STORYMIRROR

Aishwarya Mishra

Romance

4  

Aishwarya Mishra

Romance

ଭାବ-ବନ୍ଧନ

ଭାବ-ବନ୍ଧନ

1 min
237

ସକଳେ ଡ଼ାକନ୍ତି 'ତମେ' 'ତମେ' ବୋଲି 

ସେ 'ତମେ' ର ମୂଲ୍ୟ ନାହିଁ 

ତମେ ଯେବେ ମତେ, ତମେ ବୋଲି କହ

ଏତେ ମିଠା କାହିଁ ପାଇଁ ?


ସଭିଁଏ ଡ଼ାକନ୍ତି ମୋ ନାମକୁ ଧରି

ମୋତେ ଭଲ ଲାଗେ ନାହିଁ 

ତୁମେ ଯେବେ ଡ଼ାକ, ଆଖି ଇସାରାରେ

ଲାଜେ ଆଖି ଯାଏ ନଇ ,


ତୁମ ସାଥେ ମୋର କି ଭାବ ବନ୍ଧନ 

କିବା ପ୍ରୀତି ଅନୁରାଗ !

କେଜାଣି କାହିଁକି ତୁମେ ପାଶେ ଥିଲେ

ମର୍ତ୍ତ୍ୟ ବି ଲାଗେ ସରଗ !


ସଲ୍ଳଜ ନୟନେ କଜ୍ଜ୍ଵଳର ଗାର

ହୃଦୟ ଦିଏ ବିଦାରି

ନାଲି ଓଠ ଧାରେ ମୃଦୁହାସ୍ୟ ଛିଟା

ନିଦକୁ କରଇ ଚୋରି ,


ଜାଣେନା କାହିଁକି ତୁମକୁ ଦେଖିଲେ

ମନ ମୋ ହୁଏ ବିଭୋର 

ପ୍ରେମ କଲ୍ଳୋଳିନୀ ପ୍ରମୋଦ ଉନ୍ମାଦେ

ହୃଦୟ ହୁଏ ଆତୁର


ପ୍ରେମର ସଂଜ୍ଞା ତ ଖୋଜିନି କେବେ ବି

ଜାଣେନା ପ୍ରେମର ମାନେ ,

ତୁମ ଆଖି କିନ୍ତୁ ପ୍ରେମ ପରିଭାଷା

ବୁଝାଏ ମୋତେ ଗୋପନେ ,


ତୁମ ସହ ମୋର ପ୍ରୀତି ପୁଷ୍ପ ଡ଼ୋର 

ବିଧାତା ଦେଇଛି ଗଢି

ସେଥିପାଇଁ ବୋଧେ ତୁମରି ପାଖକୁ

ପାଦ ମୋର ଯାଏ ବଢି,


ତୁମ ନୀରବତା କୁହେ ମୋତେ କଥା

ହୃଦୟେ ଅତି ଗୋପନେ

ଲଜ୍ଜାନତ ମୁଖେ ପ୍ରଣୟ ଇସାରା

ଉତ୍ତେଜନା ଭରେ ମନେ,


ଆଖିରୁ ତୁମର ଝରିଲେ ଲୋତକ

ପ୍ରାଣକୁ ମୋହର ବାଧେ 

ତୁମକୁ ଛୁଇଁଲେ ବହଇ ମଳୟ 

ମଧୁର ପୀରତି ଗନ୍ଧେ ,


ତୁମେ ତ ମୋହର ବସନ୍ତ ମଳୟ

ଶତ ବୈଶାଖର ତୃଷ୍ଣା 

ଶ୍ରାବଣ ଆସନ୍ତେ ତୁମ ଠାରୁ ଝରେ

ସଦ୍ୟ ଭିଜା ମାଟି ବାସ୍ନା ,


ସଭିଁଙ୍କ ସହିତେ କଥା ହୁଏ ଯେବେ

ଅସାର ସବୁ ଲାଗଇ

ତୁମ ସହ ପ୍ରିୟେ, କଥା ହେବା ବେଳେ

ଲାଜେ ମୁଁ କାହିଁ ଭିଜଇ


ତୁମେ ବୋଧେ ମୋର, ପ୍ରାଣରୁ ନିଜର 

ହଜିଲା ଦିନର ସାଥି

ସେଥିପାଇଁ ତୁମେ, 'ତୁମେ' ଡ଼ାକିଦେଲେ

ମନେ ଭରିଯାଏ ତୃପ୍ତି ।


Rate this content
Log in

Similar oriya poem from Romance