STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବେଶ ପ୍ରିୟ ଶ୍ରୀଜଗନ୍ନାଥ

ବେଶ ପ୍ରିୟ ଶ୍ରୀଜଗନ୍ନାଥ

3 mins
316


ବ୍ରହ୍ମ-ରୂପୀ ଶ୍ରୀଜଗନ୍ନାଥ ପୁଣି ପ୍ରତୀକ ପୂର୍ଣ୍ଣ ବ୍ରହ୍ମର

ଶ୍ରୀଜଗନ୍ନାଥଙ୍କ ଠାରେ ଅନୁଭୂତ ସତ୍ତା ପରଂବ୍ରହ୍ମଙ୍କର 

ନିରାକାର ପରଂବ୍ରହ୍ମଙ୍କର ରୂପ ମାନବାକୃତି ସାକାର

ସର୍ବୋପରି ହସ୍ତ,ପଦ, କର୍ଣ୍ଣ ଓ ଭ୍ରୁଲତା ବିହୀନ ନେତ୍ରର 

ମାନବୀୟ ଲୀଳା ପ୍ରକଟ ହେଉଛି ଲୋକାଭିମୁଖୀ ଧାରାରେ

ଧର୍ମ,ସଂସ୍କୃତିର ପ୍ରତୀକ ଭାବେ ଯାତ୍ରା,ପର୍ବ ଓ ବେଶ ଧାରେ

ବିଷ୍ଣୁଙ୍କର ସତ୍ୟରେ ଆଶ୍ଚର୍ଯ୍ୟ ଲୀଳା,ତ୍ରେତାରେ ଔଦାର୍ଯ୍ୟ ଲୀଳା

ଦ୍ଵାପରର ମାଧୂର୍ଯ୍ୟ ଲୀଳା ପରେ ହିଁ କଳିରେ ଐଶ୍ଵର୍ଯ୍ୟ ଲୀଳା

ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ବିରାଜିତ ଦାରୁବ୍ରହ୍ମ ଜଗନ୍ନାଥ

ପୁଷ୍ପ,ଅଳଙ୍କାର,ବେଶ,ଓ ଶୃଙ୍ଗାରେ ଐଶ୍ଵର୍ଯ୍ୟ ଲୀଳା ସାଧିତ

ହରି ରୂପୀ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପାଟ ବସ୍ତ୍ର ଅଳଙ୍କାର

ତୁଳସୀ,ଚନ୍ଦନ,କସ୍ତୁରୀ,ଦଅଁଣା ପୁଣି ପୁଷ୍ପର ସମ୍ଭାର

ଭକ୍ତଙ୍କ ହୃଦୟେ ବିଶ୍ୱାସ ଓ ଭକ୍ତି,ପୁଣି ଭାବ ସୃଷ୍ଟି ଅର୍ଥେ

ବିଭିନ୍ନ ବେଶରେ ମଣ୍ଡିତ ପ୍ରାୟତଃ ବିଧି ବିଧାନ ସହିତେ


ଦୈନିକ ମୁଖ୍ୟତଃ ଦୁଇ ବେଶ ଅବକାଶ ଓ ବଡସିଂହାର

ପରମ୍ପରା କ୍ରମେ ଅଛି ପ୍ରଚଳିତ ବିଧି ସଙ୍ଗତ ସଂସ୍କାର


ସ୍ଵତନ୍ତ୍ର ବେଶର ରହିଛି ବିଧାନ ଗଜାନନ ବେଶ ଧାରେ

ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମାରେ ପାଳିତ ହୁଏ ଅଚିରେ

ସୁନାବେଶ ଏକ ଅପୂର୍ବ ଦର୍ଶନ ପ୍ରତି ବର୍ଷ ପାଞ୍ଚ ଥର

ଆନନ୍ଦ ଉତ୍ସାହ ପରିଲକ୍ଷିତ ବି ଦର୍ଶନାର୍ଥୀ ଭକ୍ତଙ୍କର

ରଥ ଯାତ୍ରା ବେଳେ ରଥର ଉପରେ ସୁନା ବେଶର ବିଧାନ

ଆଷାଢ଼ ମାସର ଶୁକ୍ଳ ଏକାଦଶୀ ସୁନା ବେଶର ନିଦାନ

ଆଶ୍ୱିନ ମାସର ଶୁକ୍ଳ ଦଶମୀରେ ଦଶହରା ପର୍ବ ବେଳେ

ଶ୍ରୀଜୀଉଙ୍କ ସୁନା ବେଶ ଦର୍ଶନରେ ମନ ଆନନ୍ଦେ ଉଛୁଳେ 

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ତିଥିରେ ହିଁ ସୁନା ବେଶ 

ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ଓ ସୁନା ବେଶ ଆୟୋଜନ

ଫାଲଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମାରେ ପୁଣି ସୁନାବେଶ

ହୋଲି ଖେଳ ସାଥେ ଠାକୁର ଦର୍ଶନ ମନ ପ୍ରାଣ ବି ସନ୍ତୋଷ


ଶ୍ରାବଣ ମାସର ଅମାବାସ୍ୟା ଦିନ ହୁଏ ଚିତା ଲାଗି ବେଶ

ଆୟୋଜନ ପୁଣି ଶୁକ୍ଳ ପଞ୍ଚମୀ ତିଥିରେ ରାହୁ ରେଖା ବେଶ


ଭାଦ୍ରବ ମାସରେ ବଣ ଭୋଜି ବେଶ କୃଷ୍ଣ ଦଶମୀ ତିଥିରେ

କାଳୀୟ ଦଳନ ବେଶ ଅନୁଷ୍ଠିତ କୃଷ୍ଣ ଏକାଦଶୀ ଧାରେ

ପ୍ରଳମ୍ବାସୁର-ବଧ ବେଶ ବିଧାନ ଭାଦ୍ର କୃଷ୍ଣ ଦଶମୀରେ

କୃଷ୍ଣ ବଳରାମ ବେଶ ବିଧାନ କୃଷ୍ଣ ତ୍ରୟୋଦଶୀ ତିଥିରେ

ଭାଦ୍ରବ ମାସର ଶୁକ୍ଳ ଦ୍ଵାଦଶୀରେ ବାମନ ବେଶ ବିଧାନ

ଗୋପ ଲୀଳା ବେଶ ପ୍ରାୟତଃ ଭାଦ୍ରବ ମାସରେ ହିଁ ଆୟୋଜନ


ଆଶ୍ୱିନର ଶୁକ୍ଳ ଏକାଦଶୀ ଠାରୁ ଏକ ମାସ ବ୍ୟାପୀ ବେଶ

କାର୍ତ୍ତିକର ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧା ଦାମୋଦର ବେଶ

ଲକ୍ଷ୍ମୀ ନାରାୟଣ ବେଶ ଲୋକମୁଖେ ଠିଆକିଆ ନାମେ ବ୍ୟକ୍ତ

କାର୍ତ୍ତିକର ଶୁକ୍ଳ ଏକାଦଶୀ ତିଥି ରହିଅଛି ନିର୍ଦ୍ଧାରିତ

କାର୍ତ୍ତିକର ଶୁକ୍ଳ ଦଶମୀ ତିଥିରେ ବାଙ୍କଚୂଡ଼ା ବେଶ ଧାର୍ଯ୍ୟ

ସେହି ବେଶ,ବାମନ ବେଶ ନାମେ ଭକ୍ତଙ୍କ ମୁଖରେ ସହଜ

କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ଆଡ଼କିଆ ବେଶ ବିଧି

ତ୍ରିବିକ୍ରମ ବେଶ ନାମେ ପରିଚିତ ରହିଛି ପୁଣି ପ୍ରସିଦ୍ଧି

କାର୍ତ୍ତିକର ଶୁକ୍ଳ ଚତୁର୍ଦ୍ଦଶୀ ଦିନ ନୃସିଂହ ବେଶର ତିଥି

ଡାଳିକିଆ ବେଶ ଭାବେ ବ୍ୟକ୍ତ ପ୍ରାୟ ଭକ୍ତ ମୁଖରେ ସମ୍ପ୍ରତି

କାର୍ତ୍ତିକ ଶୁକ୍ଳ ଦଶମୀ-ଚତୁର୍ଦ୍ଦଶୀ ମଧ୍ୟେ ପଞ୍ଚକ ପାଳନ 

ନାଗାର୍ଜୁନ ବେଶ ବିଧି, ଯଦି ଛଅ ଦିନ ପଞ୍ଚକ ବିଧାନ


ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଠାରୁ ଶୁକ୍ଳ ପ୍ରତିପଦା ମଧ୍ୟେ 

ଶ୍ରାଦ୍ଧ ବେଶ ବା ଦେବ ଦୀପାବଳୀ ବି ପାଳନ ହୁଏ ଆନନ୍ଦେ

ମାର୍ଗଶିର କୃଷ୍ଣ ଷଷ୍ଠୀ ତିଥି ଠାରୁ ଶୁକ୍ଳ ପଞ୍ଚମୀ ମାଘର 

ଶୀତ ପାଇଁ ହିତ ଘୋଡ଼ ଲାଗି ବେଶ ହୁଅନ୍ତି ପୁଣି ଠାକୁର


ନବାଙ୍କ ବେଶର ଆୟୋଜନ,ମକର ସଂକ୍ରାନ୍ତି ପୂର୍ବ ଦିନ

ପରମ୍ପରା ଧାରେ ପୁଣି ମକର ଚୌରାଶି ବେଶର ବିଧାନ 


ମାଘ ମାସ ଶୁକ୍ଳ ପଞ୍ଚମୀ ଠାରୁ ହୁଏ ଜାମା ଲାଗି ବେଶ

ଫାଲଗୁନ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଚାଲୁ ରହଇ ଅବଶ୍ୟ 

ପଦ୍ମ ବେଶ ମାଘ ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀର ମଧ୍ୟରେ

ଶନିବାର କିମ୍ବା ବୁଧବାର ଦିନ ଆୟୋଜନ ବିଧି ଧାରେ

ମାଘ ପୂର୍ଣ୍ଣିମାରେ ଆୟୋଜନ ହୁଏ ଗଜ ଉଦ୍ଧାରଣ ବେଶ

ଧନ୍ୟ ସେହି ଗଜ ଉଦ୍ଧାର ପାଇଛି ଲଭି ପ୍ରଭୁଙ୍କ ଆଶିଷ


ଫାଲଗୁନ ମାସର ଶୁକ୍ଲ ଦଶମୀରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ

ଚାଚେରୀ ବେଶର ରହିଛି ବିଧାନ ପ୍ରତିଦିନ ଅନୁଷ୍ଠିତ


ବୈଶାଖ ମାସ ଶୁକ୍ଳ ତୃତୀୟା ଠାରୁ ବୟାଳିଶ ଦିନ ଧରି

ଚନ୍ଦନ ବେଶର ବିଧି ବି ପାଳିତ,ପରମ୍ପରା ସର୍ବୋପରି

ଏକୋଇଶି ଦିନ ବାହାରେ ଚନ୍ଦନ ଯେବେ ହୁଏ ସମାପନ

ଶ୍ରୀମନ୍ଦିର ମଧ୍ୟେ ଏକୋଇଶି ଦିନ ,ଚନ୍ଦନ ବେଶ ବିଧାନ


ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ତୟ ରଘୁନାଥ ବେଶ ବିଧି

ନୀଳାଦ୍ରି ମହୋଦୟ ଯାତ୍ରା ଧାରେ ଅଭିଷେକ ପର୍ବ ପ୍ରସିଦ୍ଧି


ପୁଣି ଅନ୍ୟ କେତେ ବେଶ ଥିଲା ଯାହା, ହେଉନାହିଁ ପୂର୍ବ ପରି 

ଗିରି ଗୋବର୍ଦ୍ଧନ ବେଶ କ୍ରମେ ବନ୍ଦ ପ୍ରାୟ ଦୀର୍ଘ ଦିନ ଧରି

ହରିହର ବେଶ,ଚିତା ଲାଗି ବେଶ ପାଳନ ବି ଅନିବାର୍ଯ୍ୟ 

ବେଶ ପ୍ରିୟ ଶ୍ରୀଜଗନ୍ନାଥଙ୍କ ବେଶ, ବର୍ଣ୍ଣନା ନୁହେଁ ସହଜ



Rate this content
Log in

Similar oriya poem from Abstract