ଭେଦ ଭାବ କାହିଁ ରଖ ?
ଭେଦ ଭାବ କାହିଁ ରଖ ?
ସୁଖର ସପନେ ଦଉଡୁଛି ସିନା
ଆସେ ତ ଦୁଃଖର ସୁଅ
ଗରିବର ଦୁଃଖ ବୁଝିବାକୁ ଏଠି
କାହାର କି ଯାଏ କୁହ ?
ଅମା ଅନ୍ଧକାରେ ଆକାଶକୁ ଚାହେଁ
ସାଥିରେ ଅଛି ମୋ ଲୁହ
ସୁଖ ମୋ ସଂସାର ମୋ କୋଳର ହସ
ଆଉ ଚକାଡ଼ୋଳା ମୁହଁ ।
ଗରିବର ପ୍ରାଣ ଅଭାବ ଜୀବନ
ଦୁନିଆରେ ହୀନିମାନ
ପେଟ ଚାଖଣ୍ଡକ ଭୋକ ମାରିବାକୁ
ଧାଉଁଛି ମୁଁ ରାତିଦିନ ।
ସୁଖ ବୋଲି ଯାହା ଆଖିରେ ମୁଁ ଦେଖେ
ବାସ୍ତବରେ ସୁଖ ନୁହେଁ
ଉପରେ ହସିବା ଲୋକଟା ସତରେ
କେତେ ଯେ ଦୁଃଖରେ ଥାଏ ।
କାମନାର ଆଶା ନାହିଁ ମୋ ମନରେ
ଅଧିକ ପାଇବା ପାଇଁ
ରୋଗ ଶୋକ ଦୁଃଖ ନ ଦିଅ ହେ ସାଇଁ
ଏଇକଥା ମାଗୁଥାଇ ।
ତ୍ରିତଳ ପ୍ରାସାଦ ଗାଡି, ଘୋଡା ମଠା
ଲୋଡାନାହିଁ ଏ ଜଗତେ
ମୋ ଛୋଟ କୁଡିଆ ସରଗଠୁ ବଡ
ତମେ ଥିଲେ ମୋର ସାଥେ ।
ସୁଖର ସପନେ ମନ ଯେବେ ଭାସେ
ବିବେକ ଚେତେଇ ଦିଏ
ଅଶାନ୍ତିର ନିଆଁ ଭରିଚି ସେ ସୁଖେ
ଭିଜିଯାଏ ଆଖି ଲୁହେ ।
ଜୀବନଟା ସାରା ସୁଖ ଭୋଗି ଭୋଗି
ଶେଷଟା ଦୁଃଖରେ ଯାଏ
ଏ ଆଖି ଦେଖୁଛି ଏଇ ଦୁନିଆରେ
କେତେ ଯେ ଏମିତି ହୁଏ ।
ଦୁଃଖରେ କାତର ସୁଖରେ ବିଭୋର
ମହତ ଜନକି ହୁଏ
ଧନୀ ଗରିବର ଭେଦଭାବ ସତେ
କେବେ କି ସେ କରୁଥାଏ ?
ଅଳିକ ସଂସାର କ୍ଷଣିକ ଜୀବନ
ହସ କାନ୍ଦ ସୁଖ ଦୁଃଖ
ତୁମ ହାତ ଗଢା ସ୍ରୁଷ୍ଟି ତ ସମାନ
ଭେଦଭାବ କାହିଁ ରଖ ?