କଳଙ୍କ
କଳଙ୍କ


କଳଙ୍କ କାଳିମା ବୋଳି ହୋଇଗଲେ
ଜୀବନରେ ଏକବାର,
ମୃତ୍ୟୁ ହେବା ଯାଏଁ ରହେ ସେ କଳଙ୍କ
ଘୃଣା ପାତ୍ର ହୁଏ ନର ।
ଇନ୍ଦ୍ରଙ୍କ ଶରୀରେ ନାରୀ ଲୋଭ ପାଇଁ
କଳଙ୍କ ଲାଗିଲା ଯାଇ,
ଚନ୍ଦ୍ରଙ୍କ ଦେହରେ କଳଙ୍କ ଲାଗିଲା
କଳା ହୋଇଲେ ତ ସେହି ।
କାମୁକ ପୁରୁଷ କାମିନୀ ଲୋଭରେ
କାମୁକା ହୋଇ ସେ ମରେ,
କାମନା ତାହାର ପୁରଣ ନ ହେଲେ
ଯାହା ଇଚ୍ଛା ତାହା କରେ ।
ପେଟ ପାଇଁ କିଏ କଳଙ୍କିତ ହୁଏ
ତନ୍ତ୍ରୀ ମରେ ଲୋଭେ ଅତି,
ସତ୍ ମାର୍ଗ ଭୁଲିଲେ ଅପଥରେ ଗଲେ
କଳଙ୍କିତ ହୁଏ ଜାତି ।
ଜଣଙ୍କର ପାଇଁ ସଂପୂର୍ଣ୍ଣ ସମାଜ
କଳଙ୍କିତ ହୋଇ ଯାଏ,
ସଂସ୍କାର ନ ଥିଲେ ସମାଜ ଭିତରେ
କଳଙ୍କ ର ନାମ ପାଏ ।
କାଳର ଗ୍ରାସରେ ହନ୍ତସନ୍ତ ହୁଏ
ନିଜ ଧର୍ମ ଭୁଲିଯାଏ,
କାଳକୁଟ ପରି ବିଷ ତା କଣ୍ଠରେ
ସବୁବେଳେ ରହିଥାଏ ।
ପାପ ଭାର ତାର ବଢିଯାଏ ଯେବେ
କାଳାନ୍ତକ ଟାଣି ନିଏ,
କାଳରାତ୍ରି ଆସେ ଭୟଙ୍କର ବେଶେ
ବଞ୍ଚିବି ସେ ମରିଥାଏ ।
କିଂଶୁକ ପରାଏ ବାସହୀନ ହୋଇ
କିତବ ସମାଜେ ହୁଏ,
କିଲ୍ବିଷ ର ଭାରା ବଢି ବଢି ଯାଏ
କଳଙ୍କିତ ହୁଏ ସିଏ ।
ସମାଜ ନିୟମ ସମାଜ ସଂସ୍କୃତି
ଯା ହୃଦେ ଜନମି ନାହିଁ,
କଳଙ୍କ କାଳିମା ତା ଶରୀରେ ଲାଗେ
ଭଲ ନ ପାଆନ୍ତି କେହି ।
ଆସ ଭଗବାନ କରୁଣା କର ହେ
କଳଙ୍କ ନ ଲାଗୁ ମତେ,
ଏହି ଦୟାକର ସତ୍ ପଥରେ ଯିବି
ଦୁଃଖ ଆସୁ ପଛେ ଯେତେ ।