ଭାବକଳ୍ପ
ଭାବକଳ୍ପ
କୁଞ୍ଜ ବୃନ୍ଦାବନେ ଡେରି ମନ କର୍ଣ୍ଣ
ଜାଳୁଛି ଜାଗର ନିତି
ବିରାଜ ସପନେ ନାଥ ସଂଗୋପନେ
ଗୋପୀନାଥ ଯଦୁପତି ।
ମଧୁର ମୂରଲୀ ଗୁଞ୍ଜରୁ ପରାଣେ
ସୁନ୍ଦର ସତ୍ୟ ପୁକାର,
ତୁମ ଜ୍ୟୋତି ରୂପ ଉଦ୍ଭାସୁ ଜଗତେ
ବହୁ ପ୍ରଶାନ୍ତି ସମୀର ।
ଚୂର୍ଣ୍ଣ ହେଉ ଯେତେ ଦମ୍ଭ ଅହଙ୍କାର
କଳୁଷ ପଙ୍କ ପରାୟେ
ସୁନୀଳ ସଲୀଳ ପ୍ରେମ ସୁଧା ବାରି
ପ୍ରବହୁ ସ୍ୱଚ୍ଛ ହୃଦୟେ ।
ହେଉ ଉତ୍ତରଣ ସଦବୁଦ୍ଧି ଜ୍ଞାନ
ଚେତନା ଦିବ୍ୟ ସଂଯୋଗ
ବିରାଜ ପ୍ରଭୁ ହେ ହୃଦ ସିଂହାସନେ
ବିକଶୁ ସୁମନ ପଦ୍ମ ।
ତବ ଶୁଭାଶିଷ ବରଷୁ ଅମୃତ
ସତ୍ୟ ବଚନ କରମେ
ଉଠୁ ସମୁଜ୍ଜ୍
ୱଳି ଦିବ୍ୟ ପରକାଶ
ସଦ୍ଭାବ ଭକ୍ତି ତଲ୍ଲୀନେ ।
ମୁଁ ଛାର ପାମର ନାହିଁ ଶକ୍ତି ମୋର
ଭାବକଳ୍ପେ ସହଯୋଗ
ତୁମେ ଭଗବାନ ଭାବେ ସମୁଦ୍ଭବ
ପରିତ୍ରାଣ ଯୁଗ ଯୁଗ ।
ତୁମେ ଜଗଦୀଶ ଗଜପତି ଇଷ୍ଟ
ପରଂବ୍ରହ୍ମ ସନାତନ
ଶୁଭ ନାମ ତୁମ ଚନ୍ଦନ ଚର୍ଚ୍ଚିତ
ତୁମେ ସ୍ରଷ୍ଟା ସର୍ବୋତ୍ତମ ।
ତୁମେ ସୁଶୀତଳ କରୁଣା ବାରିଧି
କଞ୍ଜ ରାଜୀବ ଲୋଚନ
ଘେନ ପୂଜା ଅର୍ଘ୍ୟ ସେବା ସମର୍ପଣ
ଦିଅ ବାରେ ଦରଶନ ।
ହୃଦ ସହସ୍ରାର ହେଉ ସଞ୍ଜୀବିତ
ପ୍ରଣବୁ ମୁକତି ମନ୍ତ୍ର
କୋଟି ସୂର୍ଯ୍ୟ ପ୍ରଭ ସ୍ୱର୍ଣ୍ଣ ଦୀପ୍ତି କାନ୍ତି
ହେଉ ପ୍ରକଟ ସଞ୍ଚାର ।