STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ଭଗବାନଙ୍କୁ ଦେଖିଛ କି ?

ଭଗବାନଙ୍କୁ ଦେଖିଛ କି ?

1 min
211


ପଚାରିଲେ ଗୁରୁ ହେ ମୋର ଶିଷ୍ୟଗଣ !

ତୁମେମାନେ କେହି କେବେ

ଭଗବାନଙ୍କୁ ଦେଖିଛ କି ?

ସବୁ ଶିଷ୍ୟମାନେ ୟା' ତା' ମୁହଁକୁ ଅନାଇଁ

ଚାହୁଁଥାନ୍ତି ଡବଡବ ଗୁରୁଙ୍କ ଆଡକୁ

ଜଣେ ମାତ୍ର ଶିଷ୍ୟ ହୋଇ ଦଣ୍ଡାୟମାନ

ବେନି ହସ୍ତଯୋଡି଼ ନମ୍ର ବିନୟେ କହିଲା

ହେ ମୋର ଚିରପୂଜ୍ୟ ଗୁରୁଦେବ !

ଆପଣ ଦେଇଛନ୍ତି ଯେଉଁ ଦିବ୍ୟ ଜ୍ଞାନ

ସେ ଜ୍ଞାନର ବଳେ ଅନୁଭବ କରି

ହୃଦୟରେ ମୋର ଦେଖୁଛି ଭଗବାନଙ୍କୁ

ଶୟନେ ସପନେ ଜାଗରଣେ ନିରନ୍ତର ।

ଶୁଣି ଶିଷ୍ୟଗଣ କଲେ ଅଟ୍ଟହାସ୍ୟ

ମିଥ୍ୟାଚାରୀ ବୋଲି କେହି କେହି କହିଲେ

ଗୁରୁଙ୍କ ଆଗରେ ନାନା ଅଭିଯୋଗ କରି

ଚକିତ ବିସ୍ମିତରେ ପୁନରାୟ ପଚାରିଲେ ଗୁରୁ

ବତ୍ସ ! ସେ ଭଗବାନଙ୍କୁ ପାରିବ କି ଦେଖାଇ ?

ମୋ ସମ୍ମୁଖରେ ଆମ ସମସ୍ତଙ୍କର ସମ୍ମୁଖରେ

ଏବେ ଏହି ମୁହୂର୍ତ୍ତରେ ନ କରି କାଳ ବିଳମ୍ଵ

ଶିଷ୍ୟଟି ପୁନଶ୍ଚ ଦୃଢତାର ସହିତ କହିଲା

ଆଜ୍ଞା ଗୁରୁଦେବ ପାରିବି ଦେଖାଇ

ତେବେ ଦେଖାଅ ସେ ଭଗବାନଙ୍କୁ

ଶିଷ୍ୟଟି କହିଲା ସେ ଭଗବାନ ମୋର

ସ୍ଵୟଂ ଆପଣ ସମ୍ମୁଖେ ମୋ ହୋଇଛନ୍ତି ଉଭା।

ଶିଖାଇଛନ୍ତି ଆପଣ ମୋତେ

" ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ 

           ଗୁରୁର୍ଦେବୋ ମହେଶ୍ୱରଃ,

 ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ 

          ତସ୍ମୈ ଶ୍ରୀ ଗୁରୁବେ ନମଃ"।

ଆପଣ ସାକ୍ଷାତ୍ ଭଗବାନ ମୋ ଆଗରେ

ଆପଣଙ୍କୁ ମୋର ଶତ କୋଟି ପ୍ରଣାମ।

ସେ ଭଗବାନଙ୍କୁ ଦେଖେ ମୁଁ

ପିତାମାତା ଗୁରୁ ଗୁରୁଜନଙ୍କ ହୃଦୟ ଭିତରେ

ସବୁ ସାଥୀ ସହଚର ଜୀବଜଗତରେ

" ସର୍ବ ଇଦଂ ଖଳୁ ବ୍ରହ୍ମ" ବେଦର ପ୍ରମାଣ

ପୁନଶ୍ଚ ମୁଁ ଅନୁଭବ କରୁଛି ହେ ଗୁରୁଦେବ !

ଭଗବାନଙ୍କୁ ଖୋଜି ଖୋଜି ଆଜି ଯାଏଁ

ପାଇ ନାହାଁନ୍ତି କେହି ଦେଖି ବି ନାହାଁନ୍ତି କେହି

ଯେଉଁ ଭଗବାନଙ୍କ କଥା ପଚାରୁଛନ୍ତି ଆପଣ

ସେ ନିରାକାର ନିର୍ଗୁଣ ସର୍ବବ୍ୟାପୀ

ସର୍ବ ବିଦ୍ୟମାନ ସର୍ବମୟ କର୍ତ୍ତା ରୂପେ ଅଛନ୍ତି

ତାଙ୍କରି ଇଙ୍ଗିତରେ ଏ ବିଶ୍ଵ ବ୍ରହ୍ମାଣ୍ଡର

ସୃଷ୍ଟି ସ୍ଥିତି ପ୍ରଳୟ ସବୁ କିଛି ହୋଇ ଚାଲିଛି

ନିଜ ଧ୍ୟାନ ଧାରଣାରେ ଆଣି ଏକାଗ୍ରତା

ଭଗବାନଙ୍କୁ ପାଇବା ପାଇଁ ଯିଏ ଯିଏ

ନିରବଚ୍ଛିନ୍ନ କଠୋର ସାଧନା କରିଛନ୍ତି

ସେ ଭଗବାନଙ୍କୁ ପାଇଛନ୍ତି ଜ୍ଞାନ ମାର୍ଗରେ

ଭକ୍ତିଭାବେ ଆରାଧନା ଉପାସନାରେ

କରିଛନ୍ତି ଆତ୍ମସାକ୍ଷାତକାର ନିଜ ଦିବ୍ୟଦୃଷ୍ଟିରେ

ଧ୍ରୃଷ୍ଟତା ଥିଲେ ମୋର କରିବେ ମାର୍ଜନା।

ସାଧୁ ସାଧୁ ଉଚ୍ଚସ୍ଵରେ କରି ସମ୍ବୋଧନ

କହିଲେ ଗୁରୁଦେବ, ଶିଷ୍ୟରୂପେ ଗୁରୁ ତୁମେ

ଖୋଲି ଦେଲ ମୋ ଜ୍ଞାନ ନେତ୍ର ଆଜି

ଆଉ କେବେ ପଚାରିବିନି ଏ ପ୍ରଶ୍ନ ତୁମକୁ

ଭଗବାନଙ୍କୁ ଦେଖିଛ କି ?

  

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama