ବଧୂଳି କଳିକା
ବଧୂଳି କଳିକା
ରାତ୍ରୀର ନିରୋଳା ପ୍ରହରେ
ମୌସୁମୀ ବର୍ଷା ଝରେ ଧିରେ
ମନେ ଭଙ୍କେ ପ୍ରଶ୍ନର ଅଙ୍କୁର
ଜଟିଳ କୁଟିଳ ଅଡୁଆ ଅପାର ।
ପୁଷ୍ପ ବାଟିକାରେ ଫୁଟେ ନା ମନ ଅଗଣାରେ
ସୁବାସ ମହକେ ପ୍ରସୁନେ ନା ମନ ପାଖୁଡାରେ
କୁହୁତାନ ପିକବର କଣ୍ଠୁ ନା ମନ ତନ୍ତ୍ରୀରେ
ବସନ୍ତ ଋତୁ ସତରେ ନା ମନ ଭାବନାରେ ଚିତ୍ରିତ ବିଭୋର ପଣରେ
ଜାଣେନା ମୁଁ କାହିଁ
ହୁଏ ହାଇଁ ପାଇଁ
ଏମିତି ଅଖାଡୁଆ ପ୍ରଶ୍ନ ଜାଳ ସବୁ
ମନ ମଗଜରୁ ଉଭେଇ ଯାଆନ୍ତି
ତୁମ ବିହୁନେ
ତୁମ ନ-ଦର୍ଶନେ ।୧।
ନୟନ ମୁଦିଲେ ତୁମ ମଧୁଲିକା ବଧୁଲିକା ସ୍ୱପ୍ନ ଦେଖେ
ଜାଗ୍ରତେ ତୁମ ଅଭିସାରିକା ଛାଇ ସରସୀ ଜଳରେ ଦେଖେ
ଘଞ୍ଚ ବନେ ପତ୍ର ଗହଳ ପାଦପ ତଳେ ଅଵଗୁଣ୍ଠନବତୀ ଦେଖେ
ବର୍ଷା ବିନ୍ଦୁରେ ଟିପା ଟିପା ଛଟା ଚିକୁକରେ ଅଳସୀରମ୍ୟା ଦେଖେ
ଜାଣେନା ମୁଁ କାହିଁ
ଭାବେ ଚାହିଁ ଚାହିଁ
ଏମିତି ଅବାନ୍ତର ବିରହ ବେଦନା ନିରନ୍ତର
ମନ ସିଲଟରୁ ମିଳେଇ ଲିଭି ଯାଆନ୍ତି
ତୁମ ବିହୁନେ
ତୁମ ପଲାୟନେ ।୨।
କୁସୁମିତ ସୁରଭିତ ବାଡ଼ି ବଗିଚା ମୁଁ ସାଜେ ଖିଲି ଖିଲି
ଗଭା ଗଜରାର ମହକିତ ଆସର ମୁଁ ବାସେ ଚଂପାକଲି
ଗଙ୍ଗସିଉଳି ପରି ଫୁଟି ପୁଣି ମୁଁ ଝରିଯାଏ ମଖମଲି
ଧୂପ ନୈବେଦ୍ୟର ସହମହ ସୁଗନ୍ଧ ମୁଁ ସାଜେ ଅଂଜୁଳା ଖୋଲି
ଜାଣେନା ମୁଁ କାହିଁ
ସଂଶୟରେ ମୁହିଁ
ତୁମେ ମୋର ହୁଅ କି ନ ହୁଅ
ତୁମେ ମୋତେ ଭଲ ପାଅ କି ନ ପାଅ
ମୁଁ ତୁମର ସଦା ହିଁ ତୁମର
ସ୍ବପ୍ନାସ୍ନାତା ବଧୂଳିକା ବଧୂଳି କଳିକା
ପୁଷ୍ପାପ୍ରୀୟା ମଧୁଲିକା ମହୁଲି ଲଫାପା ।