STORYMIRROR

Binodini Dash

Inspirational

4  

Binodini Dash

Inspirational

ଭାଗବତର ପରୀକ୍ଷିତ

ଭାଗବତର ପରୀକ୍ଷିତ

1 min
5


ଅଭିମନ୍ୟୁ ସୁତ ରାଜା ପରୀକ୍ଷିତ

ଜନମି ଉତ୍ତରା ଗର୍ଭରେ

ରଚି ଯାଇଛନ୍ତି ଅକ୍ଷୟ କୀରତି

ସକଳ ଆର୍ଯ୍ୟାବର୍ତ୍ତରେ

ଶମୀକ ମୁନି

ପୁତ୍ର ଶୃଙ୍ଗୀ ଅଭିଶାପରେ

ମୃତ୍ୟୁ ସାତ ଦିନେ ଚକ୍ଷକ ଦଂଶନେ

ଭାଗବତ ଗାଥା ସଂସାରେ ।


ମହାଭାରତର ଯୁଦ୍ଧ ସମୟର

କାହଣୀ ଅତୀବ ବିଚିତ୍ର

ଅଶ୍ଵତ୍ଥାମା ବୀର ପେଶେ ବ୍ରହ୍ମଶର

ନାଶାର୍ଥେ ଉତ୍ତରାର ପୁତ୍ର

ଜାଣି ଶ୍ରୀକୃଷ୍ଣ

ସୁଦର୍ଶନ ତୋଳି ହସ୍ତରେ

ପଶି ଗରଭରେ ବିଷ୍ଣୁତେଜ ବଳେ

ଗର୍ଭସ୍ଥ ଶିଶୁ ରକ୍ଷାକଲେ ।


ଜନ୍ମେ ବିଷ୍ଣୁରାତ ନାମରେ ପ୍ରଖ୍ୟାତ

ସେଥିପାଇଁ ପୁତ୍ର ହୋଇଲା

ଗର୍ଭରେ ଦର୍ଶନ ଯେଉଁ ରୂପ ଜାଣ

ସ୍ମରି ସେ ପୁରୁଷେ ଖୋଜିଲା

ଲୋକ ଭିତରେ

କେ ସିଏ ଜଣିବାକୁ ଚାହିଁ

ପରୀକ୍ଷା କରନ୍ତେ ନାମ ପରୀକ୍ଷିତ

ସେଦିନୁ ଜଗତେ ବୋଲାଇ ।


ସମୟଚକ୍ରରେ ଧରା ଛାଡ଼ିଗଲେ

ଶ୍ରୀକୃଷ୍ଣ ପରମ ପୁରୁଷ 

ଶୋକରେ ବିଭୋର କୁନ୍ତୀ ପଞ୍ଚପୁତ୍ର

ଇଚ୍ଛା କରି ସରଗବାସ

ରାଜ୍ୟ ସମର୍ପି 

ନାତି ପରୀକ୍ଷିତ ହାତରେ

ପାଞ୍ଚାଳୀ ସହିତ ଚଳିଲେ ତ୍ବରିତ

ଗିରି ହିମାଳୟୋଦ୍ଦେଶ୍ୟରେ ।


କେତେ କାଳ ଗଲା ଅଭିମନ୍ୟୁ ବଳା

ପ୍ରଜା ପାଳି ନୀତି ଆଦର୍ଶେ

ଶାସକ ଉତ୍ତମ ଗଣ୍ୟ ଧରାଧାମ

ମଣ୍ଡିତ ନାନା ଖ୍ୟାତି ଯଶେ

ମୃଗୟା ଅର୍ଥେ

ଏକଦା ବନରେ ପ୍ରବେଶି

ମୃଗ ସନ୍ଧାନରେ କ୍ଷୁଧା ତୃଷାତୁରେ

ଭେଟିଲେ ଧ୍ୟାନସ୍ଥ ମହର୍ଷି ।


ମାଗି ମାଗି ଜଳ ପଛେ ହୀନବଳ

ଉତ୍ତର କିଛି ବି ନ ପାଇ

ଜ୍ଞାନଶୂନ୍ୟ ହୋଇ ଧନୁହୁଳେ ନେଇ

ମୃତ ନାଗସର୍ପ ଲମ୍ବାଇ

ମୁନି ଗଳାରେ

ବାହୁଡ଼ିଲେ ହସ୍ତିନାପୁର

ସଙ୍ଗୀ ବାଳକଠୁ ଶୁଣେ ଏକଥାକୁ 

ଖେଳୁଥିବା ଋଷି କୁମର ।


ଆସି ସେ ଆଶ୍ରମ କୋପାଳନ ସମ

ଜଳ ହସ୍ତେ ମନ୍ତ୍ରୋଚ୍ଚାରଣ

ଅଦ୍ୟରୁ ସପତ ଦିନେ ପରୀକ୍ଷିତ

ତକ୍ଷକ ନାଗ ଦଂଶନ

ଶମୀକ ମୁନି

ଧ୍ୟାନ ତେଜି ଜାଣି ଏକଥା

ଦୁଃଖରେ କାତର କି କଲୁ କୁମର

ଅପକ୍ବରେ ଦଣ୍ଡ ବ୍ୟବସ୍ଥା !


ପ୍ରାଣନାଶ ପାଇଁ ଭୟାଳୁ ନହୋଇ

ନିବେଶି ଚିତ୍ତ ପ୍ରଭୁଠାରେ

ସକଳ ଆସକ୍ତି ତେଜି ନରପତି

ପହଞ୍ଚିଲେ ଗଙ୍ଗା କୂଳରେ

ଶ୍ରୀଶୁକଦେବ

ଭଗବତ୍ ସ୍ବରୂପର ଜ୍ଞାନ

ସେଠି ଉପଲବ୍ଧି କରାଇ ସେ ସୁଧୀ

ଆତ୍ମା ମୋକ୍ଷପଥ ଭାଜନ ।




Rate this content
Log in

Similar oriya poem from Inspirational