ବାଟୋଇ ମୁଁ ବାଟ ମୋ ସରେନା
ବାଟୋଇ ମୁଁ ବାଟ ମୋ ସରେନା
ବାଟୋଇ ମୁଁ, ବାଟ ମୋ ସରେନା
ଚାଲୁଛି, ଚାଲୁଥିବି
କେତେ ଯେ ବରଷ ଏଇମିତି
ତାହା ମୁଁ ଜାଣେନା,
ବାଟୋଇ ମୁଁ, ବାଟ ମୋ ସରେନା ।
ପ୍ରତ୍ୟୟ ଯା ହୁଏ ବାଟ ପ୍ରାୟେ
ନିର୍ଦ୍ଵନ୍ଦ ରେ ପାଦ ଥାପିଦିଏ
ତେବେ ନିଜେ ମୁଁ ଜାଣେନି
ତାହା ବାଟ କି ଅବାଟ ଟିଏ ।
ବାଟ ବୋଲି ଅବାଟରେ
ଯେବେ ପାଦ ଥାପେ ଅଜାଣତେ
କଣ୍ଟା ଫୁଟି ରକ୍ତ ଝରେ
ଛଟପଟ ହୁଏ ଯନ୍ତ୍ରଣାରେ
ହେଲେ ଆଖି ମୋର ପହଁରୁଥାଏ
ନୂଆ ଏକ ବାଟର ସନ୍ଧାନରେ ।
ଅବିରତ ଏ କାଳଚକ୍ର
ଅବିଶ୍ରାନ୍ତ ଏ ଯାତ୍ରା
ବାଟ ଲମ୍ବିଥାଏ କାହିଁ ଦୂର ଦିଗବଳୟ ଯାଏ
ଲାଗେ ସତେ କି ଅସରନ୍ତି
ନା – ଅଛି ଅନ୍ତ ତାର
ଯେବେ ଶଳିତା ଜଳି ଜଳି ଯାଏ
ଗର୍ଭ ରିକ୍ତ ହେବାପରେ
ବାଟୋଇ-ସମୟ ଦୀପର ।
ନଦୀର ପଥ ଯେବେ ସରେ
ନିଜକୁ ହଜାଏ ସେ ଅସୀମ ସାଗରରେ
ଫୁଲି ଫୁଲି ଭରା ଉଲ୍ଲାସରେ,
ଆଉ ବଟୋଇର ବାଟ ସରିଲେ
ସତ୍ତା ତାର ହଜିଯାଏ ଅନନ୍ତସତ୍ତାରେ
ଆତ୍ମା–ପରମାତ୍ମା ମିଳନର ଅପୂର୍ବ ଆନନ୍ଦରେ ।
ହଁ , ମୁଁ ଏକ ବାଟୋଇ
ନିଶ୍ଚିତ ଏ, ସରିଯିବ ଦିନେ ମୋର ବାଟ
ଅପେକ୍ଷାରତ ଜୀବାତ୍ମା ମୋ,
ସେ ଦିବ୍ୟ ମୂହୁର୍ତ୍ତର
ଯେବେ ପରମାତ୍ମା ସହ ଲଭିବଇଁ ଭେଟ ।
*****
