ଭାଗବତକାର ଜଗନ୍ନାଥ ଦାସ
ଭାଗବତକାର ଜଗନ୍ନାଥ ଦାସ
ଧନ୍ୟ ଧନ୍ୟ ତୁମେ ଉତ୍କଳର ବ୍ୟାସ l
ଆହେ ଅତିବଡ଼ି ଜଗନ୍ନାଥ ଦାସ ll
ପ୍ରାକୃତ ପ୍ରବନ୍ଧେ ଲେଖି ଭାଗବତ l
ଓଡ଼ିଆ ଜାତିକୁ କଲ କୃତ୍ୟ କୃତ୍ୟ ll
ଅମୀୟ ରସାଳ ଗୀତ ନବାକ୍ଷରୀ l
ଛନ୍ଦେ ଛନ୍ଦେ କୃଷ୍ଣ ରସ ଅଛି ପୁରି ll
ସରଳ ତରଳ ଶିଶୁ ବୋଧ୍ୟ ଯଥା l
ବୋଧଗମ୍ୟ ଗୂଢ଼ ତତ୍ତ୍ୱ ହରି କଥା ll
ଗ୍ରାମେ ଗ୍ରାମେ ଭାଗବତଟୁଙ୍ଗି ମାନ l
ପଲ୍ଲୀ ବାସୀଙ୍କର ଚିତ୍ତ ବିନୋଦନ ll
ବୃଦ୍ଧ ବାଳ ବସି ସର୍ବେ ଏକ ମେଳେ l
ତତ୍ତ୍ଵର ବିଚାର ପ୍ରତି ସଞ୍ଜ ବେଳେ ll
ଲୋଡ଼ା ନାହିଁ କିଛି ଶାସ୍ତ୍ରର ପାଣ୍ଡିତ୍ୟ l
>
ଅତୀବ ସରଳ ମଧୁମୟ ଗୀତ ll
ତବ ଗୀତେ ହୁଏ ନାସ୍ତିକ ଆସ୍ତିକ l
ଭାବେ ଭାଗବତ ମୁକ୍ତି ପ୍ରଦାୟକ ll
କର୍ଣ୍ଣରେ ଶ୍ରବଣ ପୁଣି ମୃତ୍ୟୁ କାଳେ l
ଅପାଠୁଆ ସବୁ ପାଠୁଆ ହୋଇଲେ ll
ଓଡ଼ିଆ ଜାତିର ଜୀବନ ସମ୍ପଦ l
ଜୀବନସଂହିତା ଜୀବନର ବେଦ ll
ଭାଦ୍ରବ ପୂର୍ଣ୍ଣିମା ଆଜି ଉତ୍କଳରେ l
ତବ ଗ୍ରନ୍ଥ ପୂଜା ପ୍ରତି ଘରେ ଘରେ ll
ଗ୍ରାମେ ଗ୍ରାମେ ଆଜି ହୁଅଇ ଝଙ୍କୃତ l
ଭାଗବତ କହେ ବିପ୍ର ଜଗନ୍ନାଥ ll
ତୁମ୍ଭେ ଏ ଜାତିର ସ୍ମରଣୀୟ ଚିର l
ତୁମ୍ଭ ପଦେ କରେ ଶତ ନମସ୍କାର ll