ଭାବ ଥିଲେ
ଭାବ ଥିଲେ
ଭାବ ଥିଲେ ତୋର ମୋରରେ କାଳିଆ
ଆଉ କିଛି ଲୋଡା ନାହିଁ
ଯୁଆଡେ ତୁ ଯିବୁ ସିଆଡେ ତୁ ନେବୁ
ତୋ ସାଥେ ଥିବିରେ ମୁହିଁ ।
ସବୁବେଳେ ତୋର ସାଥେ ରହି ଥିବି
ତେତେ ଦେଖୁ ଥିବି ମୁହିଁ
ତୋ ବିନାରେ ସତ କହୁଛି କାଳିଆ
କିଛି ଲୋଡା ମୋର ନାହିଁ ।
ତୁ ସାଥେ ଥିଲେ ହସି ହସି ସବୁ
ଦୁଃଖ କଷ୍ଟ ଯିବି ସହି
ଆସୁ ଝଡଝଞ୍ଜା ଆସୁ ବା ତୋଫାନ
କିଛି ଡରିବାର ନାହିଁ ।
ଦଦରା ନାଆର ନାଉରୀ ତୁ ମୋର
ପାରି କରି ଦେବୁ ତୁହି
କେମିତି କରିବୁ ତୁ ଏକା ଜାଣିଛୁ
ମୁଁ କିଛି ଜାଣେ ନାହିଁ ।
ଖାଲି ତୋ ପ୍ରେମର ଭାବରେ ନିଜକୁ
ହଜେଇ ଦେଇଛି ମୁହିଁ
ତୁ ତ ମୋହର ମୁଁ ଏକା ତୋହର
ଏତିକି ଜାଣି ଥା ତୁହି ।
ତୋତେ ନ ଦେଖିଲେ ସତରେ କାଳିଆ
କିଛି ଭଲ ଲାଗେ ନାହିଁ
ଏଇ ମନ ଖାଲି ତୋତେ ଝୁରୁ ଥାଏ
ଭାବନାରେ ହଜେ ମୁହିଁ ।
ଅଭାବକୁ ଦୂର ଭାବକୁ ନିକଟ
ତୁହି ପରା ଭାବଗ୍ରାହୀ
ଯୁଗ ଯୁଗ ପାଇଁ ତୁମେ ମୋର ପ୍ରଭୁ
ତୋ ପାଦ ସେବିକା ମୁହିଁ।
ତୋ ଭାବ ଭକ୍ତିରେ ବାନ୍ଧିବୁ କାଳିଆ
ଆଶ୍ରୟ ଦେବୁଟି ତୁହି
କଥା ଦେ ମୋତେ ମୋ ନୀଳାଚଳିଆ
ଅଧାରେ ଛାଡିବୁ ନାହିଁ ।
ଭାବ ଥିଲେ ସିନା ସମ୍ପର୍କ ରହଇ
ସେନେହ ବନ୍ଧନ ଏହି
ଆମ ଏଇ ଭାବ ଜନ୍ମ ଜନ୍ମ ପାଇଁ
ଏଇ କଥା ଭୁଲିବୁ ନାହିଁ ।