ବଦଳୁ ମଣିଷ
ବଦଳୁ ମଣିଷ
କୁହେ ନାହିଁ ମିଛ କାଚର ଦର୍ପଣ
ଉଦ୍ଭାସଇ ପ୍ରତିଚ୍ଛବି
ଦେଖଇ ମଣିଷ ନିଜର ସ୍ୱରୂପ
ଆଗେ ହୁଏ ରୂପ ସାଜି ।
ଆଲୋକର ରଶ୍ମି ହୁଏ ପ୍ରତିସୃତ
ଘଟଇ ପ୍ରତିଫଳନ
ଉକୁଟି ଆଭାସେ ବିମ୍ବ ପ୍ରତିବିମ୍ବ
ଅବାସ୍ତବ ଦୃଶ୍ୟମାନ ।
ପ୍ରତିଫଳନର ନିୟମାନୁସାରେ
ଓଲଟ ବାମ ଦକ୍ଷିଣ
ଦର୍ପଣରେ ଘଟେ ବ୍ୟତିକ୍ରମ ମାତ୍ର
ପାର୍ଶ୍ଵରେ ପରିବର୍ତ୍ତନ ।
କରେ ପ୍ରତିକ୍ରିୟା ମନୁଷ୍ୟର କର୍ମ
ଧ୍ୱନି ସୃଜେ ପ୍ରତିଧ୍ୱନି
ଜନ୍ମ ପରେ ମୃତ୍ୟୁ ମୃତ୍ୟୁ ପରେ ଜନ୍ମ
ହୁଏ ଅନିର୍ବାର୍ଯ୍ୟ ଜାଣି ।
ପରିପୃକ୍ତ ଆଶେ ଉଦବର୍ତ୍ତେ ଜୀବନ
ସ°ସ୍କାର ପରିବର୍ତ୍ତନ
ପୃଥିବୀ ଅଟଇ କଷଟୀ ପଥର
ପ୍ରକୃତି ବିଶୁଦ୍ଧ ଜ୍ଞାନ ।
ଉର୍ବରା ଏ ମାଟି ଦିଶଇ ଅସ୍ୱଚ୍ଛ
ଉତ୍ପନ୍ନେ ବାସ୍ତବ ରୂପ
ହୁଏ ପ୍ରତିଭାତ ସତ୍ୟ ଓ ସୁନ୍ଦର
ପୂର୍ଣ୍ଣକାମ ଜପତପ ।
ଅବୋଧ ମାନବ ଆହରୁ ଦିବ୍ୟତା
ବିଶ୍ୱ ହେଉ ମଧୁମୟ
ବଦଳୁ କୁତ୍ସିତ କଦର୍ଯ୍ୟ ସ୍ୱରୂପ
ଉଦଭାସୁ ସତ୍ୟ ପୁଣ୍ୟ ।
