ବର୍ଷା
ବର୍ଷା
ବରଷା ଗୋ ତୁମେ ରିମଝିମ୍ ଛନ୍ଦେ
ପଦପାତ କର ଧରା,
ବାଦଲ ଓଢ଼ଣୀ ମଥାପରେ ଟାଣି
ଦିଶୁଥାଅ ମନୋହରା,
ଆଗମନେ ତୁମର,
ଲଭି ତୁମ ପ୍ରୀତି ଫୁଲିଉଠେ ଛାତି
ଆମ ପ୍ରକୃତିରାଣୀର,
ଶୋଭା ମଣ୍ଡିତେ ଦିଶେ ସୁନ୍ଦର ।
ତୁମରି ପରଶେ ଏ ସଚରାଚର
ଜୀବଜନ୍ତୁ ବୃକ୍ଷଲତା,
ତୃଷିତର ଜ୍ଜ୍ବାଳା ତୃପତେ ସରବେ
ଆନନ୍ଦରେ ବିମୋହିତା,
ବାରି ତାପ ଗ୍ରୀଷମ,
ପ୍ରତି ଦେହେ ଭରିଦିଅ ମାଦକତା
ଝରାଇ ଶୀତଳ ପ୍ରେମ,
ଯାହା ଦୁର୍ଲ୍ଲଭ ବି ଅନୁପମ ।
ତୁମ ଆଲିଙ୍ଗନେ ଶ୍ୟାମଳିମା କ୍ଷେତ
ହସିଉଠେ ଖିଲିଖିଲି,
କୃଷକର ପ୍ରାଣ ଆନନ୍ଦେ ବିଭୋର
ଦେହକଷ୍ଟ ଯାଏ ଭୁଲି,
ତୁମ ଜୟ ଗାନରେ,
ଲାଗିପଡେ ନିତି ମନେ ବହି ପ୍ରୀତି
ଛନ୍ଦ ତୋଳି ନାନା ସୁରେ,
ସତେ ପୀୟୂଷ କି ପାନ କରେ ।
ତୁମକୁ ଧାରଣେ ନଦୀ, ପୁଷ୍କରିଣୀ
ବକ୍ଷଦେଶ ଫୁଲିଉଠେ,
ତଟିନୀ ଧାଇଁଣ କଳକଳ ନାଦେ
ମୁହାଣେ ପ୍ରେମିକ ଭେଟେ,
ଅସୁମାରୀ ପ୍ରତୀକ୍ଷା,
ଅବସାନ ଘଟେ ଉତ୍ଫୁଲ୍ଲିତ ପ୍ରାଣେ
ବିସ୍ମରି ଯାଏ ତା' ଦକା,
ତୁମେ ତା'ର ଚିର ପ୍ରିୟ ସଖା ।