STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ନିରୁପାୟ

ନିରୁପାୟ

1 min
217

ଘନେଇ ଆସୁଛି ଭୟ

ନିରୁପାୟ କରିଦେଇ ଯେତେ ସବୁ 

ଜ୍ଞାନ, ବିଜ୍ଞାନ ଓ କଳା କୌଶଳକୁ,

କେଜାଣି, କେବେ ଓ କାହିଁକିର

ପ୍ରଶ୍ନବାଣରେ ଛନ୍ଦି ହୋଇ 

ଜୀବନ ଛିଡ଼ା ହୋଇଛି ଆଜି

ସଂଶୟର ଦୋଛକିରେ

ନିରାଶା ଭିତରେ କିଛି ସମ୍ଭାବନାର ଆଶାରେ। 


ଝରକା ସେପାଖେ ଦିଶେ

ଲମ୍ବା ଏକ ଅନ୍ଧାରୀ ଗୋହିରୀ

କେହିଜଣେ ହତ୍ୟାକାରୀ ମାରଣାସ୍ତ୍ର ଧରି

ଖେଳାଇଛି ବାହାରେ ପରାଣ ଆତଙ୍କ,

ଅସତର୍କ ବାଟୋଇଙ୍କୁ ଲୁଟିନିଏ

ଅଲକ୍ଷରେ ସମ୍ବାଦ ନଦେଇ। 


ଏ ଭୟଭୀତ ହେବାର ବେଳ ନୁହେଁ

ସତର୍କ ହେବାର ସମୟ

ନିଜକୁ ସୁରକ୍ଷିତ ରଖିବାର ସମୟ

ଦୂରତା ଭିତରେ ବି ଯୋଗସୂତ୍ର ରଖିବାର ସମୟ

ଏକା ହୋଇ ବି ଧୈର୍ଯ୍ୟ ସାଉଁଟି ଆଣି

ସମସ୍ତଙ୍କୁ ବାଣ୍ଟିବାର ବେଳ

ହାରିବା ଜିତିବାର ଦ୍ଵନ୍ଦରୁ ବାହାରି ଆସି

ନିଜକୁ ସମ୍ଭାଳିବାର ସମୟ।


ଅବଶ୍ୟ ଏ ଅନ୍ଧାରର ଆୟୁଷ 

ଟିକେ ଦୀର୍ଘ ହେଲେ ବି, ଶେଷ ସୁନିଶ୍ଚିତ

ଜୀବନ ଯେତେ ଅଣାୟତ ହେଲେ ବି

ଉଚିତ ସମୟରେ ହେବ ସେ ଆୟତ,

ଆଲୋକର ଆସିବା ବିଳମ୍ବ ହୋଇପାରେ

କିନ୍ତୁ ସୂର୍ଯ୍ୟୋଦୟର ନିର୍ଘଣ୍ଟ ବଦଳି ନପାରେ

ଏକ ଧୈର୍ଯ୍ୟପୂର୍ଣ ପ୍ରତୀକ୍ଷା ଚୌକିରେ

ବସିରହି ସାକ୍ଷୀ ହେବା ଆସ

ସମୟର ଏ ଅଶାନ୍ତ ରୂପର। 


ଭାଙ୍ଗିଯାଇ ପାରେ ପଥ

ଉଡ଼ିଯାଇ ପାରେ ଚାଳ

ଛିଡ଼ିଯାଇ ପାରେ ଅନେକ ଯୋଗସୂତ୍ର

ଅନେକ କିଛି ହରେଇବାକୁ ପଡ଼ିପାରେ

ହୁଏତ ସମୟର ଏ ନିଷ୍ଠୁର ନିର୍ଘଣ୍ଟରେ,

କିନ୍ତୁ ହାରିବନି ଆତ୍ମବିଶ୍ବାସ

ସରିବନି ଆଶା ସ୍ୱପ୍ନ ଓ ଇଛାର ନିଶ୍ବାସ

ଜଟିଳତା ଭିତରେ ବି ଚମକିବ ଜୀବନ

ସୃଷ୍ଟି ହେବ ଜୀବନର ଆଉ ଏକ ବିବର୍ତ୍ତନ

ବଞ୍ଚିବାର ହେବ ଏକ ନୂତନ ରୂପାନ୍ତରଣ

କିନ୍ତୁ ଜୀବନ ସେମିତି ଜୀବନ ହୋଇ ରହିବ

ଖାଲି ଯାହା ବଦଳିଯିବ ବଞ୍ଚିବାର ଉପାଦାନ କିଛି। 



Rate this content
Log in

Similar oriya poem from Abstract