଢାଳିବି ରୂପା ଚାନ୍ଦିନୀ
ସଭିଙ୍କ ଓଠରେ ଭରିଦେବି ହାସ୍ୟ
କହିଣ ମଧୁର ବାଣୀ ।
କୁସୁମ ପାଖୁଡ଼ା ପରି ହୃଦୟକୁ
କରିବି ମୁହିଁ କୋମଳ
ଜଗତ ସେବାରେ ଜୀବର ହିତରେ
ଲାଗିଥିବି ଅବିରଳ ।
ଦୁଃଖୀର ନେତ୍ରରୁ ଅଶ୍ରୁବିନ୍ଦୁ ପୋଛି
କରିବି ଦୁଃଖ ହରଣ
ତା ମନର ମରୁଭୂମିକୁ ବିନାଶି
ସୁଖ କରିବି ବର୍ଷଣ ।
ଯାହାର ଜୀବନ ନୀଳ ଅମ୍ବରକୁ
ବାଦଲ ଦେଇଛି ଢ଼ାଙ୍କି
ବିଷାଦର ସେଇ ମେଘକୁ ହଟେଇ
ଚନ୍ଦ୍ରମା ଦେବି ମୁଁ ଆଙ୍କି ।
ସଭିଙ୍କ କୋଳେଇ ନେବି ମୁଁ ଆଦରେ
ନ କରିଣ ତିଳେ ଘୃଣା
ଗୁରୁଙ୍କୁ ସମ୍ମାନ ମିତ୍ରଙ୍କୁ ମମତା
କରିବିନି କେବେ ଊଣା ।
ସତ୍ୟ ନ୍ୟାୟ ପଥେ କର୍ତ୍ତବ୍ୟ ଆହ୍ୱାନେ
ଲକ୍ଷ୍ୟର ହାତକୁ ଧରି
ଜାହ୍ନବୀର ଧାରା ବହିଯାଉ ମୋର
ହୃଦୟ ପ୍ଲାବିତ କରି ।
ମନ ମନ୍ଦିରେ ମୋ ବିଶ୍ୱାସର ଦୀପ
ଅହର୍ନିଶି ଜଳୁଥିବ
ଚକ୍ଷୁ ଦ୍ୱୟ ମୋର ସତ୍ୟ ଓ ଶାନ୍ତିର
ବାରତାକୁ ବାଣ୍ଟୁଥିବ ।
କ୍ଷମା ମନ୍ଦାକିନୀ ଧାରା ସାଜିବି ମୁଁ
ସାଜିବି ମୈତ୍ରୀର ଜ୍ୟୋତି
ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଯାଏଁ
ବାଣ୍ଟୁଥିବି ସ୍ନେହ ପ୍ରୀତି ।
ଦୁଃଖର ଜ୍ୱାଳାକୁ ପ୍ରଶମିତ କରି
ସିଞ୍ଚିବି ଶୀତଳ ବାରି
ସେ ମମତା ବାରି ମନକୁ କିଣିବ
ହୃଦ ମାଟି ଓଦା କରି ।
ତୁମ ଚରଣରେ ରହୁ ମୋର ମନ
କର୍ତ୍ତବ୍ୟରେ ରହୁ ମତି
ସଭିଙ୍କର ଶୁଭ ମନାସି ମନାସି
ଏ ଜୀବନ ଯାଉ ବିତି ବିତି ।
