ଭାବରେ ଭଗବାନ
ଭାବରେ ଭଗବାନ
ପରିଚୟ ମତେ
ଦେବାକୁ ହେବକି
ତୁମ ଦେଉଳକୁ ଆସି
ଜାତି ବୃତ୍ତି ଗୋତ୍ର
ବଂଶ ଅଭିଜାତ୍ୟ
ଅଟେ କେଉଁ ରାଜ୍ୟବାସୀ ।
ସତେକି ଅଜଣା
ମୋ ଘର ଠିକଣା
ତୁମକୁ ବଡ଼ ଠାକୁର
ପରିଚୟ ଦେଲେ
ମନେ ପଡ଼ିଯିବ
କିଛି କଥା ଅତୀତର ।
ବଡ଼ ବଡ଼ ବୋଲି
କରଦେଲେ ଆଡ଼
ନୀରବରେ ଯିବି ଚାଲି
ଦିଅ ଦିଅ ବୋଲି
ମାଗିନି ତ କିଛି
ତୁମକୁ ମୁଁ ମୁହଁ ଖୋଲି ।
ତୁମକୁ ଦେଖିଲେ
ଆଖି ମୋର ଭିଜେ
ଅମାନିଆ ହୁଏ ଲୁହ
ମାନ ଅଭିମାନ
ଯନ୍ତ୍ରଣା ଯାତନା
ସାଥେ ହୃଦେ ଭରେ କୋହ ।
ଆଖି ସିନା ବୁଝେ
ହୃଦୟର ଭାଷା
ଭାବ ଥିଲେ ହୃଦୟର
ଲୁହ ଭାବେ ବୋଧେ
ତୁମେ ଜଗବନ୍ଧୁ
ନିଜଠୁ ବେଶି ନିଜର ।
ହୃଦୟ ବୁଝେନି
ଛଳନାର ଛନ୍ଦ
କପଟିଆ ମିଠା ହସ
ମଧୁର କଥାରେ
ବିମୁଗ୍ଧ ନିମଗ୍ନ
ପ୍ରୀତି ସମ୍ମୋହନେ ବଶ ।
ଉଡୁଥାଉ ତୁମ
ବଡ଼ ବଡ଼ ନେତ
ବଢୁଥାଉ ଯଶ କିର୍ତ୍ତୀ
ଫେରି ମୁଁ ଯାଉଛି
ଶୂନ୍ୟ ହସ୍ତେ ଦେଖ
ଆଖି ଲୁହ କରି ସାଥୀ ।
