ବଦାନ୍ୟ
ବଦାନ୍ୟ
ଏଲି ମହାନ୍ତି
ଦେଖ -
ଝିଅଟିଏ ନାଆ ବାହୁଛି
ତୁମେ ଠିକ୍ ବୁଝିଛ, ତା' ମାନେ -
ନିଶ୍ଚେ ତା' ନାଉରୀଟି ହଜିଯାଇଛି।
ନାଉରୀ ନଥିବା ନାଆ ପାଇଁ ତା'ର ସହାୟତା ଲୋଡ଼ା ଅଛି।
ପ୍ରଥମେ ବେଶ ବଦଳେଇ ଦିଅ ନିକାଞ୍ଚନ ସମୟ ଦେଖି,
ଧୀରେ ଧୀରେ ସହାୟତାର ହାତ ବଢାଅ,
ଜଲଦି କିଛି କରନି, ସେ ତୁମକୁ ସନ୍ଦେହ କରିପାରେ।
ହୃଦୟକୁ ତରଳେଇ ଦିଅ ତା' ଆଗରେ ମହମବତୀ ପରି।
ତାକୁ ବୁଝାଅ ନାଟକୀୟ ସଂଳାପ ଶୈଳୀରେ ଯେ
ତୁମେ ନିଜେ କେହି ନୁହଁ, କେବଳ ଈଶ୍ବର ପ୍ରେରିତ
ଜଣେ ଶାନ୍ତିଦୂତ।
ତଥାପି ଯଦି ସେ ଅବିଚଳିତ
ତେବେ ତାକୁ ଡରାଅ -
କୁହ, ପାଣିର ଗଭୀରତା କଥା
କୁମ୍ଭୀରର ଦାନ୍ତ ପଞ୍ଝା ଆଉ
ତତସହିତ ଚିହ୍ନାଅ ତା' ନିଜ କମରର ନମନୀୟତା !
ଯଦି ସେ କାନ୍ଦିଲା, ତେବେ ତୁମକୁ
ରାସ୍ତାଟେ ଜାଣ ମିଳିଗଲା ତା' ଅନ୍ତରକୁ।
ଲୁହ ବାହାରୁଥିବା ରନ୍ଧ୍ର ଦେଇ
ପଠାଅ କିଛି ଆତ୍ମୀୟତା ତା' ହୃଦୟ ଭିତରକୁ।
ସେ ଏବେ ଆଣ୍ଠେଇବ
ତା' ଭାଙ୍ଗି ପଡିଥିବା ଆତ୍ମବିଶ୍ବାସ ଉପରେ
ଆଉ ସେ ଉଠି ପାରିବନି ବିନା ତୁମ ସହାୟତାରେ।
ତା'ର ସଜ ଆବେଗ, ଆଶଙ୍କିତ ଶିହରଣ, କମ୍ପିତ ଉତ୍ତେଜନା ...
ଏବେ ସବୁ ତୁମ ହାତରେ ।
ଯଥେଷ୍ଟ ଠକି ସାରିବାର ଆତ୍ମତୃପ୍ତି ନେଇ
ତା' ଦରଜାରୁ ପାଦ କାଢ,
ସାରା ଦୁନିଆଁ ଆଗରେ ସହଜ ଶବ୍ଦଟିଏ
ଫିଙ୍ଗିଦିଅ -
' ଶଃ ... ବେଶ୍ୟାଟେ ... '
------------
କବିତା ପତ୍ରିକା " ଉଦଭାସ " ର ଏପ୍ରିଲ 2010 ସଂଖ୍ୟାରେ ପ୍ରକାଶିତ।
