ଭାଗ୍ଯ ହାତେ ଡୋରି
ଭାଗ୍ଯ ହାତେ ଡୋରି
ଲାଗେ ବିଡମ୍ବନା ସପନ ଅଧୁରା
କର୍ମଫଳ ହୁଏ ବାମ
ମଣିଷ ଜୀବନ ନୁହଁଇ ସ୍ବଚ୍ଛନ୍ଦ
ଲାଗେ ଜଡ ପ୍ରାଣହୀନ ।
ଥିଲା ସୁଖ ଶାନ୍ତି ସରାଗ ସେନେହେ
ପରିପୂର୍ଣ୍ଣ ପରିବାର
ଏବେ ଅପାଂକ୍ତେୟ ବୃଦ୍ଧ ମାତାପିତା
ପୁଅଝିଅ ସାତପର ।
ଗ୍ରାମ୍ଯ ପରିବେଶ ପଡୋଶୀ ସମାଜ
ଲାଗୁଥିଲା ଆପଣାର
ନିଃଶ୍ୱାସକୁ ଏବେ ପାଉନି ବିଶ୍ବାସ
ପାଟି ଖୋଲିବାକୁ ଡର ।
ବିତେ ମାସ ବର୍ଷ ବିଦ୍ଯା ଉପାର୍ଜନ
ଯୁଟେନାହିଁ କାମଦାମ
ବାନ୍ଧେ ହାତଗୋଡ ବେକାରୀ ଦାଦନ
ଗ୍ରାସେ ନିଶା ସଇତାନ ।
ନୀରବ ଈଶ୍ୱର ବ୍ରହ୍ମା ବିଷ୍ଣୁ ଶିବ
ଉଚ୍ଛନ୍ନ ଧର୍ମ ସଂସ୍ଥାନ
ବାଡ ଚରିଯାଏ ଫସଲ କ୍ଷେତକୁ
ବିବଶ ଗଣ ଶାସନ ।
ଅନୀତି ଅନ୍ଯାୟ ମିଥ୍ଯା ଭ୍ରଷ୍ଟାଚାର
ଅନ୍ଧକାର ବକ୍ଷ ଚିରି
ଆଶାର ଅରୁଣ ଆସ ଅବତରି
ଧର ହାତେ ଭାଗ୍ଯ ଡୋରି ।
