STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଭାଗବତ

ଭାଗବତ

1 min
320

ପୁସ୍ତକ ନୁହେଁ କି ପୁରାଣ ନୁହେଁ ସେ

ଦିବ୍ୟ ଜୀବନର ପରିଭାଷା,

ଜ୍ଞାନ ଓ ଭକ୍ତିର ଜୀବନ୍ତ ଆଧାର

ଜୀବନରେ ଭରିଦିଏ ଆଶା। 


ଓଡ଼ିଆ ଜାତିର ଅମୂଲ୍ୟ ଅସ୍ମିତା 

ଘରେ ପୁରେ ଅତି ପରିଚିତ,

ଭାଗବତ ଟୁଙ୍ଗୀ ବଖାଣେ ତା ଗାଥା

କଣ୍ଠେ କଣ୍ଠେ ସ୍ଵୟଂ ପ୍ରତିଷ୍ଠିତ। 


ଭାବ ବିଶ୍ଵାସର ମକରନ୍ଦ ଝରେ

ନବାକ୍ଷରୀ ପଦ ପାଖୁଡ଼ାରୁ,

ଆଧ୍ୟାତ୍ମ୍ୟ ଚେତନା ବିଛୁରିତ ହୁଏ

ସେ ମହାକାବ୍ୟର ଅକ୍ଷରରୁ। 


ଜୀବନର ପ୍ରତି ସମସ୍ୟାର ଅଛି

ତାର ପାଶେ ସମାଧାନ ସୂତ୍ର,

ଭୋଗୀ ଯୋଗୀ ବୈରାଗୀକୁ ଦେଇପାରେ

ସାର୍ଥକ ଜୀବନ ପାଇଁ ସୂତ୍ର। 


ପୁସ୍ତକ ନୁହେଁ ସେ ସ୍ଵୟଂ ଭଗବାନ

ଭ୍ରମିତକୁ ଦେଖାଅନ୍ତି ପଥ,

ଚତୁର୍ବର୍ଗ ଫଳ ପ୍ରାପ୍ତ ହେବା ପାଇଁ

ଏକ ମାତ୍ର ଉନ୍ମୋଚିତ ପଥ। 


ତ୍ରିବିଧ ତାପର ସମୁଳେ ବିନାଶ

ପାଇଁ ତାର ପାଶେ ଅଛି ବିଧି,

ଜନ୍ମ ମୃତ୍ୟୁର ଏ ଯାତ୍ରା ରୋଧକରି

ଦେବାକୁ ସକ୍ଷମ ମୁକ୍ତି ନିଧି। 


ଭବ ଜଳଧିରେ ପରମ ଆଶ୍ରୟ

ପରମ କଲ୍ୟାଣ ପ୍ରଦାୟକ,

ଆନନ୍ଦ ରସରେ ଭିଜା ପ୍ରତି ଶବ୍ଦ

ହରିନିଏ ଯେତେ ଦୁଃଖ ଶୋକ। 


ବ୍ରହ୍ମାଣ୍ଡର ଅତି ଗୁପ୍ତ ଗୁଢ ତତ୍ତ୍ଵ

ବୁଝାଇ ଦିଏ ସେ ସହଜରେ,

ଭୂତ ବର୍ତ୍ତମାନ ଭବିଷ୍ୟର ଯେତେ

ପାଠ ସବୁ ଅଛି ଏ ଗ୍ରନ୍ଥରେ। 


ଏକତାର ସୂତ୍ରେ ବାନ୍ଧି ରଖିଥିଲା

ବିଧର୍ମୀ ମାନଙ୍କ ଅତ୍ୟାଚାରେ,

ଆଜି ବି ଓଡ଼ିଆ ଚେତନା ରାଜ୍ୟରେ

ଉଡ଼ାଏ ପତାକା ଗୌରବରେ। 


ଭାଗବତ ଟୁଙ୍ଗୀ ନାହିଁ ଆଜି ସତ

ବିରାଜେ ସେ ପ୍ରତି ହୃଦୟରେ,

ଜନ୍ମ ଦିବସରେ ଏହା ହିଁ ସଙ୍କଳ୍ପ

ଉଜ୍ଜୀବିତ ହେଉ ଅନ୍ତରରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract