STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଭାବ-ସମୁଦ୍ର ରେ ତରଣି

ଭାବ-ସମୁଦ୍ର ରେ ତରଣି

2 mins
34

ବୃଥା ଭାବନାରେ ମନ ହୁଅଇ ବ୍ୟଥିତ

ଭକ୍ତି ପୂର୍ଣ୍ଣ ଭାବ-ସମୁଦ୍ର ଅଟେ ଯଥାର୍ଥ 

ଭକ୍ତ ପ୍ରିୟ ଭକ୍ତ ହିତ ପାଇଁ ଭାବଗ୍ରାହୀ

ଯୁଗ ଯୁଗ ଧରି ଭକ୍ତ ହିତେ ଛନ୍ତି ରହି

ଭାବ ଭକ୍ତି ପୂର୍ଣ୍ଣ ହେଉ ଅବା ବନ୍ଧୁ ଭାବ

ଭାବ ପ୍ରିୟ ଭାବଗ୍ରାହୀ ପରଖନ୍ତି ଭାବ


ସତ୍ୟ ଯୁଗେ ଭକ୍ତ ଧୃବ ପ୍ରହଲ୍ଲାଦ ଡାକ

ଭକ୍ତ ବତ୍ସଳ ଭାବଗ୍ରାହୀ କଲେ ସାର୍ଥକ 

ଭକ୍ତର ସୁରକ୍ଷା ପାଇଁ ହେଲେ ଆବିର୍ଭାବ

ନରସିଂହ ରୂପ ଆଢ଼ୁଆଳେ ଭକ୍ତି ଭାବ

ଭାବଗ୍ରାହୀ ନାମ ଧରି ଗଜ ଚିନ୍ତା କଲା

ଚକ୍ର ପେଶି ନକ୍ର ନାଶି ଗଜ ଉଦ୍ଧରିଲା

ମୃଗୁଣୀ ର ଭକ୍ତି ନିବେଦନ ହୋଇ ଜ୍ଞାତ

କଷଣ କୁ ଭାବଗ୍ରାହୀ କଲେ କରାୟତ 

ତ୍ରେତୟାରେ ଶବରୀ ଭକ୍ତିରେ ଥିଲା ଭାବ

ଭାବଗ୍ରାହୀ ଙ୍କ ଅଇଁଠା କୋଳି ଖିଆ ଭାବ

ଶବରୀ ମନର ଭାବନାରେ ଭକ୍ତି ଭାବ

ଭକ୍ତ ପ୍ରିୟ ପ୍ରଭୁ ସ୍ଵୟଂ ହେଲେ ଆବିର୍ଭାବ

ଦ୍ଵାପର ଯୁଗର କାହାଣୀ ଅଟେ ଭାବର

ଭାବ ଥିଲେ ଭାବ ମିଳେ ଜାଣିଲା ସଂସାର

ରାଧାର ଖୋଲା ଖୋଲି ପ୍ରେମ ଭାବ ସହିତ

ଭାବଗ୍ରାହୀ ନିଜେ ବାନ୍ଧି ହୋଇଲେ ତ୍ୱରିତ

ଭାବରେ ବିହ୍ବଳ ମୀରା ଜପି କୃଷ୍ଣ କୃଷ୍ଣ 

ଭକ୍ତି ନିଷ୍ଠାରେ ଭାବଗ୍ରାହୀ ହେଲେ ଆକୃଷ୍ଟ

ଅର୍ଜ୍ଜୁନ ବିଷାଦ ଜାଣି ସ୍ଵୟଂ ଭାବଗ୍ରାହୀ

ବନ୍ଧୁତ୍ୱର ଭାବ ରଖି ବାର୍ତ୍ତା ଦେଲେ ତହିଁ 

ଗୀତା ଜ୍ଞାନ ବାଣୀ ଥିଲା ବନ୍ଧୁତ୍ୱ ର ଭାଷା

ବ୍ରହ୍ମ ଜ୍ଞାନର ଉଦ୍ରେକ ହୋଇଲା ସହସା 

ଦରିଦ୍ର ସୁଦାମା ବନ୍ଧୁ ଭାବରେ ଭେଟିଲା

ଦାରିଦ୍ର୍ୟ,ଅଭାବ କଥା ଅନ୍ତରରେ ଥିଲା

ଭାବଗ୍ରାହୀ ଜାଣି ଦେଲେ ,ଖୁଦ ଭଜା ଖାଇ

ନିଜ ହୃଦୟେ ବନ୍ଧୁଙ୍କୁ ରଖିଲେ ଲଗାଇ

ବନ୍ଧୁତ୍ୱର ପରାକାଷ୍ଠା ବଜାୟ ରହିଲା

ଭାବଗ୍ରାହୀ ନାମ ବନ୍ଧୁ ଭାବେ ଗଣା ହେଲା


ଭାବଗ୍ରାହୀ ସ୍ୱୟଂ ହୋଇଛନ୍ତି ବିରାଜିତ

କଳିରେ ଶ୍ରୀକ୍ଷେତ୍ରେ,ଭାଇ ଭଉଣୀ ସହିତ

ଭକ୍ତି ଭାବରେ ଦାସିଆ ନଡ଼ିଆ ବଢେଇ 

ନିଜ ହାତେ ନିଅ ଯଦି ତୁମେ ଭାବଗ୍ରାହୀ 

କାଳିଆ ଠାକୁର ଜାଣି ଦାସିଆ ର ଭାବ

ସ୍ଵୟଂ ହାତ ବଢ଼ାଇ ଭାବ ହେଲା ସମ୍ଭବ

ବଡ ଦାଣ୍ଡେ ଚର୍ଚ୍ଚା ହେଲା ଦାସିଆ ର ଭାବ

ଭାବ ଥିଲେ ହୃଦୟେ ସବୁ ହୁଏ ସମ୍ଭବ

ସାଲବେଗ ,ଭକ୍ତି ଭାବ ରଖି ଡାକ ଦେଲା

ରଥ ରହିଗଲା ,ଯାହା ଭକ୍ତ ଚାହୁଁଥିଲା

ଅପେକ୍ଷା ରହିଲା ସାଲବେଗ ଆସିବାକୁ

ଭକ୍ତ ଦେଖା ପରେ ରଥ ଗଡିଲା ଆଗକୁ

ବନ୍ଧୁ ମହାନ୍ତି ଭାବରେ ବନ୍ଧୁ ଓ ବନ୍ଧୁତା 

ସେ ଭାବ ରେ ଥିଲା ବନ୍ଧୁତ୍ୱ ର ନିବିଡ଼ତା 

ଭକ୍ତ ସହ ଭଗବାନ ବନ୍ଧୁ ଭାବ ଅଛି 

ଯୁଗ ଯୁଗ ଧରି ଭାବ ଅକ୍ଷୁର୍ଣ୍ଣ ରହିଛି 


ବେଦ ଶାସ୍ତ୍ର ଧର୍ମ ଗ୍ରନ୍ଥ ଅଧ୍ୟୟନ ତପ

ସାଧନ ପାଥେୟ ମୁନି ଋଷିଙ୍କ ସଂକଳ୍ପ

ଜଗତ ମଙ୍ଗଳ ଉପଦେଶ ଜରିଆରେ

ଭବ ସିନ୍ଧୁ ପାଇଁ ପୋତ ସମ କାର୍ଯ୍ୟ କରେ

ପାରି ହେବା ଅର୍ଥେ ବିହି ଗଢ଼ି ଧର୍ମ ପୋତ

ସମ୍ୟକ୍ ସୂଚନା ଦେଇ କରିଛନ୍ତି ଜ୍ଞାତ 

ନର ଦେହରେ ଦିବ୍ୟ ଜ୍ଞାନ ଜାଣି ବିଧାତା

ଘୋଷିତ କରିଲେ ଶ୍ରେଷ୍ଠ ଜୀବର ମାନ୍ୟତା

ପାରି ହେବା ପାଇଁ ଅଥଳ ଭବ ସାଗର

ଧର୍ମ ପୋତ ଚଢ଼ି ସଦା ହୁଅ ଅଗ୍ରସର

ବୁଝିବାର ଶକ୍ତି ଥାଇ ମଣିଷ ହୃଦରେ

ଲିପ୍ତ ରହୁ ଅଛି ସଦା କୁକର୍ମ ପଥରେ

କୁକର୍ମ କଷଣେ ବିଚଳିତ ମନ ପ୍ରାଣ

ଜୀବନ ଯାତ୍ରାରେ ତିରସ୍କାର ଅପମାନ


ଧର୍ମ ପଥ ସୁରକ୍ଷିତ ଧର୍ମରେ ସୁନାମ

ଧନ ଅର୍ଜ୍ଜନ ସହ ଧର୍ମ ସାଧୁ ଉଦ୍ୟମ

ଜୀବନର ଯାତ୍ରା ହେଉ ଧର୍ମ ନ୍ୟାୟ ପଥେ

ବେଦ ଶାସ୍ତ୍ର ଜ୍ଞାନୀ ମୁଖେ ବ୍ୟକ୍ତ ଅଛି କେତେ

ସମାଜରୁ ପାପ ଲୋପ ଅର୍ଥେ ଉପଦେଶ

ଭିନ୍ନ ଭିନ୍ନ ଆଳେ ଭାବନା ପରିପ୍ରକାଶ

ପରୋପକାର ଓ ସେବା ହେଲେ ବ୍ରତ ରୂପେ

ଭବ ସିନ୍ଧୁ ପାଇଁ ନୌକା ପ୍ରାପ୍ତି ହେବ ଆପେ


ଜଳାର୍ଣ୍ଣବ ବେଳେ ଯେପରି ତରଣୀ ପାଥେୟ

ଭାବର୍ଣ୍ଣବ ହୃଦୟରେ ଭାବଗ୍ରାହୀ ହିଁ ଆଶ୍ରୟ

ଭକ୍ତି ଭରା ହୃଦେ ଭକ୍ତି ଭାବ ହେଲେ ଜାତ 

ଭାବ ସମୁଦ୍ରରେ ତରଣୀ ରୂପରେ ପ୍ରଭୁ ପ୍ରାପ୍ତ

ଭାବ ରଖିବା କାଳିଆ ସାଆନ୍ତ ସହିତ

ନିଜ ଅନ୍ତରର ଭାବ ହେଉ ସମର୍ପିତ

ଭାବ ସମୁଦ୍ରରେ ଭାବଗ୍ରାହୀ ହିଁ ତରଣୀ 

ଭବ ସିନ୍ଧୁ ପାରି ହୁଅ କଳି ଯୁଗ ଜ୍ଞାନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract