ଭିଜା ସମ୍ପର୍କ
ଭିଜା ସମ୍ପର୍କ
ପ୍ରତୀକ୍ଷା ବିଭୁତି ପ୍ରାଣା ବିଶ୍ୱାସ ରୋଷଣୀ
ପ୍ରତୀକ ସ୍ମୃତି ଦହନେ ମମତା ବିପଣୀ,
ଅସୀମ ରେ ସସୀମ ର ଭିଜା ସେ କାହାଣୀ
ସ୍ବପ୍ନମୟ ପଥେ ଭରା ରାଗ ଓ ରାଗିଣୀ.....
ସମ୍ପର୍କ ର ଉପବନେ ରାଗ ଅନୁରାଗ
ସ୍ୱାର୍ଥ ପାଇଁ ହଜେ ଫୁଣି ପ୍ରୀତି ର ସମ୍ପର୍କ,
ମନବନ ପଥ ପରେ ମୁର୍ଚ୍ଚିତ ଆବେଗ
ପବିତ୍ର ବନ୍ଧନ କି,ଏ, ସ୍ମୃତି ର ପ୍ରତୀକ.......
ସମ୍ପର୍କ ରେ ଭରା ପଥ ଆୟୁ ଭାଗଫଳ
ନିର୍ମଳ ଚେତନା ରାଜ୍ୟେ ନାହିଁ ଥଳ, କୂଳ,
ସୁପ୍ତ ପ୍ରାଣେ ପ୍ରାଣବନ୍ତ ନୀରବ ସଜ୍ଜଳ
ଶାଶ୍ୱତ ସେ ସମ୍ବନ୍ଧରେ ଲହରୀ ଉତ୍ତାଳ.......
ମର୍ମରେ, ମର୍ମରେ ଭାଷ୍ୟ ନୁହେଁ ପ୍ରତାରଣା
ଶିଳ୍ପୀ କମକୁଟ ପରା ଅଭଙ୍ଗା ଆଇନା,
"ସ୍ତମ୍ଭିଭୂତ ମଳୟ,କୁ ସମ୍ମୋହନ ଜଣା
ସୀମିତ ସେ ହେଉ ପଛେ କରେ ଆନମନା.....
ଅଲେଖା କାଗଜେ ଲେଖା ଇସ୍ତାହାର ହୋଇ
ସମ୍ପର୍କ ସୌଧଟି ଭରା ଅନୁରାଗ ନେଇ,
ଅଖଣ୍ଡ ବିଶ୍ୱାସ ମୂଳେ ଶ୍ରଦ୍ଧା, ଫୁଲ ହୋଇ
ଅପ୍ରାପ୍ୟ ନ ଥାଏ କିଛି ଭିଜା ସ୍ମୃତି ନେଇ.......
ଅନନ୍ୟା ସେ ବୁଝେ ଯିଏ ସମ୍ପର୍କ ର ମୂଲ୍ୟ
କୋଟି ମନ ଜିଣା ତାର ସ୍ନେହ ର କୈବଲ୍ୟ,
ଦରିଦ୍ର ସୁଦାମା ହେଲେ କୃଷ୍ଣ ଙ୍କୁ ଅମୁଲ୍ୟ
କାହିଁ ସେପରି ସମ୍ବନ୍ଧ ନାହିଁ ତାର କୂଳ........
ସେ ସମ୍ପର୍କ ତରାଜୁ ରେ ନୁହଇଁ ତଉଲ
ବିଶ୍ୱାସ ଗଛରେ ଫଳ ନାହିଁ ତାର ମୂଲ,
ହୀରା, ଲୀଳା ସମକକ୍ଷ ନ ହୁଅନ୍ତି ତୁଲ
ସମ୍ପର୍କ ସ୍ତମ୍ଭ ରେ ଠିଆ ନିଜେ ଆଦିମୂଳ....