ଭାଷା ପ୍ରେମ
ଭାଷା ପ୍ରେମ
ବିଦେଶୀ ସଭ୍ୟତା ଆମ ସଂସ୍କୃତିକୁ
ନଷ୍ଟ କରେ ବୋଲି କହୁ,
ହେଲେଯେଇଂରାଜୀବେଶୀ କହୁଅଛି
ତାକୁ ଜ୍ଞାନୀ ଭାବୁଥାଉ।
ଆମ ଭାଷା ଯେହ୍ନେ କଷା ଲାଗୁଅଛି
ଇଂରାଜୀ ଲାଗୁଛି ମିଠା,
ପାଶ୍ଚାତ୍ୟ ଚଳଣୀ ମୁଣ୍ଡ ଟେକୁଥାଏ
ଓଡ଼ିଆ ଯେମନ୍ତେ ଶସ୍ତା।
ବିଦେଶରେ ଯିଏ ପାଠପଢି ଭାଇ
ବଡ ଚାକିରିଟେ କରେ,
ଦୁନିଆଁ ହାଟରେ ବଡ଼ ପଣ୍ଡିତର
ପରିଚୟ ତାକୁ ମିଳେ।
କିନ୍ତୁ ଭଲକରି ଓଡ଼ିଆ ଭାଷାର
ଲେଖି ପଢ଼ି କେଉଁ ଲାଭ,
ଓଡ଼ିଆ ମେଣ୍ଢାର ମୂର୍ଖ ପରିଚୟେ
ପାଉ ଆମେ ପରାଭବ।
ପାଶ୍ଚାତ୍ୟ ସଂସ୍କୃତି ଏମିତି ପ୍ରଭାବ
ଆମପରେ ପଡୁଅଛି,
କଥାକଥାକରେ ଖଣ୍ଡି ଇଙ୍ଗିରାଜୀ
ଆପେ ଆପେ ବାହାରୁଛି।
ନିଜ ମାତୃଭାଷା ନିଜ ସ୍ବାଭିମାନ
ଏକଥା ଯାଉଛେ ଭୁଲି,
ଇଂରାଜୀ ମାଧ୍ୟମେ ପିଲାଙ୍କୁ ପଢାଉ
ଟଙ୍କା ପୁଳା ଅଛି ବୋଲି।
ମୋ ପିଲାକୁ କନ୍ଭେଣ୍ଟରେ ଛାଡୁଛି
ସାଙ୍ଗ ଆଗେ କହିକହି,
ମନେ ମନେ ଆତ୍ମ ବିଭୋର ହେଉଛେ
ନିଜ ଖାତିରି ବଢେଇ।
ସାଙ୍ଗ ସହ ପଦେ ଇଂରାଜୀ କହିଲେ
ଖାତିରି ଯାଉଛି ବଢି,
ଓଡ଼ିଆ ଆଗରେ ଇଂରାଜୀ ଭାଷାରେ
ପାଣ୍ଡିତ୍ୟ କରୁ ଜାହିରି।
ସଭାରେ ବକ୍ତବ୍ୟ ମାତୃଭୂମି ଆଉ
ମାତୃଭାଷା ପ୍ରୀତି କଥା,
ଲୋକ ଦେଖାଣିଆ ଭାଷଣ ମଧ୍ୟରେ
ନ ଥାଏ ଆନ୍ତରିକତା।
ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଠାରେ
ଭରଷା ଯାଉଛି ତୁଟି,
ସେଠାରେ ପଢ଼ିଲେ ପିଲାର ଜୀବନ
ହୋଇଯିବ କାଳେ ମାଟି।
ବଡବଡିଆଙ୍କ ପିଲାଙ୍କୁ ଦେଖ ହେ
କନ୍ଭେଣ୍ଟ ଯାଉଛନ୍ତି,
ଆମ ପିଲା ସରକାରୀ ବିଦ୍ଯାଳୟେ
ଜାଇତାଇ ପଢୁଛନ୍ତି।
ଶାସ୍ତ୍ରୀୟ ମାନ୍ୟତା ପାଇଛି ଯଦିବା
ଆମ ଏ ଓଡ଼ିଆ ଭାଷା,
ତଥାପି ସବୁଠିଁ ଦିଆଯାଏ କାହିଁ
ଇଂରାଜୀକୁ ପ୍ରାଧାନ୍ୟତା?
ବାପା ମାଆମାନେ ବିମୁଖ ହୁଅନ୍ତି
ଆମ ଏ ଓଡ଼ିଆ ପ୍ରତି,
ତାହାର କାରଣ ସର୍କାରୀ ସ୍ତରରେ
ରହିଛି ଇଂରାଜୀ ପ୍ରୀତି।
ଓଡ଼ିଆ ଭାଷାରେ ସର୍କାରୀ ମୋହର
ଏଯାଏ ବାଜିଲା ନାହିଁ,
ଓଡ଼ିଆରେ କିଛି ଫଳକ ଲାଗୁଛି
ସେଥିରେ କି ଲାଭ ଭାଇ?
ଚାକିରୀ କ୍ଷେତ୍ରରେ ପରୀକ୍ଷା ପଡ଼ିଲେ
ଇଂରାଜୀ ଜାଣିବା ଭଲ,
ଯଦି ଇଂରାଜୀରେ ନାହିଁ ତ ଷ୍ଟାଣ୍ଡାର୍ଡ
ସିଏ ହୁଏ ନିଶ୍ଚେ ଫେଲ୍।
ବଙ୍ଗାଳୀ,ମରାଠୀ,ତେଲୁଗୁ,ତାମିଲ
ଯେତେ ଭାଷାଭାଷୀ ଛନ୍ତି,
ସଭିଏଁ ନିଜର ସ୍ଵାଭିମାନ ସହ
ରଖିଛନ୍ତି ଭାଷା ପ୍ରୀତି।
ଭାଷାଟି ହେଉଛି ଭାବର ଅସ୍ମୀତା
ହୃଦୟର ପରିଭାଷା,
ଆତ୍ମା ସହ ଆତ୍ମା ସଂଯୋଗୀକରଣ
ବଞ୍ଚିବାର ସଫା ରାସ୍ତା।
ଯେତେକ ରାଇଜ ଅଛି ଏ ଜଗତେ
କେ ନୁହେଁ ଉତ୍କଳ ପରି,
ଯେତେ ଭାଷା ଅଛି ଏହି ବ୍ରହ୍ମାଣ୍ଡରେ
କେ ହେବ ଓଡ଼ିଆ ସରି?
ଧନ୍ୟ ମୋ ରାଇଜ ଧନ୍ୟ ମଧୁବାବୁ
ଧନ୍ୟ ଫକୀର ମୋହନ,
ପ୍ରତି ଓଡ଼ିଆର ଅତି ଆପଣାର
ବନ୍ଦଇ ତୁମ ଚରଣ।
ତେଣୁ ହେ ଓଡ଼ିଆ ମୋ ଭାଷା ବଢ଼ିଆ
ଛାତିକୁ ଫୁଲେଇ କୁହ,
ଓଡ଼ିଶାର ଆଉ ଓଡ଼ିଆ ଭାଷାର
ଜୟଗାନ କରୁଥାଅ।
ଲେଖ ଓଡ଼ିଆ କୁହ ଓଡ଼ିଆ
ପଢ ଓଡ଼ିଆ ବହି,
ସାରା ଜଗତେ ଓଡ଼ିଆ ମାନ
ମହତ ଥାଉ ରହି।
ବନ୍ଦେ ଉତ୍କଳ ଜନନୀ