STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଭିଜାମାଟିର ପ୍ରେମ

ଭିଜାମାଟିର ପ୍ରେମ

1 min
322

ଚୁକ୍ତିନାମାରେ ସ୍ବାକ୍ଷର କରି ମଧ୍ୟ ସେ ବିଳମ୍ବ କରେ 

ଜୋର କରି ଜାଣିଶୁଣି ଭାଙ୍ଗିବସେ ଆଇନକୁ ନିଜ ହସ୍ତରେ

କେଜାଣି କେଉଁଠୁ ପାଇଲା ସେ ଏ ଅହଙ୍କାର ଟିକକ

କଥା ଦେଇ ବିଳମ୍ବେ ଆସିବା ପଡ଼ିଲାଣି ତାର ନିତି ଅଭ୍ୟାସରେ।


ଜୀବନ ଓ ଯୌବନର ଆଶ୍ବାସନାକୁ ଜାଳି ପୋଡ଼ି ଦେଇ

ସେ ଦୁରେଇ ଯାଏ ସରଳ ପ୍ରିୟାକୁ ତାର ବୁଝେଇ ସୁଝେଇ

ମାଟି ଏଠି ଜଳୁଥାଏ ନିଦାଘର ବଳକା ୠତୁରେ

କେଉଁ ପ୍ରବାସେ କେଜାଣି ପୟୋଧର ଜୀବିକା ଅର୍ଜଇ


ଧୂଳି ଧୁସରିତ ଚଉଭଙ୍ଗ ଚୁକ୍ତିନାମାକୁ ରଖେ ସେ ସାଇତି

ପ୍ରେମର ସ୍ମାରକୀ ଭାବି ପଢ଼ି ବସେ ନିର୍ଜନରେ ନିତି

ଚୁକ୍ତିବଦ୍ଧ ମେଘ କିନ୍ତୁ ବିଦେଶରେ ଅଜ୍ଞ ଏ କରୁଣ ବିରହର

ଚାହିଁ ରହେ ଶୁନ୍ୟ ଆକାଶକୁ କାଳେ କେବେ ଫିଟିବ ନିୟତି। 


ବିଳମ୍ବ ହେଲେ ବି କିନ୍ତୁ କଥା ରଖି ଫେରି ଆସେ ମେଘ

ଭୁଲେ ନାହିଁ ଦିନେ ଛାଡ଼ି ଚାଲି ଯାଇଥିବା ମାଟିର ସରାଗ

ବର୍ଷିଯାଏ ବିରହର ଜ୍ବାଳା ସବୁ ଶାନ୍ତ କରି ଦୁହେଁ ଦୁହିଁଙ୍କର

ତୃଷିତ ସେ ରୁକ୍ଷ ତନୁ ଭିଜି ଯାଇ ପାଏ ସତେ ସ୍ୱର୍ଗ। 


ଭିଜା ମାଟି ଦେହରୁ ବହି ଆସେ ଭୁରୁଭୁରୁ ପ୍ରଣୟର ଗନ୍ଧ

ପ୍ରେମ ପାଏ ପୂର୍ଣ୍ଣତାର ସୂତ୍ର ପ୍ରତୀକ୍ଷାର ଭାଙ୍ଗି ବାଲି ବନ୍ଧ

ଅବିଳମ୍ବେ ଜୀବନ ସଞ୍ଚରେ ମାଟିଗର୍ଭୁ ସବୁଜ ରଙ୍ଗରେ

ପ୍ରେମ ପରା ସାଧନାଟିଏ ପ୍ରତୀକ୍ଷାର ଅଗ୍ନିରେ ହୁଏ ସିନା ଶୁଦ୍ଧ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance