ଭାବନା ମୋ ସତ ହେବ କହ୍ନେଇ
ଭାବନା ମୋ ସତ ହେବ କହ୍ନେଇ
ଭାବ ବିନୋଦିଆ, ଅଭାବେ କି ଭାବ,
ଶୁଦ୍ଧ ନୁହେଁ କିବା ଭାବ ମୋହରି,
ଭାବେ ଯୋଡ଼ା ଯେତେ, ନାମ ତୋ ଜଗତେ,
ଲିଭେଇ ଦେଲୁ କି ହାତେ ତୋହରି ।
ମାସ ମାସ ଜାଣି, ତୋ ଦେଉଳେ ମନା,
ପ୍ରତିକ୍ରିୟା ହୀନ ନୀରବେ ତୁହି,
ତୋ ନୀତି କାନ୍ତି ରେ ତ୍ରୁଟି ତ ନାହିଁରେ ,
ଭକ୍ତଙ୍କ ଦର୍ଶନେ କପଟ କାଇଁ।
ସନ୍ଦେହ ହେଲାଣି ତୋ ସମ୍ପର୍କେ ଜଗା,
ମନେ ପଡେ ଗୋପ, ମଥୁରା କଥା,
ଅସ୍ଥିରେ ତୋ ସ୍ଥିତି, ତୋ ଭାବ ପିରତି,
ଭୁଲିଥିଲୁ ଗୋପୀ, ଯଶୋଦା ମାତା ।
ଏବେ ବି ଭାବେରେ, କେଡେ ନିର୍ଦ୍ଦୟ ରେ,
ଦିନେ ତୁ ଖୋଜିନୁ ଯଶୋମତୀ କୁ,
ଦ୍ବାରିକାଧୀଶ ର ମୋହିତେ ଭୁଲିଲୁ,
କ୍ଷଣେ ନଦେଖି ଯେ ବରେ ମୃତ୍ୟୁ କୁ ?
କି ଆନନ୍ଦ ପାଉ, ଲୀଳା ବୋଲି କହୁ,
ଯେଉଁ ଲୀଳା ଦିଏ ଦୁଃଖ ତୋ ଭକ୍ତେ,
ଯୁଗ ବିତିଗଲା, ପ୍ରକୃତି ନଗଲା,
ବିନା ତୋ ଦର୍ଶନେ ଲାଗେ ରେ ମୋତେ ।
ବୁଝେନି ମୋ ମନ ବିନା ତୋ ଦର୍ଶନ,
ଯାଏ ବାରମ୍ବାର ଶ୍ରୀକ୍ଷେତ୍ରେ ଧାଇଁ,
ବିକଳେ ଚାହେଁ ରେ, ତୋ ସିଂହଦୁଆରେ,
ଭାବେ ପଣ୍ଡା ଜଣେ ଦିଅନ୍ତା କହି !
ଡାକୁଛି କହ୍ନେଇ, ଦେଖା ହେବା ପାଇଁ,
ହାତ ଧରି ପାଶେ ନିଅନ୍ତା ତୋର,
ମୋ ଆଖି ଲୁହକୁ, ପୋଛି ଉତ୍ତରୀ ରେ,
ପଚାରି ବୁଝନ୍ତୁ ଖବର ମୋର ।
ଭୋଗ ଥାଳିରୁ ତୋ ମୋ ପାଇଁ ବି ଭାଗେ,
କୁହନ୍ତୁ ପଣ୍ଡାଙ୍କୁ ବାଢ଼ିବା ପାଇଁ,
ଫେରିବା ବେଳକୁ, ପୁଣି ଆସିବାକୁ,
କୁହନ୍ତୁ ଯଦି ରେ ଜଗତସାଇଁ ।
ସର୍ବଶ୍ରେଷ୍ଠ ଜୀବ, ମଣନ୍ତି ନିଜକୁ,
ଏ ଧରା ପୃଷ୍ଠରେ ଜନମ ଯେତେ,
ଭାବନା ମୋ ନିଶ୍ଚେ, ଦିନେ ହେବ ସତ,
ସଭିଙ୍କ ଜଣାରେ, ନୁହଁ ଗୁପତେ ।
ଜୟ ଜଗନ୍ନାଥ ସ୍ବାମୀ