ଭାସିଯାଆ ଡଙ୍ଗା
ଭାସିଯାଆ ଡଙ୍ଗା
କୁନି ବିନି ଦୁହେଁ ପଢୁଛନ୍ତି ପାଠ
ବିଦ୍ଯାପୀଠେ ସୁନାଚାଟ
ତିଆରିଛନ୍ତି ସେ ପାଲଟଣା ଏକ
ନମୁନା ଟିକି ବୋଇତ ।
ଅଝଟିଆ ମୁନା ଅଟେ କୋଡପୋଛା
ଆଦରର ସାନଭାଇ
ଛିଗୁଲିଇ ତାଙ୍କୁ କହିଲା ଭଉଣୀ
ଡଙ୍ଗା ତ ଭାସିବ ନାହିଁ ।
ଆସେନି ତୁମକୁ ବୋଇତ ତିଆରି
ତୁମେ ଦୁହେଁ ବଡ ଓଲି
ଗୋଲ ଗୋଲ ଆଳୁ ପାଇଲେ ନମ୍ବର
ହସି ବଜାଇବି ତାଳି ।
କୁନି ବିନି ଦୁହେଁ ଫେରାଦ କରିଲେ
କହିଲେ ମାଆ ବୁଝାଇ
କରନାହିଁ ପାଟି ବାପା ଆସିଯାନ୍ତୁ
ମୁଣ୍ଡ ମୋର ଚୋବା ନାହିଁ ।
ଶୁଣି କଥା ବାପା ଡାକିଲେ ପିଲାଙ୍କୁ
ଆସ କୁନି ବିନି ମୁନା
ଯିବା ଆମେ ସବୁ ନଈ ଦେଖିବାକୁ
ତୁଟାଇବା ତୁମ ପାଲା ।
ସଙ୍ଗେ ଧରି ଚାଲ ତୁମର ନମୁନା
ଶୋଲ ତିଆରିର ଡଙ୍ଗା
ଭସାଇବା ତାକୁ ପାଣିରେ ନଈରେ
ମୁନାକୁ ଲାଗିବ ମଜା ।
ଦେଖି ନଈ ପାଣି ମୁନା ତ ଛାନିଆଁ
କହିଲା ଲାଗୁଛି ଡର
ଲାଉ ହୋଇ ବସି ବାପାଙ୍କ ପିଠିରେ
ଚାହୁଁଥିଲା ଜଳଜଳ ।
ଭାସିଲା ପାଣିରେ ନମୁନା ବୋଇତ
ଗତିକଲା ପବନରେ
କୁନି ବିନି ଦୁହେଁ ହେଲେ ଭାରି ଖୁସି
କହିଲେ କଥା ନସରେ ।
ନାଚିକୁଦି ଖେଳି ବୁଲାବୁଲି ପରେ
ଆସିଲେ ଘରକୁ ଫେରି
ମୁନା କହୁଥିଲା ସୁନା ମୋ ଭଉଣୀ
କିଏ ଅଛି ତାଙ୍କ ସରି ।
