STORYMIRROR

taptimayee Pandamishra

Inspirational Others

3  

taptimayee Pandamishra

Inspirational Others

ମାଟିମଗ୍ନା ପ୍ରାଣ ଛାଟେ

ମାଟିମଗ୍ନା ପ୍ରାଣ ଛାଟେ

1 min
235


ଭିଟା ମାଟି ବାସ୍ନା ସେ ମହୁଲି ନିଶା

ଶାନ୍ତିର ଦ୍ବାର ମୋ ସେହି

ଆର୍ତ୍ତ ଚିତ୍କାରକୁ ହୃଦୟେ ଚାପିଛି

ଦୁଃଖେ ଛଟପଟ ହୋଇ ।।

ଜହରଠୁଁ ବିଷ ଏ ବନ୍ଦୀ ଜୀବନ

ନାଗୁଣୀ ଫାସ ତ' ଇଏ

ଚୋଟ ମାରୁଅଛି ତୁହାକୁ ତୁହା ସେ

ମଉନ ରାଗରେ ସିଏ ।।

ଛାଡି ଘରଦ୍ବାର ଜ୍ଞାତି କୁଟୁମ୍ବକୁ

ହେଲି ମୁଁ ପର ଗୋତରୀ

ପାଇବାକୁ ସୁଖ ବିବାହ ବନ୍ଧନେ

ସ୍ବାମୀ ହାତକୁ ମୁଁ ଧରି ।।

ଅଳପ ଦିନର ସୁଖ ସ୍ବଚ୍ଛନ୍ଦରେ

ପଡିଗଲି ମୋହ ଜାଲେ

ତଥାପି ଭୁଲିନି ମୋ ମାଟି ମାଆକୁ

ଖେଳିବାକୁ ତାର କୋଳେ।।

ହାତଠାରି ଡାକେ ଏନ୍ତୁଡି ଶାଳ ମୋ

ମାଟି ମାଆ ଖୋଜେ ନିତି

ଯାହାରି କୋଳରେ ପ୍ରଥମ ପାଦକୁ

ଥାପି ଖେଳୁଥିଲି ମାତି ।।

ମରିଚିକା ପଛେ ଧାଇଁ ଧାଇଁ ଏବେ

ମନେ ପଡେ ପିଲାଖେଳ

ଜନମ ମାଟିର ପବିତ୍ର ରେଣୁକୁ

ମୁଣ୍ଡେବୋଳି ପୂଣ୍ୟସ୍ଥଳ ।।

ଭିଜୁଛି ଆଖିଟା ମାଟି ମୋହେ ବାନ୍ଧି

ଆକୁଳ ପରାଣ କାନ୍ଦେ

ମାଆର ପଣତ ମନେ ପଡିଯାଏ

ପଲ୍ଲୀଦୃଶ୍ୟ ହୃଦ ଛନ୍ଦେ ।।

ଛିଣ୍ଡାଇ ବନ୍ଧନ ବିରହ ପରାଣ

ପଞୁରୀରୁ ଉଡିଯାଏ

ବ୍ୟାକୁଳ ହୃଦୟ ଭୋକ ଶୋଷ ଭୁଲି

ମାଟିମଗ୍ନା ହୋଇଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational