STORYMIRROR

Priyadarshani Mahapatra

Inspirational

4  

Priyadarshani Mahapatra

Inspirational

ଭିନ୍ନରୂପା

ଭିନ୍ନରୂପା

1 min
619

ସ୍ନେହଭରା ମୁଖେ ପ୍ରସ୍ଫୁଟିତ ହେଉ

ଦିବ୍ୟ ଆଲୋକର ଜ୍ୟୋତି 

ସଭିଙ୍କ ବାଟରେ ଜାଳିବି ଦୀପାଳି

ବୁଣିଦେବି ହୀରା ମୋତି ।


ନୟନଦ୍ୱୟରେ ଦୃଶ୍ୟମାନ ହେଉ

ଦୟାଭାବର ଚମକ 

ହସ୍ତଦ୍ୱୟ ମୋର ହୋଇଯାଉ ପ୍ରଭୁ

ତ୍ୟାଗର ନବ ସଙ୍କେତ ।


ଅଧରେ ମୋହର ଭରୁଥିବି ହସ

ହସୁ ଝରୁଥିବ ମଣି 

ପୀୟୂଷର ଧାରା ଝରିଗଲା ପରି

ମୁଖରୁ ସ୍ଫୁରୁ ମୋ ବାଣୀ ।


ଶ୍ରଦ୍ଧାମୟ ସ୍ପର୍ଶେ ସବୁରି ହୃଦୟେ 

ଢାଳିବି ରୂପା ଚାନ୍ଦିନୀ 

ସଭିଙ୍କ ଓଠରେ ଭରିଦେବି ହାସ୍ୟ

କହିଣ ମଧୁର ବାଣୀ ।


କୁସୁମ ପାଖୁଡ଼ା ପରି ହୃଦୟକୁ

କରିବି ମୁହିଁ କୋମଳ 

ଜଗତ ସେବାରେ ଜୀବର ହିତରେ

ଲାଗିଥିବି ଅବିରଳ ।


ଦୁଃଖୀର ନେତ୍ରରୁ ଅଶ୍ରୁବିନ୍ଦୁ ପୋଛି

କରିବି ଦୁଃଖ ହରଣ 

ତା ମନର ମରୁଭୂମିକୁ ବିନାଶି

ସୁଖ କରିବି ବର୍ଷଣ ।


ଯାହାର ଜୀବନ ନୀଳ ଅମ୍ବରକୁ

ବାଦଲ ଦେଇଛି ଢ଼ାଙ୍କି 

ବିଷାଦର ସେଇ ମେଘକୁ ହଟେଇ

ଚନ୍ଦ୍ରମା ଦେବି ମୁଁ ଆଙ୍କି ।


ସଭିଙ୍କ କୋଳେଇ ନେବି ମୁଁ ଆଦରେ

ନ କରିଣ ତିଳେ ଘୃଣା 

ଗୁରୁଙ୍କୁ ସମ୍ମାନ ମିତ୍ରଙ୍କୁ ମମତା

କରିବିନି କେବେ ଊଣା ।


ସତ୍ୟ ନ୍ୟାୟ ପଥେ କର୍ତ୍ତବ୍ୟ ଆହ୍ୱାନେ

ଲକ୍ଷ୍ୟର ହାତକୁ ଧରି 

ଜାହ୍ନବୀର ଧାରା ବହିଯାଉ ମୋର

ହୃଦୟ ପ୍ଲାବିତ କରି ।


ମନ ମନ୍ଦିରେ ମୋ ବିଶ୍ୱାସର ଦୀପ

ଅହର୍ନିଶି ଜଳୁଥିବ 

ଚକ୍ଷୁ ଦ୍ୱୟ ମୋର ସତ୍ୟ ଓ ଶାନ୍ତିର

ବାରତାକୁ ବାଣ୍ଟୁଥିବ ।


କ୍ଷମା ମନ୍ଦାକିନୀ ଧାରା ସାଜିବି ମୁଁ

ସାଜିବି ମୈତ୍ରୀର ଜ୍ୟୋତି 

ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଯାଏଁ

ବାଣ୍ଟୁଥିବି ସ୍ନେହ ପ୍ରୀତି ।


ଦୁଃଖର ଜ୍ୱାଳାକୁ ପ୍ରଶମିତ କରି

ସିଞ୍ଚିବି ଶୀତଳ ବାରି 

ସେ ମମତା ବାରି ମନକୁ କିଣିବ

ହୃଦ ମାଟି ଓଦା କରି ।


ତୁମ ଚରଣରେ ରହୁ ମୋର ମନ

କର୍ତ୍ତବ୍ୟରେ ରହୁ ମତି 

ସଭିଙ୍କର ଶୁଭ ମନାସି ମନାସି

ଏ ଜୀବନ ଯାଉ ବିତି ବିତି ।



Rate this content
Log in

Similar oriya poem from Inspirational