ବୋଉ
ବୋଉ
'ବୋଉ' ଶବ୍ଦ ନୁହେଁ ମହାକାବ୍ୟଟିଏ,
ବାତ୍ସଲ୍ୟ ଭରା ସେ ଗ୍ରନ୍ଥ,
ଉତ୍ତମ ଭାବେ ଯେ ସେ ଶବ୍ଦ ବୁଝିଛି,
ସେଇ ଏକା ଭାଗ୍ୟବନ୍ତ।
ବୋଝ ସଂସାରର ମଥା ପରେ ବୋହି,
ଅଣ୍ଟା ଭାଙ୍ଗି ଯାଏ ସିନା,
ଉତ୍ଥାନ ପତନ ଜୀବନ ଭିଡ଼ରେ ,
ବୋଉ ଏକା ଆଶ୍ୱାସନା।
ବୋଇତଟେ ଯେହ୍ନେ ଘନ ସମୁଦ୍ରରେ,
ନାବିକ ନିର୍ଦ୍ଦେଶେ ଭାସେ,
>ଉଲଙ୍ଗ ଶିଶୁଟି ମାତୃ ହସ୍ତ ଧରି,
ସଭ୍ୟ ହୋଇ ଧୀରେ ହସେ।
ବୋଧଶକ୍ତି ସତେ ହଜିଯାଏ କାହିଁ,
ତା ସାନ୍ନିଧ୍ୟ ଦେଲେ ଛାଡ଼ି,
ଉଡ଼ିଗଲେ ଦୂର ଆକାଶ ମୋହରେ,
ପକ୍ଷ ଦିନେ ଯାଏ ଛିଡ଼ି।
ବୋଲିବୋଲି କଣ୍ଠ ପଡ଼ିଯାଏ ସିନା,
ସରେନାହିଁ ତା ମହିମା,
ଉଚ୍ଚତା ତା ମାପିବାକୁ କରି ଚେଷ୍ଠା,
ମିଳେନାହିଁ ଶେଷ ସୀମା।