ବଡଦେଉଳର ବନ୍ଧୁ
ବଡଦେଉଳର ବନ୍ଧୁ
ବଡ଼ ଦେଉଳର ବଡ଼ ବନ୍ଧୁ
ତୁମ ପାଖେ ସାତସାଗର ସିନ୍ଧୁ
ମୁଁ ଆମ ଗାଁ ଅଳକା ନଈର ଇନ୍ଦୁ
ନୀତି ଧୁଏ ମୋର ଅଳତା ପାଦକୁ
ତୁମକୁ କେମିତି ଡାକିବି ବନ୍ଧୁ
ତୁମେ କସ୍ତୁରୀ ହୁଅ ଲାଗି
ମୁଁ ଖାଏ ପାଖାଳ ମାଗି
ତୁମେ ଚକାଆଖି ଖାଅ ବାଉନପଉଟି
ମୁଁ ଲେଉଟିଆ ତୋଳେ ଗୋଟି
ତୁମେ ବେଶ ହୁଅ ଲଷ୍ମୀ ନାରାୟଣ
ମୁଁ ମଣିଷ ଭିତରେ ଛାର ଜନ
ଦେଶ ରକ୍ଷା ଲାଗି ମଣିଷ ଗାଉଛି ଜନ ମନ ଗଣ
ମୁଁ ପତିତ ଭକତ କେମିତି ପାରିବି କରି ଦର୍ଶନ
ତୁମେ ନୀଳାଚଳଧାମେ ଶିରୀମନ୍ଦିରେ ରୁହ
କୁଡ଼ିଆରେ ଦେଖି ରାତି ଜହ୍ନ ଭାବେ ବାନ୍ଧିବି ରୁଅ
କାଣି କଉଡ଼ି କୋଉଠୁ ପାଇବି କୁହ
କାଇଁଚ ମାଳିଆ ଠାକୁରେ ରଥରେ କୁଆଡେ ଯାଅ
ତୁମେ ଗୀତା ଭାଗବତ ରାମାୟଣ ଛାନ୍ଦେ ଛନ୍ଦ
ମୁଁ ମାଟି ଅଗଣାରେ ତୁଳସୀ ଗଛର ଗନ୍ଧ
ତୁମ କୈବଲ୍ୟ ପ୍ରସାଦ କିଏ କେମିତି ରାନ୍ଧ
ମତେ ମିଳିବାକୁ ମୁଠେ କାହିଁକି ବାନ୍ଧିଛ ବନ୍ଧ
ତୁମେ ଭାଇ ଭଉଣୀ ସାଥିରେ ରୁହ
ରଥରେ ବସାଇ ମାଉସୀ ମାଆ ଘର ଯାଅ
ମୁଁ ଅନାଥ କାହିଁକି କୁହ
ତୁମେ ଷାଠିଏ ପଉଟି ଖାଇଲା ବେଳକୁ
ମୋ ଆଖିରେ କାହିଁକି ଲୁହ
ତୁମେ ସୁଦାମା ବନ୍ଧୁ କୃପାସିନ୍ଧୁ
ମୁଁ ଦୀନଜନ ଭାବ ଭକତିରେ ତୁମକୁ ବାନ୍ଧୁ ବାନ୍ଧୁ
ମୋ ମନରେ ଉଏଁ ସୁନାଜହ୍ନ ତୁମ ମନେ କିମ୍ପା ଅଳନ୍ଧୁ
ତୁମେ ରାମ, ଶ୍ୟାମ, ସାଇ
ମୁଁ ପାରୁନି ଶାନ୍ତିର ନିଦ ଶୋଇ
ତୁମେ କାହ୍ନୁ ହୋଇ ବଜାଇ ବଇଁଶୀ
ରାଧା ମୀରା ହେଲେ ତୁମରି ପ୍ରେୟସୀ
ମୁଁ ନୁହେଁ ରାଧା ମୀରା ଲଷ୍ମୀ ପିଆସୀ
କିନ୍ତୁ ମୁଁ ପ୍ରଭୁ ତୁମ ମସ୍ତକର ନିଶ୍ଚେ ଛଡା ତୁଳସୀ
ଦେବୀ ନୁହେଁ ସିନା ଦାନବୀ ବି ନୁହେଁ
ମୁଣ୍ଡେ ମୋ ପୂର୍ଣ୍ଣଗଭା କଳସୀ
ବୃନ୍ଦାବତୀ ଦେବୀ ସୀତା ପଣେ ସତୀ ଅଳସୀ ।
