ବାଳୁତ ବାଜିଆ
ବାଳୁତ ବାଜିଆ
ଟିକିଏ କଥାରେ ଦେଉଥିଲା
ସିଏ ହସି,
କାମରେ ସେ ଥିଲା ଶାଣଦିଆ ପରି
ଆଗରେ ଦେଖି ବି ଡ଼ରିଲାନାହିଁ
ମୃତ୍ୟୁ ଆସୁଛି ଗ୍ରାସି ।
ଅଳପ ବୟସୁ କେଡେ ତା ସାହସ
ହୋଇବ କା 'ର,
ବନ୍ଧୁକଧାରୀ ଗୋରାସାହେବଙ୍କୁ
ନ କରିଲା ଅବା
କି ହରବର??
କଳକଳ ହୋଇ ବହିଯାଉଥିଲା
ନଦୀର ଜଳ,
ନାଆ ପରେ ବସି ଅବୋଧପଣେ ସେ
ଗାଉଥିଲା ଗୀତ ନିଜସ୍ୱ ଢଙ୍ଗରେ
ବେଳକୁ ବେଳ ।
ଠିକ ଏ ସମୟେ ନରହନ୍ତାମାନେ
ଛାଡିଲେ ଡାକ,
ପାରି କରି ଦେବୁ ଆରପଟେ ଯିବୁ
ଜାଳି ଦେବୁ ଆଜି
ଗାଁ ଟା ଯାକ ।
କାନରେ ବାଜିଲା ମହିଷ ମାନଙ୍କ
କ୍ଷିବଧ ବାଣୀ,
ନା, ହେବନାହିଁ ଏଥର ଦେଲା ସେ
ଉଚିତ ଜବାବ
ତିଳେ ନ ଡରି ।
ଏଡିକି ପିଲାର ବାକପଟୁତାରେ
ଦେଶ ଭକ୍ତିର ଅଗ୍ନିହୁଳା,
ଚିହିଁକି ପଡିଲେ ଜାନୁଆର ଦଳ
ରକ୍ତ ତାଙ୍କର ଗରମ ହେଲା ।
ଜ୍ୱଳନ୍ତ ଆଖିରେ ଚାହିଁଲେ ସେମାନେ
ନଦୀ ଆରପଟେ
ନାଆ ଟି ଆଡେ,
ଦୁର୍ଦ୍ଧଷ ବୀର ବାଳୁତ ବାଜିଆ
ଆଖିରୁ ତା ଅଗ୍ନି
ଛିଟିକି ପଡେ ।
ସ୍ତମ୍ଭିତ ହେଲେ ବିଦେଶୀ ଫଉଜ
ଭାବିଲେ ଏ ସେଇ
ଭାରତ ମାଟି,
ମାଟି, ଗୋଡି, ପାଣି ପବନରେଯାର
ଜାତୀୟତା ଭାବ
ଉଠୁଛି ଫୁଟି ।
ସେ ପଟୁ ବାଜିଆ ବଜ୍ରକଣ୍ଠରେ
ଶୁଣାଏ ଚରମ
ନାସ୍ତିବାଣୀ,
ପାରି କରିବିନି ଫେରିଯାଅ କୁତେ
ଦେଖିଛି ମୁଁ ତୁମ
ଶୃଗାଳ ଠାଣି ।
ଯାଅ ଯାଅ ଯାଅ .......
ଭାବୁଛ କି ତୁମ ବନ୍ଧୁକ ଦେଖି,
ଛାତି ରେ ପଶିବ
ମୃତ୍ୟୁ ଭୟ ।
ପୂଣ୍ୟ ମୋ ମାଆ କୋଳ ମଣ୍ଡନେ
ହୋଇଛି ଠିଆ
କଣ କରିବ କରିକି ଦେଖାଅ
ପତେଇ ଦେଇଛି ମୋ
କଅଁଳ ହିଆ ।
ରକ୍ତ ମୁଖା ସେ ନର ରାକ୍ଷସଙ୍କ
ଥରିଲା ଦେହ,
କ୍ରୋଧେ କମ୍ପିତ ହସ୍ତେ ବନ୍ଧୁକ
ଟ୍ରିଗର କୁ ଟିପି
ହେଲା ଅଥୟ ।
ବାଜି ରାଉତର ଚିବୁକ ଫୁଟାଇ
ବାଜିଲା ଗୁଳି
ପଡିଲା ଟଳି ।
ଦେଶ ପାଇଁ ସିଏ ଜୟ ଜୟ କରି
ପଡିଲା ଟଳି,
ମାଆ ର ମମତା ଚନ୍ଦନ ପରି ସେ
ସୋହାଗ ରେ ଦେହେ
ଦେଲା ସେ ନେସି ।
ଟିକିଏ କଥାରେ ଦେଉଥିଲା
ସିଏ ହସି ।
(ଆରାମ ରେ ଗଲା ଶୋଇ,
ଦେଶ ପ୍ରେମ ଗୀତ ଗାଇ,
ଶୁଖିଗଲା ଶେଷେ ତାର
ଶାଶ୍ୱତ ଝରଣ ।
ଯାଇଛି ସେ ଫେରିବାକୁ,
ମହା ମୃତ୍ୟୁ ଜିତିବାକୁ
ବାହୁଡା଼ ବିଜୟ ତାର
ନୁହେଁ ତ ମରଣ । )
