ଭାଇ ଭଉଣୀ ସମ୍ପର୍କ
ଭାଇ ଭଉଣୀ ସମ୍ପର୍କ


ଧର୍ମ ସଂକଟର ବେଳ ଲୋ ବଉଳ
ଧର୍ମ ସଂକଟର ବେଳ
ଭାଇ ଠାରୁ ବଡ ସମ୍ପର୍କ ନାହିଁ ଲୋ
ଭାଇ ଠାରୁ ବଡ ବଳ ।
ଭାଇ ଭଉଣୀର କି କଥା କହିବି
ବଉଳ ଲୋ ଡେରି କାନ
ଭାଇ ଜିଉନ୍ତିଆ ଭ୍ରାତୃ ଦ୍ୱିତୀୟା
ରକ୍ଷା ବନ୍ଧନର ମାନ ।
ଓଡିଆ ଘରର ମୁଖିଆ ସେ ପରା
ଭାଇ ଭଉଣୀଙ୍କୁ ଧରି
ରତ୍ନ ସିଂହାସନ ମଣ୍ଡନ କରନ୍ତି
ଏକତା ମନ୍ତ୍ର ଆବୋରି ।
ଭଉଣୀଙ୍କ ହାତ ନାହିଁ ଦୁଇ ଭାଇ
ଦୁଇ ହାତ ବଢାଅନ୍ତି
ମଝିରେ ବସାଇ ଅଭୟ ଦିଅନ୍ତି
ଜଗତେ ଶିକ୍ଷା ଦିଅନ୍ତି ।
p>
ଭାଇ ଭଉଣୀଙ୍କୁ ଧରି ଜଗନ୍ନାଥ
ବାହାରିଲେ ଗୁଣ୍ଡିଚାକୁ
ବଡ ଭାଇ ଆଗେ ମଝିରେ ଭଉଣୀ
ଜଗତେ ଦେଖାଇବାକୁ ।
ଘରଣୀ ଋଷିବେ ଜଣା ନାହିଁ କିବା
ଆସିବେ ପଛରେ ଖୋଜି
ସେ ପାଇଁ ଜଗାର ତିଳେ ଚିନ୍ତା ନାହିଁ
ଗୁଣ୍ଡିଚାରେ ମନ ମର୍ଜି ।
ଫେରିଲେ ପଛକୁ ଘରଣୀଙ୍କୁ ଖୁସି
କରିବାର ମନ୍ତ୍ର ଜଣା
ସ୍ୱାମୀ ହୋଇ ଯଦି ସେତିକି ନ ଜାଣ
ହେବ କି ଘର କରଣା !
ଭାଇ ଭଉଣୀର ସମ୍ପର୍କ ବଉଳ
ମହା ସଂକଟରେ ଆଜି
ଜଗତ ନାଥଙ୍କୁ ଗୁହାରି କରୁଛି
ସମ୍ପର୍କକୁ ଦିଅ ମାଜି ।