ଭିଜା ଭିଜା ସ୍ମୃତି
ଭିଜା ଭିଜା ସ୍ମୃତି
ମମତା ସାଗର ସ୍ନେହର ଭଣ୍ଡାର
ଗଢ଼ିଥିଲୁ ଏକ ମନ୍ଦିର ଟିଏ ,
ଦୃଢ଼ ଭରସାରେ ଆତ୍ମ ବିଶ୍ୱାସରେ
ସିଞ୍ଚିଥିଲୁ ପ୍ରୀତି ଭାବନା ଟିଏ ।
ଚିନ୍ତା , ଚେତନାରେ ହୃଦୟ ଭିତରେ
ସଦା ବହିଥିଲୁ ସଂସାର ଭାର ,
ଅବ୍ୟକ୍ତ ବେଦନା ଅନ୍ତର ଭାବନା
ଲେଖନୀରେ ଝରି ପଡ଼ଇ ତୋର ।
ସୃଜନୀ ତୋହର ଚିହ୍ନାଏ ଅନ୍ତର
ନୀରବ ମନର ଅକୁହା ଭାଷା ,
କବିତା ଭିତରେ ବ୍ୟଥିତ ହୃଦୟେ
ଲେଖିଥିଲୁ କେତେ ସ୍ମୃତି ଅନିଷା ।
ମମତା କାନ୍ଦଇ ସେହି ସ୍ମୃତି ପାଇଁ
ପୁଣ୍ୟଗର୍ଭା ମାତା ଜନନୀ ମୋର ,
ଚିର ବନ୍ଦନୀୟା ମାତା ତୁ' ଅନନ୍ୟା
ପରିଚିତ ଆମେ ତୋର ସୃଷ୍ଟିର ।
ଅନ୍ତରରେ ସଦା ଭିଜେଇ ମମତା
ସନ୍ତାନ ମଙ୍ଗଳ ବିଚାର କରି ,
ଶିଖାଇଛୁ ସଦା ସଂସ୍କାର, ଶୃଙ୍ଖଳା
ଚାଲୁଛୁ ସେ' ଚିହ୍ନକୁ ଅନୁସରି ।
ଆଜି ମୁଁ ଗର୍ବିତ ତୋ' ଠାରୁ ଜନ୍ମିତ
ତୁହି ମୋର ମାତା ମୋ' ସ୍ବାଭିମାନ ,
ଚାଲିଗଲୁ ଆଜି ମାୟା ମୋହ ତେଜି
କାହିଁ କଲୁ ମାତା ତୁ' ଅଭିମାନ ?
କୋଟି ପ୍ରଣିପାତ ଶ୍ରୀ ଚରଣେ ତୋର
ଅମୂଲ୍ୟ ତୋହର ମମତା ଡୋରି ,
ତୁହି ମୋର ମାନ ତୁହି ମୋର ପ୍ରାଣ
ହୃଦୟ କାନ୍ଦୁଛି ତତେ'ହିଁ ସ୍ମରି ।
