ଭିନ୍ନ ଏକ କାବ୍ୟତୀର୍ଥ
ଭିନ୍ନ ଏକ କାବ୍ୟତୀର୍ଥ
ଭଲ ପାଇବାର ବର୍ଣ୍ଣମାଳାକୁ ମୋ'
ଦୁର୍ବଳତା ବୋଲି
କେମିତି ଭାବିଲ ତୁମେ ।
କେମିତି କଳ୍ପିଲ ପଳାଶ ପାଖୁଡା
ସ୍ନେହର ବନ୍ଧନ
ତୁଚ୍ଛ କରି ମନେମନେ ।
ମୋ' ଶବ୍ଦରେ ଥିଲା ଗଳ୍ପ ପରିଭାଷା
ଅଳ୍ପ ଅଭିମାନୀ
ସୂକ୍ଷ୍ମ ଦୂବଗୁଳ୍ମ ପରି ।
ନିବନ୍ଧ ଭାବିଲ ନିଷ୍ଠୁର ଶବ୍ଦର
ବିସ୍ତୀର୍ଣ୍ଣ ପ୍ରୟୋଗେ
ସଂକୀର୍ଣ୍ଣ ସମୀକ୍ଷା କରି ।
କେତେକ ଶବ୍ଦର ସ୍ନେହ ସମ୍ଭାରରେ
ଭାବିଥିଲି ତୁମ
ଅଭାବରେ ଭାବ ହେବି ।
ଭାବନା ସବୁକୁ ମାଳମାଳ ଗୁନ୍ଥି
ତୁମରି ସ୍ବପ୍ନକୁ
କବିତାର ରୂପ ଦେବି ।
କାବ୍ୟ ସମ୍ଭାରର କଳ୍ପନା ପୃଷ୍ଠାରେ
ମନ ଆଇନାର
ମୁଗ୍ଧ ଲବ୍ଧ ପ୍ରତିବିମ୍ବ ।
ତୁମ ହୃଦୟର ପ୍ରତିଧ୍ୱନି ହୋଇ
ମୋ' କବିତା କୋଳେ
ସୁର ଝଙ୍କାର ତୋଳିବ ।
ସେ ସୁର ଝଙ୍କାର ମାନବବାଦର
ଆବାହନୀ ମନ୍ତ୍ର
ଭିନ୍ନ ଏକ କାବ୍ୟତୀର୍ଥ ।
ତୁମ କଳ୍ପନାରେ ମୋ' ଭାଷାର ସୁରେ
ଆମ ସ୍ବପ୍ନ ନେଇ
ହେବ ସମୃଦ୍ଧ ସଂସ୍କୃତ ।
କାବ୍ୟକନ୍ୟା ତୁମେ କାବ୍ୟରେ କାବ୍ୟରେ
ତୁମ ଆଦର୍ଶର
କରିନେବ ଶିଳାନ୍ୟାସ ।
କୋଣାର୍କର ଶିଳା ଜୀବନ୍ୟାସ ପାଇ
ରଙ୍ଗ ଭରିଦେବେ
ସଜେଇ ଶବ୍ଦ ବିନ୍ୟାସ ।
ହେ ଶବ୍ଦ ଝଙ୍କାର କାବ୍ୟତୀର୍ଥ ମୋର
ମୋ' କବିତା କଳ୍ପ
ଅଭିମାନୀ ସ୍ୱାଭିମାନୀ ।
ଭାଙ୍ଗିବିନି କେବେ ସ୍ୱାଭିମାନ ତା'ର
ଶତାବ୍ଦୀ ସ୍ରୋତରେ
ସେ ମୋର ପରଶମଣି ।
ପରଶ ମଣିର ପ୍ରୀତି ପରଶରେ
ଯୁଗ ଯୁଗାନ୍ତର
କବିତା ରଚିଚାଲିବି ।
ସେଇ କବିତାର ବକୁଳ ଛାଇରେ
କାଦମ୍ବରୀ କୋଳେ
ନିଜକୁ ହଜେଇ ଦେବି ।
