ବେଳେ ବେଳେ ଇଚ୍ଛା ହୁଏ
ବେଳେ ବେଳେ ଇଚ୍ଛା ହୁଏ
ବେଳେ ବେଳେ ଇଚ୍ଛା ହୁଏ
ଘରଟିଏ ଭଡା ନେଵି ତୁମ ଘର ଆଗେ,
ହେଉପଛେ କିଛି ଦିନ
ପାଖରେ ରହିବି ଟିକେ ଅତି ଅନୁରାଗେ ।
ସେ ଘର ବାଲକୋନୀରୁ
ଟିକିଏ ତୁମକୁ ଯାହା ଦୂରରୁ ଦେଖିବି,
କହିବିନି କିନ୍ତୁ କଥା
ସବୁବେଳେ ତୁମ ଦୃଷ୍ଟି ଆଢ଼ୁଆଳେ ଥିବି ।
ସକାଳୁ ସକାଳୁ କେବେ
ଲୁଚାଇ ଆଣିବି ତୁମ "ବିଷ୍ଣୁକ୍ରାନ୍ତା" ଫୁଲ,
ପରଖିବି ତୁମ ରାଗ
ମୋ ଆଖିରେ ଭରିଥିବ ଖାଲି କୌତୁହଳ ।
ବେଳେ ବେଳେ ଲୁଚି ଲୁଚି
ତୁମ ବାଡ଼ିରୁ ସପୁରୀ ଆଣିବି ଚୋରାଇ,
ନ ଖାଇଲେ ନାହିଁ ପଛେ
ଥମ ଥମ ତୁମ ମୁହଁ ଦେଖିବାର ପାଇଁ ।
ସକାଳରୁ ସଞ୍ଜଯାଏ
ବସିଥିବି ମୋ ଆଗରେ ପରଦାଟେ ଟାଣି,
ତୁମକୁ ଦେଖିବା ପାଇଁ
ତୁମେ କିନ୍ତୁ ମୁଁ ବୋଲି ପାରିବନି ଜାଣି ।
ତୁମେତ ଆସିବ ନାହିଁ
ସେଥିପାଇଁ ମୁଁ ଯାଇ ଟିକିଏ ଦେଖିବି,
ଜାଣିବି କିମିତି ଅଛ
ଅଳ୍ପଦିନ ତୁମ ଘର ପାଖରେ ରହିବି ।
ଚଞ୍ଚଳ ଆସିବି ଫେରି
ଭୟ କାଳେ ତୁମ ପାଖେ ପଡିଯିବି ଧରା,
ଭଲରେ ରୁହ ହେ ବନ୍ଧୁ
ତୁମ ଠାରୁ ଆଉ କିଛି ନେଵିନାହିଁ ପରା ।

