ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅନନ୍ତ ଆକାଶର ପରୀଟିଏ
ଯୌବନରେ ପାଦ ଥାପିବାର
ଅଦମ୍ୟ ଅଭିଳାଷ ପରାକାଷ୍ଠା ପ୍ରତିପାଦନ କରୁ କରୁ
ଆଜି ଅସୁରକ୍ଷିତ
ସମାଜ ଭିତରେ ।
ଅତ୍ୟାଚାରୀ ମାନବର
ଲୋଲୁପ୍ତ ଚାହାଣି ଆଗରେ
ହାର ମାନି ଯାଏ
ତା'ର ଭବିଷ୍ୟତର ଆଶା
ନିର୍ଯାତିତ ହୁଏ
ଯୌବନର ସୂର୍ଯ୍ୟ ଉଦୟରେ ।
ଗୁଣୁ ଗୁଣୁ ଗୀତ ଗାଏ
ନୀଡଟିଏ ପାଇଁ
ସ୍ବପ୍ନର କୌଣାର୍କ
ସୃଷ୍ଟି କରେ ଜନ ମାନସରେ
ଅନେକ ଆଶା ତା'ର
ଚଞ୍ଚଳା ସେ
କୁହେଳିକା ର ସୁନାମୀ
ଅଙ୍ଗରେ ଅଙ୍ଗରେ ।
ଗୁଣ୍ଠନର ଆବରଣ ଜାଣେନି
ଗଗନର ସ୍ବାଧୀନ ପକ୍ଷୀଟିଏ
କଅଁଳିଆ ଡେଣାରେ
ପ୍ରଜାପତିଙ୍କ ରଙ୍ଗମଞ୍ଚ
ନୀଳ ଆକାଶର
ଅମାନିଆ ପରୀଟେ
ଘର ଭିତରର
ବଗିଚାର ସବୁଜ ପତ୍ର
ମଧ୍ୟରେ ଥିବା ସଦ୍ୟଫୁଟା
ଗୋଲାପ କଢିଟିଏ
ଘର ଅଗଣାର ।
ପୁଷ୍ପକ ବିମାନ ଚଢେ,
ଦିବସରେ ଗଣି ପାରେ ତାରା
ଅନେକ ଉତ୍ତାପ ତା ଛାତିରେ
ଶରୀରରେ ଅମାପ ଶିହରଣ
ଅଙ୍ଗଭଙ୍ଗୀରେ ବିଶେଷ ପରିବର୍ତ୍ତନ
ପାରିଜାତ ବଗିଚାର
ସେ ସଦ୍ୟ ଫୁଲଟିଏ।
ଅଭିମାନିନୀ ଗୋପିକାଟିଏ
ଭଣ୍ଡାରର ହୀରାଟିଏ
ମନ୍ଦିରର ଚୂଡାଟିଏ
କୌଣାର୍କର ପାଶାଣେ
ଖୋଦିତ ନୃତ୍ୟଶିଳ୍ପୀ ଟିଏ ।
ଅସୁରକ୍ଷିତ ପରୀ ଆଜି
ସମାଜର ଅବିବେକୀ
ଦୁଃଶାସନ ରାବଣ କବଳରେ
ଅପହରଣ ହୁଏ
କଢରୁ ମଉଳି ଯାଏ
ବୃନ୍ତଚ୍ଯୁତ ବଗିଚା ମଧ୍ୟରୁ
ଏ ସମାଜର
ଅପବାଦ, ଭତ୍ସନା, ଅତ୍ୟାଚାରରେ
ଦଳିମକଚି ଧର୍ଷିତା ହୋଇଯାଏ
ପୂର୍ବ ସୂର୍ଯ୍ୟ ଦେଖିବା ପୂର୍ବରୁ
ଲୋଚା କୋଚା ହୋଇ
ଧରିତ୍ରୀରେ ପଡି କାନ୍ଦୁ ଥାଏ ।
ସୁନେଲି ସପନ
ଆଶାରେ ହିଁ ରହିଯାଏ
ସଜ ଫୁଟା ଫୁଲରୁ
ବାହାରି ଆସି
ପାଲଟିଯାଏ
ସହସ୍ର ଭ୍ରମରର
ବାସହୀନ ବୃନ୍ତଚ୍ୟୁତ
ଅପ୍ରାକୃତିକ ଫୁଲଟିଏ
ଶହ ଶହ ଭ୍ରମରକୁ
ଆପଣେଇବାର ନିଶାରେ
ଦେହ ବିକ୍ରି କରେ
ସାଜିଥାଏ ସ୍ବର୍ଗ ଅପସରୀ ।
ତା କଅଁଳିଆ କଞ୍ଚା ମାଂସକୁ
ଖାଇବା ଲୋଭରେ
ଶହ ଶହ କୁକୁରର ଭିଡ ଜମେ
ବୈଶ୍ୟା ପଡା ଠାରେ
କୃତ୍ରିମ ହସ, କୁତ୍ରିମ ବେଶରେ
ସଜେଇ ହୋଇଯାଏ
ଲମ୍ପଟ ପୁରୁଷ ପାଖରେ ।
ପରୀ ଆଜି ପରୀ ନୁହେଁ
ଆଧୁନିକ ନାମେ
ପରୀ ଆଜି ଅସୁରକ୍ଷିତ
ମାନବର ଆବଶ୍ୟକ ବସ୍ତୁ
ଦାଦନ ସେ ସମାଜ ଭିତରେ
ମୂଲ୍ୟହୀନ ଜୀବନ ତାହାର
ବଗିଚାର ଫୁଲ ସେ
ଅନେକ ଭ୍ରମରର
ଭୋଗ୍ୟ ବସ୍ତୁ ରାକ୍ଷସଙ୍କର
ତୃଷ୍ଣା ମେଣ୍ଟାଇବା ରେ ।
ତଥାପି,
ନାରୀ ସେ
ସମାଜର ସୃଷ୍ଟିକାରିଣୀ
ସମାଜର ବିଳୟକାରୀ
ସେ ସର୍ବସଂହା
ଜନନୀ, ଭଗିନୀ, ଜାୟା, କନ୍ୟା
ଚାରି ରୂପ ଚାରି ଯୁଗ ତା'ର,
ସେ ଉଠିବ
ଶତ ସିଂହର ବଳ ନେଇ
ମାଁ କାଳୀ ହୋଇ
ପାପ ଓ ପାପୀର
ବିନାଶର ପାଇଁ
ସମାଜରେ ପରୀର
ସୁରକ୍ଷାକୁ ନେଇ ।